ବିଜୟ ହଜାରେ ଟ୍ରଫି : ଜୟସ୍ୱାଲଙ୍କ ବିଶ୍ୱ କୀର୍ତ୍ତିମାନ, ଲିଷ୍ଟ-ଏ’ ଦ୍ୱିଶତକ ହାସଲରେ ସର୍ବକନିଷ୍ଠ

ବେଙ୍ଗାଲୁରୁ : ଚଳିତ ବିଜୟ ହଜାରେ ଟ୍ରଫିରେ ରବିବାର କେରଳ ୱିକେଟ୍‌ରକ୍ଷକ ସଞ୍ଜୁ ସାମ୍‌ସନ୍‌ ଦ୍ରୁତତମ ଦ୍ବିଶତକ ହାସଲ କରିଥିଲା ବେଳେ ବୁଧବାର ମୁମ୍ବାଇ ଯୁବ ତାରକା ଯଶସ୍ବୀ ଜୟସ୍ବାଲ ଦ୍ବିଶତକ ଜମାଇଛନ୍ତି। ସଞ୍ଜୁ ସାମ୍‌ସନ୍‌ ଗୋଆ ବିପକ୍ଷ ମ୍ୟାଚ୍‌‌ରେ ୧୨୯ ବଲ୍‌ରୁ ଅପରାଜିତ ୨୧୨ ରନ୍‌ କରି ଲିଷ୍ଟ-ଏ କ୍ରିକେଟ୍‌ରେ ଷଷ୍ଠ ଭାରତୀୟ ବ୍ୟାଟ୍‌ସମ୍ୟାନ୍‌ ହୋଇଥିଲେ। ହେଲେ ବୁଧବାର ଝାଡ଼ଖଣ୍ଡ ବିପକ୍ଷ ମ୍ୟାଚ୍‌ରେ ୧୭ ବର୍ଷ ବୟସ୍କ ଜୟସ୍ବାଲ ୧୫୪ ବଲ୍‌ରୁ ୨୦୩ ରନ୍‌ କରି ଲିଷ୍ଟ-ଏ କ୍ରିକେଟ୍‌ରେ ବିଶ୍ବ କୀର୍ତ୍ତିମାନ ପ୍ରତିଷ୍ଠା କରିଛନ୍ତି। ଲିଷ୍ଟ-ଏ କ୍ରିକେଟ୍‌ (ଦିନିକିଆ ସମେତ)ରେ ଦ୍ବିଶତକ ଜମାଇବାରେ ସର୍ବକନିଷ୍ଠ ବ୍ୟାଟ୍‌ସମ୍ୟାନ୍‌ ହେବାର କୀର୍ତ୍ତି ପାଇଛନ୍ତି ଜୟସ୍ବାଲ। ଏହା ପୁର୍ବରୁ କୌଣସି ଲିଷ୍ଟ-ଏ ଏବଂ ଦିନିକିଆ ଆନ୍ତର୍ଜାତିକରେ ସର୍ବକନିଷ୍ଠ ବ୍ୟାଟ୍‌ସମ୍ୟାନ୍‌ ଭାବେ ଦ୍ବିଶତକ ଜମାଇବାର କୀର୍ତ୍ତିମାନ ଦକ୍ଷିଣ ଆଫ୍ରିକାର ଆଲାନ୍‌ ବାରୋଙ୍କ ନାମରେ ଥିଲା। ୧୯୭୫ ମସିହାରେ ବାରୋ ୨୦ ବର୍ଷ ୨୭୩ ଦିନ ବୟସରେ ଦକ୍ଷିଣ ଆଫ୍ରିକାର ଘରୋଇ କ୍ରିକେଟ୍‌ରେ ଏଭଳି କୀର୍ତ୍ତିମାନ ପାଇଥିଲା ବେଳେ ଜୟସ୍ବାଲ (୧୭ ବର୍ଷ ୨୯୨ ଦିନ ବୟସ) ଏହାକୁ ଟପି ଯାଇଛନ୍ତି।

ଚଳିତ ବର୍ଷ ବିଜୟ ହଜାରେ ଟ୍ରଫିରେ ପଦାର୍ପଣ କରିଥିବା ଏହି ମୁମ୍ବାଇ ଯୁବକ ଭାରତୀୟ ଦଳରୁ ବାହାରେ ରହିଥିବା ବରୁଣ ଆରୋନ୍‌ ଓ ସାହବାଜ୍‌ ନଦୀମ୍‌ଙ୍କ ଭଳି ଦୁଇ ଦ୍ରୁତ ବୋଲର ସାମିଲ ଥିବା ଝାଡ଼ଖଣ୍ଡ ବିପକ୍ଷରେ ଦମ୍‌ଦାର ବ୍ୟାଟିଂ କରିଥିଲେ। ତାଙ୍କ କୀର୍ତ୍ତିମାନଭରା ଦ୍ବିଶତକୀୟ ପାଳି ମଧ୍ୟରେ ଜୟସ୍ବାଲ ୧୨ ଛକା ଓ ୧୭ ଚୌକା ମାରିଥିଲେ। ଏଥି ସହିତ ଜୟସ୍ବାଲ ଲିଷ୍ଟ-ଏ କ୍ରିକେଟ୍‌ରେ ଦ୍ବିଶତକ ହାସଲ କରିବାରେ ସପ୍ତମ ଭାରତୀୟ ହୋଇଛନ୍ତି। ତାଙ୍କ ପୂର୍ବରୁ ସଞ୍ଜୁ ସାମ୍‌ସନ୍‌ ଷଷ୍ଠ ଭାରତୀୟ ହୋଇଥିଲା ବେଳେ ସଚିନ୍‌ ତେନ୍ଦୁଲକର, ବୀରେନ୍ଦ୍ର ସେହବାଗ, ରୋହିତ ଶର୍ମା, ଶିଖର ଧାୱନ୍‌ ଓ କର୍ନ ବୀର କୌଶଲ ଏହି କ୍ଲବ୍‌ର ସଦସ୍ୟ ଥିଲେ। ସେମାନଙ୍କ ମଧ୍ୟରୁ ସଚିନ୍‌, ସେହବାଗ୍‌ ଓ ରୋହିତ (୩ ଥର) ଦିନିକିଆ ଆନ୍ତର୍ଜାତିକରେ ଦ୍ବିଶତକ ଜମାଇଥିଲା ବେଳେ ଧାୱନ୍‌ ଦକ୍ଷିଣ ଆଫ୍ରିକା-ଏ ଦଳ ବିପକ୍ଷ ଏକ ଅଭ୍ୟାସ ମ୍ୟାଚ୍‌ରେ ଦ୍ବିଶତକ ମାରିଥିଲେ।

ବୁଧବାର ଜୟସ୍ବାଲଙ୍କ ଦ୍ବିଶତକୀୟ ପାଳି ବଳରେ ମୁ୍‌ମ୍ବାଇ ୩୫୮/୩ର ବଡ଼ ସ୍କୋର୍‌ ଛିଡ଼ା କରିଥିଲା। ଜବାବରେ ଝାଡ଼ଖଣ୍ଡ ବିରାଟ ସିଂହ (୧୦୦)ଙ୍କ ଶତକ ସତ୍ତ୍ବେ ୩୧୯ରେ ସମସ୍ତ ୱିକେଟ୍‌ ହରାଇ ୩୯ ରନ୍‌ରେ ହାରି ଯାଇଥିଲା। ଏହି ମ୍ୟାଚ୍‌ ପୂର୍ବରୁ ଜୟସ୍ବାଲ ମଧ୍ୟ ଚଳିତ ପ୍ରତିଯୋଗିତାରେ କେରଳ ଓ ଗୋଆ ବିପକ୍ଷରେ ଶତକ ଜମାଇଛନ୍ତି। କେରଳ ବିପକ୍ଷରେ ୧୧୩ ଓ ଗୋଆ ବିପକ୍ଷରେ ୧୨୨ ରନ୍‌ କରିଥିବା ଜୟସ୍ବାଲ ଚଳିତ ପ୍ରତିଯୋଗିତାରେ ବ୍ୟକ୍ତିଗତ ତୃତୀୟ ଶତକ ହାଲ କରି ପୂରା ଫର୍ମରେ ରହିଛନ୍ତି। ଛାଡ଼ଖଣ୍ଡ ବିପକ୍ଷ ୨୦୩ ରନ୍‌ ଲିଷ୍ଟ-ଏରେ ଜୟସ୍ବାଲ୍‌ଙ୍କ ପ୍ରଥମ ଦ୍ବିଶତକ।

ସମ୍ବନ୍ଧିତ ଖବର