ଶ୍ୱେତ ଧୂଲେଇ ଲକ୍ଷ୍ୟରେ ଭାରତ: ତୃତୀୟ ଟେ୍ଵଣ୍ଟି-୨୦ ଆଜି

ମୁମ୍ବାଇ: ଦିନିକିଆ ପରେ ଟେ୍ଵଣ୍ଟି-୨୦ ଶୃଙ୍ଖଳାକୁ ପକେଟସ୍ଥ କରିବା ପରେ ଭାରତୀୟ ଦଳ ରବିବାର ବର୍ଷର ଶେଷ ମ୍ୟାଚ୍‌ ଖେଳିବ। ଭ୍ରମଣକାରୀ ଶ୍ରୀଲଙ୍କା ନିଜ ସମ୍ମାନ ରକ୍ଷା କରି ସାନ୍ତ୍ୱନାମୂଳକ ବିଜୟ ସହ ସ୍ୱେଦେଶ ଫେରିବା ଆଶାରେ ରହିଛି। ରୋହିତ ଶର୍ମାଙ୍କ ଯୁବ ଦଳ କିନ୍ତୁ ଶ୍ୱେତ ଧୂଲେଇ କରି ଶୃଙ୍ଖଳାକୁ ୩-୦ରେ ପୋଛି ନେବା ଲକ୍ଷ୍ୟରେ ରହିଛି।
ଶୁକ୍ରବାର ଦ୍ରୁତତମ ଟେ୍ଵଣ୍ଟି-୨୦ ଶତକର ଯୁଗ୍ମ କୀର୍ତିମାନ କରିଥିବା ରୋହିତ ଲୟରେ ଥିବାରୁ ନିଜ ଘରୋଇ ପଡ଼ିଆରେ ନିଶ୍ଚିତ ଏହି ଧାରାକୁ ଅବ୍ୟାହତ ରଖିବାକୁ ଚାହିଁବେ। ଲୋକେଶ ରାହୁଲ, ଶ୍ରେୟସ ଆୟର୍‌, ମନୀଷ ପାଣ୍ଡେଙ୍କ ସହିତ ଅଭିଜ୍ଞ ମହେନ୍ଦ୍ର ସିଂହ ଧୋନି ଭଲ କରୁଥିବାରୁ ପ୍ରଶିକ୍ଷକ ରବି ଶାସ୍ତ୍ରୀ ମଧ୍ୟ ରବିବାର ଏମାନଙ୍କଠାରୁ ଅନୁରୂପ ପ୍ରଦର୍ଶନ ଆଶାରେ ରହିଛନ୍ତି। ବିଶେଷ କରି ଲଗାତାର ଅର୍ଧଶତକ ହାସଲ କରିଥିବା ଲୋକେଶ ରାହୁଲଙ୍କ ପ୍ରଦର୍ଶନ ଦଳୀୟ ଶିବିରରେ ଖୁସୀ ଭରି ଦେଇଛି। ସ୍ପିନ୍‌ ଯୋଡ଼ି ୟୁଜବେନ୍ଦ୍ର ଚହଲ ଓ କୁଲଦୀପ ଯାଦବ ମଧ୍ୟ ନିର୍ଣ୍ଣାୟକ ପ୍ରଦର୍ଶନ କରୁଛନ୍ତି। ଶ୍ରୀଲଙ୍କାର ଦନ୍ତହୀନ ବୋଲିଂକୁ ଭାରତର ବିଧ୍ୱଂସୀ ବ୍ୟାଟିଂ ପ୍ରଥମ ଦୁଇଟି ମ୍ୟାଚ୍‌କୁ ଏକତରଫା କରିଦେବା ପରେ ଏବେ ଓ୍ଵାଙ୍ଖ୍‌ଡେ ଦର୍ଶକ ମଧ୍ୟ ଭାରତଠାରୁ ୩-୦ ମିଳିବା ନିଶ୍ଚିତ ଅଛନ୍ତି। କିନ୍ତୁ ଶୃଙ୍ଖଳା ପକେଟସ୍ଥ କରିସାରିଥିବାରୁ ବାସିଲ ଥମ୍ପି, ଓ୍ଵାସିଂଟନ୍‌ ସୁନ୍ଦର ଏବଂ ଦୀପକ ହୁଦାଙ୍କ ଭଳି ସଂରକ୍ଷିତ ଖେଳାଳିଙ୍କ ମଧ୍ୟରୁ ଜଣଙ୍କୁ ସୁଯୋଗ ଦେବା କଥା ମଧ୍ୟ ବିଚାର କରାଯାଉଛି।
ସାମଗ୍ରିକ ଭାବେ ଦେଖିଲେ ଓ୍ଵାଙ୍ଖ୍‌ଡେ ପିଚ୍‌ ବ୍ୟାଟ୍‌ସମ୍ୟାନ୍‌ଙ୍କ ସପକ୍ଷରେ ରହିଛି। ୧୯୦ ରନ୍‌ ଏଠାରେ ସହଜ ହୋଇଥାଏ। ସେହି ଦୃଷ୍ଟିରୁ ଭାରତୀୟଙ୍କ ସାମ୍ପ୍ରତିକ ପ୍ରଦର୍ଶନ ଦେଖିଲେ ରବିବାର ମଧ୍ୟ ଆଉ ଏକ ରନ୍‌ ଭୋଜି ନଜରକୁ ଆସିବ।

ଭାରତ: ରୋହିତ ଶର୍ମା (ଅଧିନାୟକ), ମହେନ୍ଦ୍ର ସିଂହ ଧୋନି, ଲୋକେଶ ରାହୁଲ, ଶ୍ରେୟସ୍‌ ଆୟର, ମନୀଷ ପାଣ୍ଡେ, ଦୀନେଶ କାର୍ତିକ, ହାର୍ଦିକ ପାଣ୍ଡ୍ୟା, ୟୁଜବେନ୍ଦ ଚହଲ, କୁଲଦୀପ ଯାଦବ, ଯସପ୍ରୀତ ବୁମରା, ଜୟଦେବ ଉନାଦକଟ।

ଶ୍ରୀଲଙ୍କା: ତିସାରା ପେରେରା (ଅଧିନାୟକ), ଉପୁଲ ତରଙ୍ଗା,ଆଞ୍ଜେଲୋ ମାଥ୍ୟୁସ, କୁଶାଲ ପେରେରା, ନିରୋସାନ ଡିକେଓ୍ଵଲା, ଅକିଲା ଧନଞ୍ଜୟ, ବିଶ୍ୱ ଫର୍ନାଣ୍ଡୋ, ଦନୁଷ୍କା ଗୁଣତିଲକ, ଦୁଷ୍ମନ୍ତ ଚାମିରା, ନୂଆନ ପ୍ରଦୀପ, ଦାସୁନ ସନକା।

ସମ୍ବନ୍ଧିତ ଖବର