୬୦୦୦ ପଏଣ୍ଟ ସଂଗ୍ରହ କରିବା ଲକ୍ଷ୍ୟ ରହିବ: ପୂର୍ଣ୍ଣିମା

କଟକ: ପ୍ରଥମ ଥର ପାଇଁ ପୂର୍ଣ୍ଣିମା ହେମ୍ବ୍ରମ୍‌ ହେପ୍‌ଟାଥଲନ୍‌ରେ ଏସୀୟ କ୍ରୀଡ଼ା ଯୋଗ୍ୟତା ଅର୍ଜନ କରିଛନ୍ତି। ମୋଟ ୫୮୯୮ ପଏଣ୍ଟ ହାସଲ କରିଥିଲେ ବି ଏସୀୟ କ୍ରୀଡ଼ାରେ ୬ହଜାର ପଏଣ୍ଟ ସଂଗ୍ରହ କରିବା ତାଙ୍କର ପ୍ରାଥମିକ ଲକ୍ଷ୍ୟ ରହିବ ବୋଲି ପୂର୍ଣ୍ଣିମା ପ୍ରତିକ୍ରିୟା ଦେଇଛନ୍ତି। ୨୦୧୪ରେ ପଞ୍ଚମ ସ୍ଥାନରେ ରହିବାରୁ ଏସୀୟ କ୍ରୀଡ଼ା ପାଇଁ ଯୋଗ୍ୟତା ଅର୍ଜନ କରିପାରିନଥିଲି। ହେଲେ ୨୦୧୫ ଓ ୨୦୧୬ରେ ଏସୀଆଡ୍‌ରେ ପଦକ ଜିତିଆସୁଛି। ତେଣୁ ଏସୀୟ କ୍ରୀଡ଼ାରେ ବି ସ୍ୱର୍ଣ୍ଣ ଜିତିବାକୁ ଶତପ୍ରତିଶତ ଚେଷ୍ଟା କରିବି। ଏହା ମୋ ପାଇଁ କର ବା ମର ଭଳି ଆହ୍ଵାନ ହେବ ବୋଲି ପୂର୍ଣ୍ଣିମା କହିଛନ୍ତି। ପୂର୍ବଭଳି ଏବେବି ପିଠିରେ ଯନ୍ତ୍ରଣା ରହିଛି। ହାତରେ ଦୁଇ ମାସ ସମୟ ଥିବାରୁ ପ୍ରଥମେ ଯନ୍ତ୍ରଣାରୁ ଉପଶମ ପାଇବାକୁ ଚେଷ୍ଟା କରିବି ଓ ପରେ ଜାତୀୟ ପ୍ରତିଯୋଗିତାରେ ଯେଉଁ ସ୍ଥାନରେ ପଏଣ୍ଟ କମ୍‌ ରହିଥିଲା, ସେଗୁଡ଼ିକୁ ଭରଣା କରିବାକୁ ଅଭ୍ୟାସ ଜୋର୍‌ଦାର କରିବି ବୋଲି ସେ କହିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା
ଭୁବନେଶ୍ୱର: ଆସନ୍ତା ଅଗଷ୍ଟ ୧୮ ତାରିଖରୁ ଇଣ୍ଡୋନେସିଆରେ ହେବାକୁଥିବା ଏସୀୟ କ୍ରୀଡ଼ା ଲାଗି ଏକାଧିକ ଓଡ଼ିଆ କ୍ରୀଡ଼ାବିତ୍‌ ଯୋଗ୍ୟତା ଅର୍ଜନ କରିଛନ୍ତି। ଏହି ସଫଳତା ଲାଗି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କୃତି କ୍ରୀଡ଼ାବିତ୍‌ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଶୁକ୍ରବାର ବ୍ୟାଡ୍‌ମିଣ୍ଟନ୍‌ ଖେଳାଳି ଋତୁପର୍ଣ୍ଣା ପଣ୍ଡାଙ୍କୁ ସଚିବାଳୟରେ ସମ୍ବର୍ଧିତ କରିଥିଲା ବେଳେ ଜିମ୍ନାଷ୍ଟ୍‍ ରାକେଶ ପାତ୍ରଙ୍କୁ ଟ୍ଵିଟ୍‌ ଜରିଆରେ ଶୁଭେଚ୍ଛା ଜଣାଇଛନ୍ତି। ଏଥି ସହ ଏସୀୟ କନିଷ୍ଠ ରୋଇଂ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ବିଜେତା ଭାରତୀୟ ଦଳରେ ସଦସ୍ୟା ଥିବା ୪ ଓଡ଼ିଆ ଖେଳାଳିଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି। ସେହିପରି ଏସୀୟ କ୍ରୀଡ଼ା ଯୋଗ୍ୟତା ପାଇଥିବା ୩ ମହିଳା ଆଥ୍‌ଲେଟ୍‌ ଦୂତି ଚାନ୍ଦ, ଜଉନା ମୁର୍ମୁ ଓ ପୂର୍ଣ୍ଣିମା ହେମ୍ବ୍ରମ୍‌ଙ୍କୁ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ତଥା ସାଂସଦ ଅଚ୍ୟୁତ ସାମନ୍ତ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର