ଟାଟା ଉତ୍କଳିକା କପ୍‌ ଫୁଟ୍‌ବଲ୍‌: ବିଜେତାକୁ ହରାଇ ଫାଇନାଲ୍‌ରେ ଫୁଲବାଣୀ

ଭୁବନେଶ୍ବର: ସହଜ ବିଜୟ ସହ ଫୁଲବାଣୀ ଏକାଦଶ ଏଠାରେ ଚାଲିଥିବା ୨୧ତମ ଟାଟା ଉତ୍କଳିକା କପ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତାର ଫାଇନାଲ୍‌ରେ ପହଞ୍ଚିଯାଇଛି। ୟୁନିଟ୍‌-୬ ଦୌଡ଼କୁଦ ସଂଘ ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାର ଶନିବାର ପ୍ରଥମ ସେମିଫାଇନାଲ୍‌ରେ ଏହି ଦଳ ୩-୦ ଗୋଲ୍‌ରେ ଗତ ଥରର ବିଜେତା ଫାଓ ଏକାଦଶକୁ ପରାସ୍ତ କରି ପ୍ରଥମ ଦଳ ଭାବେ ଫାଇନାଲ୍‌ ପ୍ରବେଶ କରିଛି। ରାହୁଲ ମୁଖୀ (୧୫ ଓ ୯୪ ମିନିଟ୍‌) ଏକାକି ଦୁଇଟି ଗୋଲ୍‌ କରିଥିଲା ‌ବେଳେ ଆଫ୍ରିଦି (୯୦ ମିନିଟ୍‌) ଗୋଟିଏ ଗୋଲ୍‌ କରି ବ୍ୟବଧାନ ବଢ଼ାଇଥିଲେ। ବିଜୟୀ ଦଳ ପ୍ରଥମାର୍ଧରେ ଗୋଟିଏ ଓ ଦ୍ବିତୀୟାର୍ଧରେ ଦୁଇଟି ଗୋଲ୍‌ ଲଦିଦେଇ ଗତଥର ବିଜେତା ଫାଓକୁ ବିଦାୟ ରାସ୍ତା ଦେଖାଇ ଦେଇଥିଲା। ବିଶୃଙ୍ଖଳିତ ପ୍ରଦର୍ଶନ ପାଇଁ ଏହି ମ୍ୟାଚ୍‌ରେ ଫାଓ ଦଳର ୨ ଜଣ (ଏସ୍‌ଏସ୍‌ ଆଲାମ, ମହମ୍ମଦ ଇମିତାଜ୍‌) ଏବଂ ଫୁଲ୍‌ବାଣୀ ଦଳର ଜଣେ (ନବିନ ସୋନା) ନାଲି କାର୍ଡ ପାଇଥିଲେ। ବିଜୟୀ ଦଳର ରାହୁଲ୍‌ ମୁଖୀଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଅତିଥି ତଥା ଫାଓ ଉପସଭାପତି ଭକ୍ତବଲ୍ଲଭ ଦାସ ପ୍ରଦାନ କରିଥିଲେ। କ୍ରୀଡ଼ା ସଂଗଠକ ଅନଙ୍ଗ ଦ୍ବିବେଦୀ, ଆ‌ୟାଜକ ସଂଘର ସଭାପତି ତପନ ମହାନ୍ତି, ନବରଞ୍ଜନ ପଟ୍ଟନୟକ, ଅମୀୟକାନ୍ତ ମିଶ୍ର, ନରେନ୍ଦ୍ର ସେଠୀ, ଅକ୍ଷୟ କୁମାର ଦାସ, ମାନସ ଚନ୍ଦ୍ର ସାମଲ ମଧ୍ୟାନ୍ତରରେ ଖେଳାଳିଙ୍କ ସହ ପରିଚିତ ହୋଇଥିଲେ। ମ୍ୟାଚ୍‌କୁ ପ୍ରଦୀପ ନାୟକ, ରାଜେନ୍ଦ୍ର ବାରିକ, ଶେଖାୱତ୍‌ ଖାନ୍‌ ଏବଂ ସୁଦୀପ ଦାସ ପରିଚାଳନା କରିଥିଲେ। ରବିବାର ଦ୍ବିତୀୟ ସେମିଫାଇନାଲ୍‌ରେ କଟକ ସାଇ ହଷ୍ଟେଲ୍‌ ଏବଂ ଟାଟା ଫୁଟ୍‌ବଲ୍‌ ଏକାଡେମି (ଜାମ୍‌ସେଦ୍‌ପୁର) ମୁହାଁମୁହିଁ ହେବେ।

ସମ୍ବନ୍ଧିତ ଖବର