ବାପାଙ୍କ ସ୍ବପ୍ନ ସାକାର କରିବା ଲକ୍ଷ୍ୟରେ ସ୍ବସ୍ତିକ; ଭାରତୀୟ ଦଳରେ ସ୍ଥାନ ପାଇବା ପାଇଁ ଚଳାଇଛନ୍ତି ପ୍ରଚେଷ୍ଟା

ଭୁବନେଶ୍ବର: ଯୁବ ଭାରତୀୟ ଦଳର ଦ୍ବାର ଦେଶରେ ପହଞ୍ଚିଥିବା ସ୍ବସ୍ତିକ ସାମଲଙ୍କୁ ରବିବାର ମିଳିଛି ‘ସରୋଜ ମହାସୁଆର ସ୍ମୃତି ସମ୍ମାନ’। ୨୦୧୫ରେ ଓଡ଼ିଶା ୧୬ ବର୍ଷରୁ କମ୍‌ ଦଳରେ ସ୍ଥାନ ପାଇ ଆରମ୍ଭ କରିଥିଲେ ରାଜ୍ୟସ୍ତରୀୟ କ୍ରିକେଟ୍‌ ଅଭିଯାନ। ଏହା ପରଠୁ ଲଗାତାର ଭାବେ ଓଡ଼ିଶାର ବିଭିନ୍ନ ବୟସ ବର୍ଗ ଖେଳିବା ସହ ବରି‌ଷ୍ଠ ଦଳର ସଦସ୍ୟ ହେବାର ଗୌରବ ମଧ୍ୟ ପାଇଛନ୍ତି। ଗତ ବର୍ଷ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ଓଡ଼ିଶା ଦଳରେ ସ୍ଥାନ ପାଇଥିବା ବେଳେ ‌ସୋମବାର ଘୋଷିତ ଚଳିତ ବର୍ଷ ବିଜୟ ହଜାରେ ଟ୍ରଫି ଦଳରେ ମଧ୍ୟ ସେ ନିଜ ସ୍ଥାନ ସୁରକ୍ଷିତ କରିଛନ୍ତି। ନିୟମିତ ଭାବେ ଜେଡ୍‌ସିଏ ଓ ଏନ୍‌ସିଏ ଶିବିରକୁ ଡାକରା ମଧ୍ୟ ପାଉଛନ୍ତି। ଗତ ଋତୁରେ ରଜ୍ୟର ଅଗ୍ରଣୀ ସ୍କୋରର୍‌ ହୋଇଥିଲେ। ନିଜ ଘର କୋରାପୁଟର ପୁଜାରୀପୁଟ ହୋଇଥିଲା ବେଳେ ସଂପ୍ରତି ରାଉରକେଲାର ଛେଣ୍ଡ କଲୋନି‌ରେ ରହୁଥିବା ପୀୟୂଷ ପ୍ରକାଶ ସାମଲ ଓ ମଧୁସ୍ମିତା ସାମଲଙ୍କ ପୁଅ ହେଉଛନ୍ତି ସ୍ବସ୍ତିକ। ବାପାଙ୍କ ସ୍ବପ୍ନକୁ ସାକାର କରିବା ଲାଗି ସଫଳ କ୍ରିକେଟର୍‌ ହେବା ସହ ଭାରତୀୟ ଦଳରେ ସ୍ଥାନ ପାଇବା ଲକ୍ଷ୍ୟ ରଖିଛନ୍ତି ସ୍ବସ୍ତିକ।

ବାପା ମୂଳ ପ୍ରଶିକ୍ଷକ
ଜିଲ୍ଲାସ୍ତରୀୟ କ୍ରିକେଟ୍‌ ଓ କଳାହାଣ୍ଡି କପ୍‌ରେ ବାପାଙ୍କ କ୍ରିକେଟ୍‌ ଜୀବନ ଅଟକି ଯାଇଥିଲା। ଦେଶ ଓ ରାଜ୍ୟ ପାଇଁ ଥିବା ଖେଳିବା ସ୍ବପ୍ନ ସାକାର ହୋଇ ନଥିଲା। ହେଲେ ପୁଅକୁ ଜଣେ ଭଲ କ୍ରିକେଟର୍‌ କରିବା ସହ ନିଜର ସ୍ବପ୍ନକୁ ପୁଅ ଦ୍ବ‌ାରା ପୂରଣ କରିବା ଲକ୍ଷ୍ୟ କରି ନେଇଥିଲେ ସ୍ବସ୍ତିକଙ୍କ ବାପା ପୀୟୂଷ। ବାପାଙ୍କ ଏହି ସ୍ବପ୍ନକୁ ସାକାର କରିବା ଲାଗି ପଡ଼ିଛନ୍ତି ଏହି ସୁଯୋଗ୍ୟ ସନ୍ତାନ। ମାତ୍ର ୧୧ ବର୍ଷ ବୟସରେ ମୁଁ କ୍ରିକେଟ୍‌‌ ଖେଳ ଆରମ୍ଭ କରିଥିଲି। ଆରମ୍ଭରୁ କୌଣସି ବାହାର ପ୍ରଶିକ୍ଷକଙ୍କଠୁ ନୁହେଁ, ବାପା ହିଁ ମୋର ପ୍ର‌‌ଥମେ କ୍ରିକେଟ୍‌ ଶିକ୍ଷକ। ୩ ବର୍ଷ ଧରି ସେ ମୋତେ‌ କ୍ରିକେଟ୍‌ର ମୂଳମନ୍ତ୍ର ଶିଖାଇଥିଲେ। ୧୪ ବର୍ଷ ବୟସ ହେବା ପରେ ମୁଁ ଆର୍‌ ଶ୍ରୀକାନ୍ତଙ୍କଠୁ ପ୍ରଶିକ୍ଷଣ ନେଇଥିଲି। ଏ ପର୍ଯ୍ୟନ୍ତ ଶ୍ରୀକାନ୍ତ ସାର୍‌ ମୋର ପ୍ରଶିକ୍ଷକ ଅଛନ୍ତି।

