ଟ୍ବେଣ୍ଟି-୨୦ ବିଶ୍ବକପ୍ ୨୦୨୨କୁ ଘୁଞ୍ଚିପାରେ

ଆଇସିସିର ଖଣ୍ଡନ

ଦୁବାଇ : ଅଷ୍ଟ୍ରେଲିଆରେ ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଖେଳା ଯିବାକୁ ଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍ (ସପ୍ତମ ସଂସ୍କରଣ) ୨୦୨୨ ମସିହାକୁ ଘୁଞ୍ଚିଯାଇପାରେ। ଏଭଳି ଏକ ଖବର ବୁଧବାର ଭାରତୀୟ ଗଣମାଧ୍ୟମରେ ଚର୍ଚାର ବିଷୟ ହୋଇଥିଲା। ଟ୍ବେଣ୍ଟି-୨୦ ବିଶ୍ବକପ୍ ସମୟରେ ଆଇପିଏଲ୍ ଆୟୋଜନ ହେବାର ଯଥେଷ୍ଟ ସମ୍ଭାବନା ଥିବା ଆଇସିସିର ଜଣେ ସଦସ୍ୟ ନିଜ ନାମ ଗୋପନ ରଖି କହିଥିବାର ରିପୋର୍ଟ ବି ପ୍ରକାଶ ପାଇଥିଲା। ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଅଷ୍ଟମ ସଂସ୍କରଣ ୨୦୨୧ ମସିହାରେ ଭାରତରେ ‌ହେବାର ଅଛି। ଏଣୁ ଚଳିତ ବର୍ଷର ବିଶ୍ବକପକୁ ୨୦୨୨ ମସିହା ଅକ୍ଟୋବର-ନଭେମ୍ବର ମାସକୁ ଘୁଞ୍ଚାଇବାକୁ ଆଇସିସି ଚିନ୍ତା କରୁଥିବା ସଂପୃକ୍ତ ଅଧିକାରୀ ଜଣକ କହିଛନ୍ତି। ବିଶ୍ବକପକୁ ସ୍ଥଗିତ କରିବାକୁ ଆଇସିସି ସହ ପ୍ରସାରଣକାରୀ ସଂସ୍ଥା ଷ୍ଟାର ସ୍ପୋର୍ଟସ ମଧ୍ୟ ଚାହୁଁଥିବା ରିପୋର୍ଟରେ ଦାବି କରାଯାଇଥିଲା। ସେପଟେ ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ମାତ୍ର କିଛି ମାସ ଭିତରେ ଦୁଇଟି ବିଶ୍ବକପ୍ ଆୟୋଜନ କରିବାର ଯଥାର୍ଥତା ଉପରେ ପ୍ରଶ୍ନ ଉଠାଇଛନ୍ତି।

