କଳିଙ୍ଗରେ ପୁଣି ଟେନିସ୍‌ ବିବାଦ:ଦେୟ ବୃଦ୍ଧିକୁ ନେଇ ତୀବ୍ର ଅସନ୍ତୋଷ

ଭୁବନେଶ୍ବର: କଳିଙ୍ଗରେ ପୁଣି ଥରେ ଦେଖାଦେଇଛି ଟେନିସ ବିବାଦ। ‌ଓଡ଼ିଶା ଟେନିସ୍‌ ସଂଘ (ଓଟିଏ)ର ମାସିକିଆ ଦେୟ ବୃଦ୍ଧିକୁ ନେଇ ଏବେ ପ୍ରଶିକ୍ଷାର୍ଥୀଙ୍କ ‌ଅଭିଭାବକ ମଧ୍ୟରେ ଦେଖାଦେଇଛି ତୀବ୍ର ଅସନ୍ତୋଷ। ଏହାକୁ ବିରୋଧ କରି ‌ଖେଳାଳିଙ୍କ ଅଭିଭାବକମାନେ ଗତ ରବିବାର କଳିଙ୍ଗ ଷ୍ଟାଡିୟମଠାରେ ଥିବା ସଂଘ କାର୍ଯ୍ୟାଳୟ ସମ୍ମୁଖରେ ବି‌କ୍ଷୋଭ ପ୍ରଦର୍ଶନ କରିଥିଲେ।
ଟେନିସ୍‌ର ମାନ ବୃଦ୍ଧି ଲାଗି ଓଡ଼ିଶା ସରକାରଙ୍କ ସହ ଚୁକ୍ତି କରି ଓଟିଏ ଗତ ସେପ୍ଟେମ୍ବର ୧୮ ତାରିଖରେ ପ୍ରଶିକ୍ଷଣ ଦାୟିତ୍ବ ନେଇଥିଲା। ଦାୟିତ୍ବ ନେଉ ନେଉ ସଂଘ ଖେଳାଳିମାନଙ୍କ ଉପରେ ମାସିକିଆ ଦେୟରେ ୫୦୦ ଟଙ୍କା ବୃଦ୍ଧି କରିଥିଲା। ସରକାରଙ୍କ ଅଧୀନରେ ପ୍ରଶିକ୍ଷଣ ଦାୟିତ୍ବ ଥିଲା ବେଳେ ୯ ବର୍ଷରୁ କମ୍‌ ଓ ଅଧିକ ବର୍ଗ ପାଇଁ ୨୦୦୦ ଟଙ୍କା ଏବଂ ପ୍ରମୁଖ ଖେଳାଳିଙ୍କଠୁ ମାସକୁ ୫୦୦୦ ଟଙ୍କା ମାସିକ ଦେୟ ଆଦାୟ ହେଉଥିଲା। ସଂଘ ଦାୟିତ୍ବ ନେ‌ଲା ପରେ କେବଳ ୯ ବର୍ଷରୁ କମ୍‌ ବର୍ଗକୁ ଛାଡ଼ି ଅନ୍ୟ ଦୁଇ ବର୍ଗରେ ୫୦୦ ଟଙ୍କା ବଢ଼ାଇ ଯଥାକ୍ରମେ ୨୫୦୦ ଓ ୫୫୦୦ ଟଙ୍କା କରିଥିଲା। ସେହି ସମୟରେ ସଂଘ ପ୍ରଶିକ୍ଷକଙ୍କୁ ୮୦ ଓ ଅନ୍ୟ ଆନୁସଂଗିକ ଖର୍ଚ ପାଇଁ ୨୦ ପ୍ରତିଶତ ରଖିଥିଲା। ସଂପ୍ରତି ଏଥିରେ ପରିବର୍ତନ କରି ପ୍ରଶିକ୍ଷଣ ପାଇଁ ୭୦ ଏବଂ ଆନୁସଂଗିକ ପାଇଁ ୩୦ ପ୍ରତିଶତ କରିଛି। ଗତ ମାସ ୨୬ ତାରିଖରେ ସଂଘ ଏପ୍ରିଲ ମାସରୁ କେବଳ ୯ ବର୍ଷରୁ ଅଧିକ ବର୍ଗରେ ୫୦୦ ଟଙ୍କା ବୃଦ୍ଧି କରି ୩୦୦୦ ଟଙ୍କା କରିବା ଲାଗି ‌ନୋଟିସ କରିଥି‌ଲା। ଏହି ଲଗାତାର ଦେୟ ବୃଦ୍ଧି ସାଙ୍ଗକୁ ବିଭିନ୍ନ ସମସ୍ୟା ନେଇ ଅଭିଭାବକମାନେ ସଂଘ ସିଇଓ ବିଜୟ କୃଷ୍ଣ ଦାସଙ୍କୁ ଅନେକ ଥର ‌ଭେଟିଥିଲେ ମଧ୍ୟ କୌଣସି ସୁଫଳ ପାଇନଥିଲେ। ଫଳରେ ରବିବାର ଏକାଠି ହୋଇ କାର୍ଯ୍ୟାଳୟ ଅଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ମାସିକିଆ ଦେୟ କମାଇବା, ଛୋଟ ପିଲାଙ୍କ ପାଇଁ କ୍ଲେ କୋର୍ଟ ‌ଖୋ‌ଲା ରଖିବା, ଓଟିଏ-ସରକାରଙ୍କ ମଧ୍ୟ‌ରେ ହୋଇଥିବା ଚୁକ୍ତି ରଦ୍ଦ କରିବା, ସରକାର ନୂଆ ପ୍ରଶିକ୍ଷକ ନିଯୁକ୍ତ କରିବା ସହ କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା ଅନ୍ୟ କ୍ରୀଡ଼ା ଭଳି ମାଗଣା ପ୍ରଶିକ୍ଷଣ ପ୍ରଦାନ, ଉଦୀୟମାନ ଖେଳାଳିଙ୍କୁ ସରକାରୀ ସହାୟତା, ‌ଟେନିସ ପ୍ରତିଯୋଗିତା ସମୟରେ ପ୍ରଶିକ୍ଷଣ ପାଇଁ ବିକଳ୍ପ ବ୍ୟବସ୍ଥା ଏବଂ ଫ୍ଲଡ୍‌ ଲାଇଟ୍‌ ସୁବିଧା ପ୍ରଦାନ କରିବା ନେଇ ଦାବି ରଖିଥିଲେ। ଏଥିସହ ସମାଧାନ ନହେ‌ଲା ପର୍ଯ୍ୟନ୍ତ ଦେୟ ପ୍ରଦାନ ନକରିବା ଲାଗି ଅଭିଭାବକମାନେ ନିଷ୍ପତ୍ତି ନେଇଛନ୍ତି।
ଅନ୍ୟପକ୍ଷରେ ଏହାକୁ ନେଇ ଓଟିଏର ସିଇଓ କହିଛନ୍ତି, ଖର୍ଚ ବୃଦ୍ଧି ହେବାରୁ ଆମେ ଦେୟ ବଢ଼ାଇଛୁ। ପୂର୍ବ ଅପେକ୍ଷା ଜଣେ ଲେଖାଏଁ ପ୍ରଶିକ୍ଷକ ଏବଂ ଫିଜିଓ ମଧ୍ୟ ନିଯୁକ୍ତି କରିଛୁ। ପାନୀୟ ଜଳର ବ୍ୟବସ୍ଥା ସହ ଖେଳାଳିମାନଙ୍କୁ ନୂଆ ବଲ୍‌, ଟି ସାର୍ଟ ଏବଂ ପରିଚୟ ପତ୍ର ଦିଆଯିବ। ପ୍ରତି ଦୁଇମାସ ଅନ୍ତରରେ ଆମେ ବାହାରୁ ପ୍ରଶିକ୍ଷକ ଆଣି ସ୍ବତନ୍ତ୍ର ପ୍ରଶିକ୍ଷଣ ଶିବିର ଆୟୋଜନ ବ୍ୟତୀତ ବିଭିନ୍ନ ପ୍ରତି‌ଯୋଗିତା ଆୟୋଜନ କରୁଛୁ। ଏହି ସବୁ କରିବା ଦ୍ବାରା ଖର୍ଚ ବଢ଼ୁଛି ବୋଲି ସିଇଓ ଶ୍ରୀ ଦାସ କହିଛନ୍ତି। କିନ୍ତୁ ଏସବୁ ସୁବିଧା ଏ ପର୍ଯ୍ୟନ୍ତ ଖେଳାଳିମାନଙ୍କୁ ମିଳୁନଥିବା ଅଭିଭାବକମାନେ ଅଭିଯୋଗ କରି ଆସୁଛନ୍ତି।

ସମ୍ବନ୍ଧିତ ଖବର