ଏକାଡେମି ନାଁରେ ୟୁଥ୍‌ ଲିଗ୍‌ ଖେଳିବାକୁ ‘ଫାଓ’ର ଆଗ୍ରହ

ଭିତ୍ତିଭୂମି ନଥାଇ ସ୍ୱୀକୃତି ପାଇବାକୁ ଆଶାବାଦୀ

କଟକ: ଏଆଇଏଫ୍‌ଏଫ୍‌ ୟୁଥ୍‌ ଲିଗ୍‌ରେ କ୍ରୀଡ଼ା ଛାତ୍ରାବାସ ଖେଳିବା ପରେ ଏବେ ଫାଓ ମଧ୍ୟ ଏହା ଉପରେ ନଜର ପକାଇଛି। ଏଥିପାଇଁ ନିଜସ୍ୱ ଭିତ୍ତିଭୂମି ନଥିଲେ ବି ଅନ୍ୟମାନଙ୍କ ସହଯୋଗରେ ୟୁଥ୍‌ ଲିଗ୍‌ରେ ଖେଳିବାକୁ ଯୋଜନା କରିଛି। ଏଆଇଏଫ୍‌ଏଫ୍‌ ବୈଷୟିକ ମୁଖ୍ୟ ପୁଷ୍କାର୍ଘ ଚଟୋପାଧ୍ୟାୟ ଆବେଦନକାରୀ ଏକାଡେମିଙ୍କ ଭିତ୍ତିଭୂମି ଯାଞ୍ଚ କରିବାକୁ ଆସିଥିବା ବେଳେ ଏଭଳି ଘଟଣା ସାମ୍ନାକୁ ଆସିଛି। ବାରବାଟୀ ଷ୍ଟାଡିୟମ, ବିଡ଼ାନାସୀ ପଡ଼ିଆ, ଓସିଏ ଜିମ୍‌, ସୁଇମିଂପୁଲ୍‌ ଇତ୍ୟାଦି ଦେଖାଏ ଏହାକୁ ଏକ ପୂର୍ଣ୍ଣାଙ୍ଗ ଅଣଆବାସିକ ଏକାଡେମି ଭାବେ ଫାଓ ଦର୍ଶାଇଛି। ଏହାବ୍ୟତୀତ ଫାଓ ଅଧିନରେ ରହିଥିବା ବିଭିନ୍ନ ଲାଇସେନ୍ସ ପ୍ରାପ୍ତ ପ୍ରଶିକ୍ଷକ ଓ ବୈଷୟିକ ଅଧିକାରୀଙ୍କୁ ମଧ୍ୟ ଉକ୍ତ ଏକାଡେମିର ପ୍ରଶିକ୍ଷକ ଭାବେ ଦେଖାଯାଇଛି। ଯଦିଓ ସମସ୍ତ ଭିତ୍ତିଭୂମି ଦେଖିବା ପରେ ଏଆଇଏଫ୍‌ଏଫ୍‌ ଅଧିକାରୀ ରିପୋର୍ଟ ପ୍ରସ୍ତୁତ କରିବେ, ହେଲେ ସତ ଘଟଣା ଜଣାପଡ଼ିଲେ ଫାଓ ଆବେଦନ ଅଗ୍ରାହ୍ୟ ହେବା ଆଶଙ୍କା ରହିଛି। ଫାଓର ନିଜସ୍ୱ ପଡ଼ିଆ ନଥିବାବେଳେ କଟକ କ୍ରୀଡ଼ା ଛାତ୍ରାବାସ ସହିତ ମିଳିତ ଭାବେ ଏକାଡେମି କରିବାକୁ ରାଜ୍ୟ ସରକାରଙ୍କୁ ପୂର୍ବରୁ ପ୍ରସ୍ତାବ ଦେଇଥିଲା। ହେଲେ କ୍ରୀଡ଼ା ଛାତ୍ରାବାସ ଖେଳାଳିମାନଙ୍କୁ ନେଇ ସରକାରଙ୍କ ପକ୍ଷରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମକୁ ଆବାସିକ ଏକାଡେମି ଦର୍ଶାଇ ୟୁଥ୍‌ ଲିଗ୍‌ ଖେଳିବାକୁ ସ୍ୱୀକୃତି ପାଇଗଲେ। ତେଣୁ ଫାଓ ପାଖରେ ଅନ୍ୟ ବାଟ ନଥିବାରୁ ନିଜସ୍ୱ ଏକାଡେମି ନାମରେ ୟୁଥ୍‌ ଲିଗ୍‌ରେ ଖେଳିବା ପାଇଁ ଆବେଦନ କରିଥିଲା। ସେହିପରି କଳିଙ୍ଗ ନଗର ସ୍ପୋର୍ଟ୍ସ ଏକାଡେମିର ନିଜସ୍ୱ ଭିତ୍ତିଭୂମି ଥିବାରୁ ସେମାନେ ମଧ୍ୟ ଅଣଆବାସିକ ଭାବେ ୟୁଥ୍‌ ଲିଗ୍‌ ପାଇଁ ଆବେଦନ କରିଥିଲେ। କିନ୍ତୁ କଳିଙ୍ଗ ନଗରରେ ସେଠକାର ନିଜସ୍ୱ ପଡ଼ିଆ, ପ୍ରଶିକ୍ଷକ, ଖେଳାଳି, ଜିମ୍‌, ସୁଇମିଂପୁଲ୍‌ ଇତ୍ୟାଦି ରହିଛି। ତେଣୁ ଏହି ଏକାଡେମିକୁ ସ୍ୱୀକୃତି ମିଳିବା ସମ୍ଭାବନା ଅଧିକ ରହିଛି। ୟୁଥ୍‌ ଲିଗ୍‌ରେ ୧୩, ୧୫ ଓ ୧୮ ବର୍ଷରୁ କମ୍‌ ବୟସ ବର୍ଗରେ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଗତବର୍ଷ କ୍ରୀଡ଼ା ଛାତ୍ରାବାସକୁ ୨ ଷ୍ଟାର୍‌ ମାନ୍ୟତା ମିଳିଥିଲା ବେଳେ ୧୮ ବର୍ଷରୁ କମ୍‌ ବର୍ଗରେ ଏହାର ଦଳ ଅଂଶଗ୍ରହଣ କରିଥିଲା। ତେଣୁ ଫାଓ ଏକାଡେମିକୁ ଅନ୍ୟୁନ ୧ ଷ୍ଟାର୍‌ ମାନ୍ୟତା ମିଳୁ ବୋଲି ଏହାର କର୍ମକର୍ତ୍ତାମାନେ ଆଶା ରଖିଛନ୍ତି।

