ପେସ୍‌ ଆଉ ବ‌ର୍ଷେ ଖେଳିପାରିବେ: ଭୂପତି

ବାଙ୍ଗାଲୋର୍‌: ଟେନିସ୍ କିଂବଦନ୍ତି ଲିଆଣ୍ଡର୍‌ ପେସ୍‌ ଏବେ ବି ଭଲ ଖେଳୁଛନ୍ତି ଏବଂ ଆହୁରି ଗୋଟିଏ ବର୍ଷ ଖେଳିପାରିବେ ବୋଲି କହିଛନ୍ତି ତାଙ୍କ ପୂର୍ବତନ ଗ୍ରାଣ୍ଡ୍‌ ସ୍ଳାମ୍ ବିଜେତା ସାଥୀ ମହେଶ ଭୂପତି। ବେଙ୍ଗାଲୁରୁ ଓପନ୍‌ରେ ଲିଆଣ୍ଡର୍‌ ଶନିବାର ଉପବିଜେତା ହେବା ପରେ ଭୂପତି ଏହା ପ୍ରକାଶ କରିଛନ୍ତି। ଟେନିସ୍‌ରେ ଦେଶର ଏହି ଏକମାତ୍ର ଅଲିମ୍ପିକ୍ସ ପଦକ ବିଜେତାଙ୍କୁ ଭୂପତି ‘ଶେଷ ଗର୍ଜନ’ର ଆଖ୍ୟା ଦେଇଥିଲେ। ୪୬ ବର୍ଷୀୟ ଲିଆଣ୍ଡର୍‌ ଚଳିତ ବର୍ଷ ଅବସର ନେବେ ବୋଲି ଘୋଷଣା କରି ସାରିଛନ୍ତି। ଭୂପତିଙ୍କ ବିଶ୍ବାସ ଲିଆଣ୍ଡର୍‌ ଯେଭଳି ଖେଳୁଛନ୍ତି ଆଉ‌ ଗୋଟିଏ ବର୍ଷ ଆରାମରେ ଖେଳିପାରିବେ। ଲିଆଣ୍ଡରଙ୍କୁ ଟୋକିଓ ଟିକେଟ୍‌ ସହିତ ଅଷ୍ଟମ ଅଲିମ୍ପିକ୍ସ ସୁଯୋଗ ମିଳିବା ସମ୍ପର୍କରେ ପ୍ରଶ୍ନ ହେବାରୁ ଭୂପତି କହିଥିଲେ ‘୪/୫ ଜଣ ଦୌଡ଼ରେ ରହିଛନ୍ତି, ଜୁନ୍‌ ମାସର ଶେଷ ତାରିଖ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ’।

ଦେଶକୁ ଏକାଧିକ ମହାନ ଟେନିସ୍‌‌ ଖେଳାଳି ପ୍ରଦାନ କରିଥିବା କୋଲ୍‌କାତା ସାଉଥ୍ କ୍ଲବ୍‌ର ଶତବାର୍ଷିକୀ ଉତ୍ସବ ଲାଗି ଭୂପତି ଏବେ କୋଲ୍‌କାତାରେ ଅଛନ୍ତି। ବାପପୁଅ ଯୋଡ଼ି ରାମନାଥନ୍‌ କ୍ରିଷ୍ଣନ-ରମେଶ କ୍ରିଷ୍ଣନ୍‌ଙ୍କ ସହିତ ନରେଶ କୁମାର, ଆନନ୍ଦ ଅମୃତରାଜ ଏବଂ କ୍ଲବ୍‌ ସଭାପତି ଜୟଦୀପ ମୁଖାର୍ଜୀ ମଧ୍ୟ ରହିଛନ୍ତି। ମୁଖାର୍ଜୀଙ୍କ ନେତୃତ୍ବାଧୀନ ଦଳରେ ମହେଶ ଭୂପତି ୧୯୯୫ ମସିହାରେ କୋଲକାତାରେ ପଦାର୍ପଣ କରିଥିଲେ। ନିଜ ସ୍ମୃତି ‌ମନେ ପକାଇ ଭୂପତି କହିଥିଲେ, ‘ଏହ‌ି କ୍ଲବ୍‌ ଦେଶର ଶ୍ରେଷ୍ଠ’। ଭାରତୀୟ ଟେନିସ୍‌ର ଭବିଷ୍ୟତକୁ ନେଇ କିନ୍ତୁ ଭୂପତି ଆଶଙ୍କା ପ୍ରକଟ କରିଛନ୍ତି। କର୍ପୋରେଟ୍‌ ନିକଟରୁ ସ୍ବଳ୍ପ ସମର୍ଥନ ମିଳୁଥିବାରୁ ଅଲିମ୍ପିକ୍ସ ଗୌରବ ଆଣିବା କଷ୍ଟକର ବ୍ୟାପାର। ଦୁର୍ଭାଗ୍ୟଜନକ କଥା ଆମର ସେଭଳି ଦୃଢ଼ ଅର୍ଥନୀତି ନାହିଁ। ଆମ ପାଖରେ ବହୁ ପ୍ରତିଭାଧାରି କନିଷ୍ଠ ଖେଳାଳି ରହିଛନ୍ତି, କିନ୍ତୁ ଉପଯୁକ୍ତ ବ୍ୟବସ୍ଥା କି କର୍ପୋରେଟ୍‌ ସମର୍ଥନ ନାହିଁ। ବଂଧୁକଚାଳନା ଏବଂ ମୁଷ୍ଟିଯୁଦ୍ଧ ଭଳି ଖେଳରେ ଅଲିମ୍ପିକ୍ସରେ ବିବିଧ ପଦକ ରହିଛି, କିନ୍ତୁ ଟେନିସ୍‌ରେ ସେଭଳି ନାହିଁ ବୋଲି ଭୂପତି ମଧ୍ୟ ପରୋକ୍ଷ ଇଙ୍ଗିତ ଦେଇଥିଲେ। ସୂଚନାଯୋଗ୍ୟ, ଲିଆଣ୍ଡରଙ୍କ ଅନ୍ୟତମ ସଫଳ ପୁରୁଷ ଯୁଗଳ ଯୋଡ଼ି ଭୂପତି ନିଜ ଖେଳ ଜୀବନରେ ୮ଟି ମିଶ୍ରିତ ଏବଂ ୪ଟି ପୁରୁଷ ଯୁଗଳ ପ୍ରମୁଖ ଟ୍ରଫି ଜିତିଥିଲେ।

ସମ୍ବନ୍ଧିତ ଖବର