ସେ କହିଛନ୍ତି, ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଟ୍ବେଣ୍ଟି-୨୦ ବିଶ୍ବକପ୍ ଖେଳାଯିବ। ପୁଣି ଥରେ ଫେବ୍ରୁଆରି-ମାର୍ଚ ୨୦୨୧ରେ ଆଉ ଏକ ବିଶ୍ବକପ୍ ଆୟୋଜିତ ହେବ। ଏହା ପୂର୍ବରୁ ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଆଇପିଏଲ୍। ପୁଣି ଥରେ ୨୦୨୧ ମାର୍ଚ-ମେ’ ଝରକାରେ ଆଇପିଏଲ୍। ଏତେ କମ୍ ସମୟ ମଧ୍ୟରେ ଏତେଗୁଡ଼ିଏ ବିଶ୍ବସ୍ତରୀୟ ପ୍ରତିଯୋଗିତା ଆୟୋଜିତ ହେଲେ, କେହି ବି ଲାଭବାନ ହେବନି। ସେହିଭଳି ଭାରତ ଆଗାମୀ ସମୟରେ ଅଷ୍ଟ୍ରେଲିଆ ଯିବା ସହ ଭାରତ ଆସି ଇଂଲଣ୍ଡ ପାଞ୍ଚଟି ମ୍ୟାଚ୍ ଖେଳିବ। ଏଭଳି ସ୍ଥିତିରେ ଆଇସିସିକୁ ତା’ର ଭବିଷ୍ୟତ ସୂଚୀରେ କିଛିଟା ଅଦଳ ବଦଳ କରିବାକୁ ପଡ଼ିବ। ନହେଲେ ବହୁ ସମସ୍ୟା ସୃଷ୍ଟି ହେବ। ଆଇପିଏଲ୍ ଆୟୋଜନ ମଧ୍ୟ ସଂପୂର୍ଣ୍ଣ ଭାବେ ଭାରତର କୋଭିଡ୍-୧୯ ସ୍ଥିତି ଉପରେ ନିର୍ଭର କରିବ। ଆବଶ୍ୟକ ‌ହେଲେ ଖେଳାଳିଙ୍କୁ ୧୪ ଦିନିଆ କ୍ବାରାଣ୍ଟାଇନରେ ରଖିବାକୁ ହେବ। ସଂପୃକ୍ତ ଅଧିକାରୀ ଜଣକ ଏହି ମତ ରଖିବା ପରେ ଚଳିତ ବର୍ଷର ଟ୍ବେଣ୍ଟି-୨୦ ବିଶ୍ବକପ୍ ସ୍ଥଗିତ ହେବା ନେଇ ଥିବା ଆଶଙ୍କା ଆହୁରି ଘନେଇଛି। ଆଇସିସି କିନ୍ତୁ ଏଭଳି କୌଣିସି ଆଶଙ୍କାକୁ ଅଗ୍ରାହ୍ୟ କରିଦେଇଛି। ଚଳିତ ବର୍ଷର ଟ୍ବେଣ୍ଟି-୨୦ ବିଶ୍ବକପ୍ ୨୦୨୨କୁ ଘୁଞ୍ଚିବା ନେଇ ପ୍ରକାଶ ପାଇଥିବା ଖବରରେ ସତ୍ୟତା ନଥିବା ଆଇସିସି ମୁଖପାତ୍ର ବୁଧବାର ସ୍ପଷ୍ଟ କରି ଦେଇଛନ୍ତି। ‘‘ଏ ପର୍ଯ୍ୟନ୍ତ ଏହି ଦିଗରେ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ଅଷ୍ଟ୍ରେଲିଆ ଟ୍ବେଣ୍ଟି-୨୦ ବିଶ୍ବକପ୍ ଲାଗି ପ୍ରସ୍ତୁତି ପୂର୍ବଭଳି ଜାରି ରହିଛି’’ ବୋଲି ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି। ଆଇସିସି ଏଥିନେଇ ପ୍ରକାଶ କରିଥିବା ପ୍ରେସ୍ ବିଜ୍ଞପ୍ତିରେ କହିଛି ଯେ ଟ୍ବେଣ୍ଟି-୨୦ ବିଶ୍ବକପ୍‌କୁ ସ୍ଥଗିତ ରଖିବା ଲାଗି ଏ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ପ୍ରାକ୍ ସୂଚୀ ଅନୁଯାୟୀ ଅଷ୍ଟ୍ରେଲିଆରେ ହେବାକୁ ଥିବା ଏହି ବିଶ୍ବକପ୍ ନେଇ ପ୍ରସ୍ତୁତି ଚାଲିଛି। ଗୁରୁବାର ବସିବାକୁ ଥିବା ଆଇସିସି ବୋର୍ଡ ବୈଠକରେ ଏହି ବିଷୟ ଆଲୋଚନା ପାଇଁ ରଖାଯାଇଛି। ଆଗାମୀ ସମୟରେ ଏଥିନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।

ଆଜି ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
ଅଷ୍ଟ୍ରେଲିଆ ଟ୍ବେଣ୍ଟି-୨୦ ବିଶ୍ବକପ୍ ତଥା କୋଭିଡ୍-୧୯ ସଙ୍କଟ ପାଇଁ ସୃଷ୍ଟି ହୋଇଥିବା ଅସାଧାରଣ ପରିସ୍ଥିତି ବିଷୟରେ ସବିଶେଷ ଆଲୋଚନା, ପର୍ଯ୍ୟାଲୋଚନା ଓ ନିଷ୍ପତ୍ତି ଲାଗି ଗୁରୁବାର ଆଇସିସିର ଗୁରୁତ୍ବପୂର୍ଣ୍ଣ ବୋର୍ଡ ବୈଠକ ବସିବ। ଟେଲିକନଫରେନ୍ସିଂ ଜରିଆରେ ବସିବାକୁ ଥିବା ଏହି ବୈଠକରେ ଆଇସିସିର ପରବର୍ତ୍ତୀ ଅଧ୍ୟକ୍ଷ ନିର୍ବାଚନ ସହ ୨୦୨୧ରେ ଭାରତରେ ହେବାକୁ ଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍‌, ଟିକସ ରିହାତି ନେଇ ବିସିସିଆଇ ସହ ସୃଷ୍ଟି ହୋଇଥିବା ବିବାଦ ତଥା କ୍ରିକେଟ୍ ବଲ୍ ଉପରେ ଲାଳ ଓ ଝାଳ ଲଗାଇବା ନେଇ ମଧ୍ୟ ଆଲୋଚନା ହେବ। ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଅଷ୍ଟ୍ରେଲିଆରେ ଚଳିତ ବର୍ଷ ଅକ୍ଟୋବର-ନଭେମ୍ବର ମାସରେ ହେବାକୁ ଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍‌କୁ ନେଇ ନିଆଯିବ।

ମନୋହରଙ୍କ କାର୍ଯ୍ୟକାଳ ବଢ଼ିବନି
ପୂର୍ବତନ ବିସିସିଆଇ ସଭାପତି ତଥା ଆଇସିସିର ବର୍ତ୍ତମାନର ଅଧ୍ୟକ୍ଷ ଶଶାଙ୍କ ମନୋହରଙ୍କ କାର୍ଯ୍ୟକାଳ ବଢ଼ିବନି। ଆଇସିସି ସଦସ୍ୟ ରାଷ୍ଟ୍ରଙ୍କ ମଧ୍ୟରେ ଏଥିନେଇ ସହମତି ହୋଇ ସାରିଥିବା ଜଣାପଡ଼ିଛି। ବିଶେଷ କରି ମନୋହରଙ୍କୁ ଅଧ୍ୟକ୍ଷ ପଦରେ ରଖିବାକୁ ବିସିସିଆଇ ଚାହୁଁନଥିବା ବେଳେ ଅନ୍ୟ କେତେକ ଶକ୍ତିଶାଳୀ କ୍ରିକେଟ୍ ବୋର୍ଡ ମଧ୍ୟ ଏହି ବିଷୟ ନେଇ ଭାରତୀୟ ବୋର୍ଡକୁ ସମର୍ଥନ କରୁଛନ୍ତି। ଫଳରେ ଆଇସିସିର ପରବର୍ତ୍ତୀ ଅଧ୍ୟକ୍ଷ ନେଇ ନିର୍ବାଚନ ହେବାର ପଥ ଉନ୍ମୁକ୍ତ ହୋଇଯାଇଛି। ଏହି ନିଷ୍ପତ୍ତି ଉପରେ ଗୁରୁବାର ବୈଠକରେ ଆନୁଷ୍ଠାନିକ ‌ମୋହର ଲଗାଯିବାର ଯଥେଷ୍ଟ ସମ୍ଭାବନା ରହିଛି। ଏହି ପଦଲାଗି ବିସିସିଆଇ ସଭାପତି ତଥା ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ନାଁ ସର୍ବାଗ୍ରେ ରହିଛି। ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା କ୍ରିକେଟ୍ ଦକ୍ଷିଣ ଆଫ୍ରିକାର ଏବକାର ନିର୍ଦେଶକ ଗ୍ରେମ୍ ସ୍ମିଥ୍ ମଧ୍ୟ ଖୋଲାଖୋଲି ଭାବେ ଗାଙ୍ଗୁଲିଙ୍କ ନାଁ ଏହି ପଦ ଲାଗି ସୁପାରିସ କରିସାରିଛନ୍ତି। କୋଭିଡ୍-୧୯ ସଙ୍କଟ ପାଇଁ ସମଗ୍ର କ୍ରିକେଟ୍ ଜଗତ ଏବେ ଦେବାଳିଆ ହେବା ପରିସ୍ଥିତିରେ ଥିବାରୁ ଆର୍ଥିକ କ୍ଷେତ୍ରରେ ଅତ୍ୟନ୍ତ ସୁଦୃଢ଼ ଥିବା ବିସିସିଆଇ ପୁଣି ଥରେ ଆଇସିସି ନେତୃତ୍ବ ଭାର ପାଇବା ଆଶା ଅଧିକ। ଏକଥା ମଧ୍ୟ ଆଇସିସିର ଜଣେ ବରିଷ୍ଠ ଅଧିକାରୀ ସ୍ବୀକାର କରିଛନ୍ତି।

ସମ୍ବନ୍ଧିତ ଖବର