ସଚିନଙ୍କ ପ୍ରଥମ ରଣଜୀ ଶୂନ, କୈଫଙ୍କୁ ଶ୍ରେୟ ଦେଲେ ଭୁବି

ନୂଆଦିଲ୍ଲୀ: ଦେଶର ଅନ୍ୟତମ ଶ୍ରେଷ୍ଠ ଦ୍ରୁତ ବୋଲର ଭୁବନେଶ୍ବର କୁମାର ମଧ୍ୟ ନିଜର ପୁରୁଣା ସ୍ମୃତିକୁ ଭୁଲିନାହାନ୍ତି। କିଂବଦନ୍ତି ବ୍ୟାଟ୍‌ସମ୍ୟାନ୍‌ ସଚିନ ତେନ୍ଦୁଲକରଙ୍କ ୱିକେଟ୍ ଦଖଲର ମୁହୂର୍ତ୍ତକୁ କିଭଳି ବା ଭୁଲିଥାଆନ୍ତେ। ନିଜର ଜାଜୁଲ୍ୟମାନ କ୍ରିକେଟ୍ ଜୀବନରେ ସଚିନ ତେନ୍ଦୁଲକର ଥରେ ମାତ୍ର ରଣଜୀ ଟ୍ରଫିରେ ଶୂନରେ ଆଉଟ୍ ହୋଇଥିଲେ। ୨୦୦୮-୦୯ ଋତୁରେ ଉତ୍ତର ପ୍ରଦେଶ ବିପକ୍ଷ ମ୍ୟାଚ୍‌ରେ ହିଁ ସଚିନ ଏହି ଆଲୋଡ଼ା ମୁହୂର୍ତର ସମ୍ମୁଖୀନ ହୋଇଥିଲେ। କିନ୍ତୁ ତାଙ୍କ ୱିକେଟ୍ ଦଖଲ କରିଥିବା ବୋଲର ଜଣଙ୍କ ପରବର୍ତୀ ସମୟରେ ବଡ଼ ଖେଳାଳି ହେବାର ହକ୍‌ ଦେଖାଇଛନ୍ତି। ସଚିନଙ୍କୁ ସେଦିନ ଆଉଟ୍ କରିଥିଲେ ୧୯ ବର୍ଷୀୟ ଭୁବନେଶ୍ବର କୁମାର।

ଏହାର ୪ ବର୍ଷ ପରେ ଭୁବନେଶ୍ବର କୁମାର ନିଜର ଦିନିକିଆ ପଦାର୍ପଣର ପ୍ରଥମ ମ୍ୟାଚ୍‌ ପ୍ରଥମ ବଲ୍‌ରେ ପାକିସ୍ତାନର ମହମ୍ମଦ ହାଫିଜ୍‌ଙ୍କ ୱିକେଟ୍ ନେଇଥିଲେ। କିନ୍ତୁ ସଚିନଙ୍କ ୱିକେଟ୍ ଦଖଲ ପାଇଁ ଭୁବନେଶ୍ବର କୁମାର ସାଥୀ ଖେଳାଳି ମହମ୍ମଦ କୈଫଙ୍କୁ ଶ୍ରେୟ ଦିଅନ୍ତି। ‘ସଚିନଙ୍କ ୱିକେଟ୍ କଥା ଆସିଲେ ମୁଁ ନିଜକୁ ଭାଗ୍ୟବାନ ମଣିଥିଲି। ସଚିନ ଯେଉଁଠାରେ ଆଉଟ୍ ହୋଇଥିଲେ ସେଇଟା ସର୍ଟ ଲେଗ୍‌ ନ ଥିଲା କି ମିଡ୍‌ ୱିକେଟ୍‌ ବି ନଥିଲା। ତେଣୁ ମୁଁ ମୋ ଅଧିନାୟକ ମହମ୍ମଦ‌ କୈଫଙ୍କୁ ସବୁ ଶ୍ରେୟ ଦେବି। ସେ ହିଁ ପଡିଆ ସଜାଇଥିଲେ, ମୁଁ କେବଳ ଇନ୍‌ସୁଇଙ୍ଗର୍ ବୋଲିଂ କରିଥିଲି। ସଚିନଙ୍କ ୱିକେଟ୍ ମିଳିଯାଇଥିଲା’ ବୋଲି ଭୁବି କହିଛନ୍ତି। ଭାରତୀୟ ମହିଳା କ୍ରିକେଟ୍ ଦଳର ଦୁଇ ତାରକା ସଦସ୍ୟା ସ୍ମୃତି ମନ୍ଧାନା ଏବଂ ଜେମିମା ରଡ୍ରିଗ୍ବେଜଙ୍କୁ ନେଇ ଅୟୋଜିତ ୟୁଟ୍ୟୁବ କାର୍ଯ୍ୟକ୍ରମ ଡବଲ୍ ଟ୍ରବୁଲ୍‌ ଚାଟ୍ ସୋ’ରେ ଭାଗ ନେଇ ଭୁବନେଶ୍ବର କୁମାର ଏଭଳି କହିଛନ୍ତି। ସଚିନ ଓ ହାଫିଜଙ୍କ ୱିକେଟ୍‌ରୁ ପ୍ରେରଣା ପାଇଥିବା ଭୁବନେଶ୍ବର କୁମାର ଅଦ୍ୟାବଧି ଭାରତ ପାଇଁ ୨୧ ଟେଷ୍ଟ୍ ଓ ୧୧୪ ଦିନିକିଆ ଖେଳି ଯଥାକ୍ରମେ ୬୩ ଓ ୧୩୨ ୱିକେଟ୍ ନେଇ ସାରିଛନ୍ତି।

ସମ୍ବନ୍ଧିତ ଖବର