ଟାଟା ଷ୍ଟିଲ୍‌ ଭୁବନେଶ୍ବର ହାଫ୍‌ ମାରାଥନ୍‌ ଜାନୁଆରି ୧୩ରେ

ଡିସେମ୍ବର ୩୦ ପର୍ଯ୍ୟନ୍ତ ପଞ୍ଜୀକରଣ, ମୋଟ ପୁରସ୍କାର ରାଶି ୮.୬୪ ଲକ୍ଷ

ଭୁବନେଶ୍ବର: ସ୍ବାସ୍ଥ୍ୟ ହିଁ ସମ୍ପଦ। ନିଜକୁ ଫିଟ୍‌ ରଖିବା ପାଇଁ ଦୌଡ଼ିବାର ଆବଶ୍ୟକତା ରହିଥିଲା ବେଳେ ଏହି ବାର୍ତା ଲୋକମାନଙ୍କ ପାଖରେ ପହଞ୍ଚାଇବା ପ୍ରୟାସ କରି ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ସହଯୋଗରେ ଟାଟା ଷ୍ଟିଲ୍‌ ଆୟୋଜନ କରିଆସୁଛି ଭୁବନେଶ୍ବର ହାଫ୍‌ ମାରାଥନ୍‌। ପ୍ରତିବର୍ଷ ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ ଆୟୋଜିତ ହୋଇଆସୁଥିବା ଏହି ହାଫ୍‌ ମାରାଥନ୍‌ର ଚତୁର୍ଥ ସଂସ୍କରଣ ଆସନ୍ତାବର୍ଷ ଜାନୁଆରି ୧୩ ତାରିଖରେ ଅନୁଷ୍ଠିତ ହେବ। କଳିଙ୍ଗ ସ୍ପୋଟସ୍‌ କଂପ୍ଲେକ୍ସରୁ ଦୌଡ଼ ଆରମ୍ଭ ହେବ। ଏଥିପାଇଁ ଚଳିତ ଡିସେମ୍ବର ମାସ ୩୦ ତାରିଖ ପର୍ଯ୍ୟନ୍ତ ପଞ୍ଜିକରଣ ଖୋଲା ରହିବ। ମୋଟ ୫୦୦୦ ଅଂଶଗ୍ରହଣକାରୀଙ୍କୁ ଏହି ମାରାଥନ୍‌ରେ ଦୌଡ଼ିବାର ସୁଯୋଗ ମିଳିବ। ଅଫିସିଆଲ୍‌ ୱେବ୍‌ସାଇଟ୍‌ www.tatasteelbbsr-run.com ଜରିଆରେ ପଞ୍ଜୀକରଣ କରିପାରିବେ।

ତିନିଟି ବର୍ଗରେ ଅଂଶଗ୍ରହଣକାରୀ ଦୌଡ଼ିବେ। ୨୧ କିମି (ହାଫ୍‌ ମରାଥନ୍‌) ପାଇଁ ୧୮ ବର୍ଷରୁ ଉର୍ଦ୍ଧ୍ବ ଉଭୟ ପୁରୁଷ ଓ ମହିଳା, ୧୦ କିମି ପାଇଁ ୧୫ ବର୍ଷରୁ ଅଧିକ ଉଭୟ ବାଳକ ଓ ବାଳିକା ଏବଂ ୫ କିମି ପାଇଁ ୧୨ରୁ ୧୬ ବର୍ଷ ବୟସ ମଧ୍ୟରେ ଉଭୟ ବାଳକ ଓ ବାଳିକାମାନେ ଦୌଡ଼ିପାରିବେ। ଏହି ମାରାଥନ୍‌ ପାଇଁ ମୋଟ ପୁରସ୍କାର ରାଶି ୮.୬୪ ଲକ୍ଷ ରଖାଯାଇଛି। ହାଫ୍‌ ମାରାଥନ୍‌ରେ ପ୍ରଥମ ସ୍ଥାନ ଅକ୍ତିଆର କରିଥିବା ଉଭୟ ପୁରୁଷ ଓ ମହିଳା ପ୍ରତ୍ୟେକଙ୍କୁ ୧ ଲକ୍ଷ ଲେଖାଏଁ, ୧୦ କିମିରେ ପ୍ରଥମ ସ୍ଥାନ ହାସଲ କରିଥିବା ଉଭୟ ବାଳକ ଓ ବାଳିକାଙ୍କୁ ୫୧,୦୦୦ ଲେଖାଏଁ ଏବଂ ୫ କିମିରେ ପ୍ରଥମ ସ୍ଥାନ ପାଇଥିବା ଉଭୟ ବାଳକ ଓ ବାଳିକାଙ୍କୁ ୧୧,୦୦୦ ଲେଖାଏଁ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ। ତେବେ ଏଥିରେ ଭାଗନେବା ପାଇଁ ଆଗ୍ରହୀ ପ୍ରତିଯୋଗୀ ହାଫ୍‌ ମାରାଥନ୍‌ ପାଇଁ ୩୦୦, ୧୦ କିମି ପାଇଁ ୨୦୦ ଓ ୫ କିମି ପାଇଁ ୧୦୦ ଟଙ୍କା ଲେଖାଏଁ ପଞ୍ଜୀକରଣ ଶୁଳ୍କ ଦେବାକୁ ପଡ଼ିବ। ଏନେଇ ଶନିବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଅବସରରେ ମଧ୍ୟ ଅଫିସିଆଲ୍‌ ଟି-ସାର୍ଟ ଉନ୍ମୋଚନ ହୋଇଥିଲା। ସାମ୍ବାଦିକ ସମ୍ମିଳନୀରେ କ୍ରୀଡ଼ା ଓ ଯୁବ ସେବା ବିଭାଗ ଯୁଗ୍ମ ସଚିବ ମନୋଜ କୁମାର ପାଢୀ, ଟାଟା ଷ୍ଟିଲ୍‌ (କଞ୍ଚାମାଲ)ର ଉପସଭାପତି ଅରୁଣ ମିଶ୍ର, ଟାଟା ଷ୍ଟିଲ୍‌ର ମୁଖ୍ୟ ଆବାସିକ କାର୍ଯ୍ୟନିର୍ବାହୀ ଦେବାଶିଷ ଜେନା, ଓଡ଼ିଆ ଅଭିନେତ୍ରୀ ଅର୍ଚ୍ଚିତା ସାହୁ, ଏଭରେଷ୍ଟ ଆରୋହଣକାରୀ ସ୍ବର୍ଣ୍ଣଲତା ଦଳାଇ, ଅର୍ଜୁନ ପୁରସ୍କାରପ୍ରାପ୍ତ ବଗିଚା ସିଂହ (ଟାଟା ଷ୍ଟିଲ୍‌ ଦୌଡ଼କୁଦ ବରିଷ୍ଠ ପ୍ରଶିକ୍ଷକ) ଉପସ୍ଥିତ ରହି ଜର୍ସି ଉନ୍ମୋଚନ କରିବା ସହିତ ହାଫ୍‌ ମରାଥନ୍‌ ପ୍ରସ୍ତୁତି ସଂପର୍କରେ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର