ସ୍ୱର୍ଗତ ଜେଜେମା’ଙ୍କୁ ବାଇଗଣୀ ଟୋପି ଉତ୍ସର୍ଗ କଲେ ଟାଇ

ଜୟପୁର: ମଙ୍ଗଳବାର ଆଇପିଏଲ୍‌ ଏକାଦଶ ସଂସ୍କରଣର ୪୦ତମ ମ୍ୟାଚ୍‌ରେ କିଙ୍ଗ୍‌ସ ଇଲେଭେନ୍‌ ପଞ୍ଜାବର ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ଆଣ୍ଡ୍ରୁ ଟାଇ ରାଜସ୍ଥାନ ରୟାଲ୍‌ସ ବିପକ୍ଷରେ ୩୪ ରନ୍‌ ଦେଇ ୪ ଓ୍ଵିକେଟ୍‌ ଅକ୍ତିଆର କରିଥିଲେ। ସେମଧ୍ୟରୁ କେବଳ ୩ ଓ୍ଵିକେଟ୍‌ ଅନ୍ତିମ ଓଭରରେ ସେ ନେଇଥିଲେ। ଏଥି ସହିତ ଟାଇ ମଧ୍ୟ ଚଳିତ ଆଇପିଏଲ୍‌ରେ ସର୍ବାଧିକ ୧୬ ଓ୍ଵିକେଟ୍‌ ଦଖଲ କରି ଆଫ୍‌ଗାନିସ୍ତାନ ବୋଲର ମୁଜିବ୍‌ ଉର୍‌ ରହମାନ୍‌ଙ୍କଠୁ ବାଇଗଣୀ ଟୋପି ଛଡ଼ାଇ ନେଇଥିଲେ। ତେବେ ଟାଇଙ୍କ ପାଇଁ ସବୁଠୁ ଦୁଃଖର ଖବର ଥିଲା ସେ ଯେଉଁ ଦିନ ବାଇଗଣୀ ଟୋପି ପିନ୍ଧିଲେ, ଠିକ୍‌ ସେହିଦିନ ତାଙ୍କ ଜେଜେମା’ଙ୍କ ପରଲୋକ ଘଟିଥିଲା। ଜେଜେମା’ଙ୍କ ହରାଇବା ସତ୍ତ୍ୱେ ଟାଇ ମ୍ୟାଚ୍‌ ଖେଳି ଆଇପିଏଲ୍‌ରେ ନିଜର ଶ୍ରେଷ୍ଠ ବୋଲିଂ ଚିତ୍ର ପାଇବା ସାଙ୍ଗକୁ ବାଇଗଣୀ ଟୋପି ପିନ୍ଧିଥିଲେ। ଫଳରେ ମ୍ୟାଚ୍‌ ପର ପୁରସ୍କାର ବିତରଣ ଉତ୍ସବରେ ଯେତେବେଳେ ତାଙ୍କୁ ଟୋପି ପିନ୍ଧାଗଲା, ସେତେବେଳେ ଟାଇଙ୍କ ଆଖି ଲୋତକରେ ଭରି ଯାଇଥିଲା। ଟାଇ ସେହି ଟୋପିକୁ ତାଙ୍କ ଜେଜେମା’ଙ୍କ ଉଦେଶ୍ୟରେ ଉତ୍ସର୍ଗ କରିଥିଲେ। ପୁରସ୍କାର ବିତରଣ ଉତ୍ସବରେ ଗ୍ରେମ୍‌ ସ୍ମିଥ୍‌ ତାଙ୍କୁ ଟୋପି ପ୍ରଦାନ କଲାବେଳେ ଟାଇ ଅତ୍ୟନ୍ତ ଭାବପ୍ରବଣ ହୋଇପଡ଼ିଥିଲେ। ଆଜି ମୋର ଜେଜେମା ପରଲୋକ ଗମନ କରିଛନ୍ତି। ତେଣୁ ମୁଁ ମୋର ଏହି ସଫଳତାକୁ ତାଙ୍କୁ ଏବଂ ପରିବାରବର୍ଗକୁ ଉତ୍ସର୍ଗ କରୁଛି ବୋଲି ଟାଇ କହିଥିଲେ। ଏହି ମ୍ୟାଚ୍‌ ମୋ ପାଇଁ ଅତ୍ୟନ୍ତ ଭାବପ୍ରବଣ ଥିଲା। ଏପରିକି ଜେଜେମା’ଙ୍କ ପରଲୋକ ଖବର ପାଳି ବିରତି ବେଳେ ପାଇବା ସତ୍ତ୍ୱେ ଖେଳିବା ଖୁବ୍‌ କଷ୍ଟକର ଥିଲା ବୋଲି ଟାଇ କହିଥିଲେ। ତେବେ ଟାଇଙ୍କ ଦମ୍‌ଦାର ବୋଲିଂ ପ୍ରଦର୍ଶନ ସତ୍ତ୍ୱେ କିଙ୍ଗ୍‌ସ ଇଲେଭେନ୍‌ ପରାଜୟ ବରଣ କରିଥିଲା।

ସମ୍ବନ୍ଧିତ ଖବର