ଏ ସଂକ୍ରାନ୍ତରେ ଫାଓ ଯୁଗ୍ମ ସମ୍ପାଦକ ଅଭିଜିତ୍‌ ପାଲ୍‌ କହିଛନ୍ତି ଯେ ଫାଓର ନିଜସ୍ୱ ପ୍ରଶିକ୍ଷକ ଅଛନ୍ତି। ବିଡ଼ାନାସୀ ଫାଓର ସ୍ୱୀକୃତିପ୍ରାପ୍ତ ପଡ଼ିଆ ହୋଇଥିବାରୁ ତାହାକୁ ମଧ୍ୟ ଏକାଡେମି ଭାବେ ବ୍ୟବହାର କରାଯାଉଛି। ଏଠାରେ ତୃଣମୂଳସ୍ତରର ପ୍ରଶିକ୍ଷଣ ଶିବିର ଆୟୋଜନ ହେଉଛି। ବାରବାଟୀ ଷ୍ଟାଡିୟମରେ ଖେଳାଳିମାନଙ୍କର ଅଭ୍ୟାସ ପାଇଁ ମଧ୍ୟ ଉତ୍କଷ୍ଟ ସ୍ଥାନ ରହିଛି। ଏଠାରେ ଜିମ୍‌ ଓ ସୁଇମିଂ ପୁଲ୍‌ ରହିଛି। ଯଦିଓ ତାହାର ଆବଶ୍ୟକତା ଏତେ ନାହିଁ, ତଥାପି ଭତ୍ତିଭୂମି ସୁଦୃଢ ବୋଲି ଦର୍ଶାଇବାରେ କିଛି ଅସୁବିଧା ନାହିଁ ବୋଲି ଅଭିଜିତ୍‌ କହିଛନ୍ତି।

ସମ୍ବନ୍ଧିତ ଖବର