୨୦୧୫ରେ ରାଜ୍ୟ ପଦାର୍ପଣ
୨୦୧୫ରେ ମୁଁ ପ୍ରଥମେ ଓଡ଼ିଶା ୧୬ ବର୍ଷରୁ କମ୍‌ କ୍ରିକେଟ୍‌ ଦଳରେ ସାମିଲ ହୋଇଥିଲି। ଏଠାରେ ଭଲ ପ୍ରଦର୍ଶନ ବଳରେ ପୂର୍ବାଞ୍ଚଳ ୧୬ ବର୍ଷରୁ କମ୍‌ ଦଳରେ ସ୍ଥାନ ପାଇଥିଲି। ଏହାପର ବର୍ଷ (୨୦୧୬-୧୭)ରେ ୧୯ ବର୍ଷରୁ କମ୍‌ ଓଡ଼ିଶା ଦଳରେ ସୁଯୋଗ ପାଇଲି। ସେହିବର୍ଷ ସେ ପୂର୍ବାଞ୍ଚଳ ମ୍ୟାଚ୍‌ ଖେଳିଥିଲେ। ଏହାପରଠୁ ଲଗାତାର ଭାବେ ୧୯ ବର୍ଷରୁ ଦଳରେ ନିଜ ପାଇଁ ସ୍ଥାନ ସୁରକ୍ଷିତ କରିବା ସହ ନେତୃତ୍ବ ଭାର ମଧ୍ୟ ସମ୍ଭାଳିଥିଲେ। ଗତ ବର୍ଷ ୪୫୨ ରନ୍‌ କରି ରାଜ୍ୟ ପକ୍ଷରୁ ଅଗ୍ରଣୀ ସ୍କୋରର୍‌ ଥିଲେ।

୨୦୧୮ରେ ଚ୍ୟାଲେଞ୍ଜର ଟ୍ରଫି
ଗତବର୍ଷ ୧୯ ବର୍ଷରୁ କମ୍‌ ଚ୍ୟାଲେଞ୍ଜର ଟ୍ରଫିରେ ସୁଯୋଗ ପାଇଥିଲି। ଏହା ପରେ ୨୩ ବର୍ଷରୁ କମ୍‌ ଓଡ଼ିଶା ଦଳରୁ ସିକେ ନାଇଡ଼ୁ ଟ୍ରଫି ଲାଗି ‌ମୋତେ ଡକରା ମିଳିଥିଲା। ବରିଷ୍ଠ ଓଡ଼ିଶା ‌ଟ୍ବେଣ୍ଟି-୨୦ ଦଳରେ ସ୍ଥାନ ପାଇ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ଖେଲିଥିଲି। ହେଲେ ସଫଳତା ପାଇପାରି ନଥିଲି ‌ବୋଲି କହିଛନ୍ତି ସ୍ବସ୍ତିକ।

‌ସେହବାଗ ଆଦର୍ଶ
ବୀରେନ୍ଦ୍ର ସେହବାଗଙ୍କୁ ନିଜର ଆଦର୍ଶ ମାନୁଥିବା ଏହି ଡାହାଣହାତୀ ପ୍ରାରମ୍ଭିକ ଯୁବ ବ୍ୟାଟ୍ସମ୍ୟାନ୍‌ଙ୍କ ଭବିଷ୍ୟତ ଲକ୍ଷ୍ୟ ଭାରତୀୟ ବରିଷ୍ଠ ଦଳରେ ସ୍ଥାନ ପାଇବା ରହିଛି। ବ୍ୟାଟିଂ ସହ କାମଚଳା ‌ଲେଗ୍‌ ସ୍ପିନର୍‌ ଦାୟିତ୍ବ ତୁଲାଉଥିବା ସ୍ବସ୍ତିକ ସଂପ୍ରତି ରାଉରଲକେଲା ଜିମ୍‌ଖାନା କ୍ଲବ୍‌ରେ ଅଭ୍ୟାସ କରୁଛନ୍ତି।

ସମ୍ବନ୍ଧିତ ଖବର