ଆତଙ୍କବାଦୀ ଆକ୍ରମଣ ଓ କ୍ରିକେଟ୍‌

ଖ୍ରୀଷ୍ଟଚର୍ଚ୍ଚ: ଶୁକ୍ରବାର ଖ୍ରୀଷ୍ଟଚର୍ଚ୍ଚରେ ଆତଙ୍କବା‌ଦୀ ଆକ୍ରମଣ ଯୋଗୁଁ ନ୍ୟୁଜିଲାଣ୍ଡ୍‌ ଓ ବାଂଲାଦେଶ ତୃତୀୟ ତଥା ଅନ୍ତିମ ଟେଷ୍ଟ୍‌ ବାତିଲ ହୋଇଯାଇଛି। ଏଥି ସହିତ ବାଂଲାଦେଶର ନ୍ୟୁଜିଲାଣ୍ଡ୍‌ ଗସ୍ତ ମଧ୍ୟ ଶେଷ ହୋଇଯାଇଛି। ଏହି ଟେଷ୍ଟ୍‌ ଶନିବାରଠୁ ସ୍ଥାନୀୟ ହଗ୍‌ଲେ ଓଭାଲ୍‌ରେ ଖେଳାଯିବାର ଥିଲା। ‌ଆତଙ୍କବାଦୀ ଆକ୍ରମଣ ପରିପ୍ରେକ୍ଷୀରେ କ୍ରିକେଟ୍‌ ପ୍ରଭାବିତ ହେବା ଏହା ପ୍ରଥମ ଘଟଣା ନଥିଲା। ଏହା ପୂର୍ବରୁ ମଧ୍ୟ ଅନେକ ଆନ୍ତର୍ଜାତିକ କ୍ରିକେଟ୍‌ ପ୍ରଭାବିତ ହୋଇଛି। ‌ସେଭଳି କିଛି ଘଟଣାକ୍ରମ ଏଠାରେ ଉଲ୍ଲେଖ କରାଯାଉଛି।
୧୯୮୭: କଲମ୍ବୋରେ ନ୍ୟୁଜିଲାଣ୍ଡ୍‌ ହୋଟେଲ ବାହାରେ ବିସ୍ଫୋରଣ
୧୯୮୭ ମସିହାରେ ନ୍ୟୁଜିଲାଣ୍ଡ୍‌ ଦଳର ଶ୍ରୀଲଙ୍କା ଗସ୍ତ ବେଳେ ବୋମା ବିସ୍ଫୋରଣ ଯୋଗୁଁ ଶୃଙ୍ଖଳା ବାତିଲ ହୋଇଥିଲା। ଉଭୟ ଦଳ ପ୍ରଥମ ଟେଷ୍ଟ୍‌ ଖେଳିସାରିଥିଲେ। ଆଉ ଦୁଇଟି ଟେଷ୍ଟ୍‌ ବାକିଥିଲା। ହେଲେ କଲମ୍ବୋରେ ନ୍ୟୁଜିଲାଣ୍ଡ୍‌ ଦଳ ଅବସ୍ଥାନ କରୁଥିବା ଏକ ହୋଟେଲ ବାହାରେ ଅଚାନକ ବୋମା ବିସ୍ଫୋରଣ ହୋଇଥିଲା। ବିଚ୍ଛନ୍ନତାବାଦୀଙ୍କ ଦ୍ବାରା ଘଟାଯାଇଥିବା ଏହି ବିସ୍ଫୋରଣରେ ୧୧୩ ଜଣ ନାଗରିକ ମୃତ୍ୟୁ ବରଣ କରିଥିଲେ। ଫଳରେ ସେହିଠାରୁ ହିଁ ନ୍ୟୁଜିଲାଣ୍ଡ୍‌ ଗସ୍ତ ବାତିଲ ହୋଇଯାଇଥିଲା।
୨୦୦୨: କରାଚୀରେ ନ୍ୟୁଜିଲାଣ୍ଡ୍‌ ହୋଟେଲ ନିକଟରେ ବିସ୍ଫୋରଣ
୨୦୦୨ ମସିହାରେ ନ୍ୟୁଜିଲାଣ୍ଡ୍‌ ଦଳ ପାକିସ୍ତାନ ଗସ୍ତ କରିଥିଲା। ସେତେବେଳେ ନ୍ୟୁଜିଲାଣ୍ଡ୍‌ ରହୁଥିବା କରାଚୀର ଏକ ହୋଟେଲ ବାହାରେ ବୋମା ବିସ୍ଫୋରଣ ଘଟିଥିଲା। ସେଥିରେ ୧୨ ଲୋକଙ୍କ ପ୍ରାଣହାନୀ ଘଟିଥିଲା। ଅବଶ୍ୟ ଖେଳାଳିମାନେ ଅକ୍ଷତ ରହିଥିଲେ। ତଥାପି ନ୍ୟୁଜିଲାଣ୍ଡ୍‌ କ୍ରିକେଟ୍‌ ବୋର୍ଡ ଗସ୍ତ ବାତିଲ କରି ଦଳକୁ ସ୍ବଦେଶ ଫେରାଇ ନେଇଥିଲା। ଏହାର ଗୋଟିଏ ବର୍ଷ ପୂର୍ବରୁ ସେହି ନ୍ୟୁଜିଲାଣ୍ଡ୍‌ ଦଳ ପାକିସ୍ତାନ ଗସ୍ତ କରୁଥିଲା ବେଳେ ଆମେରିକା ଉପରେ ୯/୧୧ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ସେହି ଘଟଣାକୁ ନେଇ ନ୍ୟୁଜିଲାଣ୍ଡ୍‌-ପାକିସ୍ତାନ ଶୃଙ୍ଖଳା ମଧ୍ୟ ବାତିଲ ହୋଇଯାଇଥିଲା।
୨୦୦୮: ମୁମ୍ବାଇ ଆକ୍ରମଣ; ଇଂଲଣ୍ଡ ଫେରିଗଲା
୨୦୦୮ ନଭେମ୍ବର ୨୬ ତାରିଖରେ ଆତଙ୍କବାଦୀମାନେ ଭାରତରେ ଘଟାଇଥିଲେ ବଡ଼ ଧରଣର ଆକ୍ରମଣ। ମୁମ୍ବାଇରେ ଏହି ତାଣ୍ଡବଲୀଳା ଘଟିଥିଲା। ସେତେବେଳେ ଇଂଲଣ୍ଡ କ୍ରିକେଟ୍‌ ଦଳ ଭାରତ ଗସ୍ତରେ ଥିଲା। ମୁମ୍ବାଇରେ ଦିନିକିଆ ଶୃଙ୍ଖଳାର ପଞ୍ଚମ ମ୍ୟାଚ୍‌ ଖେଳାଯିବାକୁ ଥିଲା। ନୂଆକରି ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବରେ ଭାରତୀୟ ଦଳ ଏହା ପୂର୍ବରୁ ଅଷ୍ଟ୍ରେଲିଆରେ ସିବି ସିରିଜ୍‌ ଜିତିଥିଲା ବେଳେ ଇଂଲଣ୍ଡ ବିପକ୍ଷରେ ମଧ୍ୟ ଦିନିକିଆ ଶୃଙ୍ଖଳା ଜିତିଥିଲା। ମୁମ୍ବାଇ ମ୍ୟାଚ୍‌ରେ ବୀରେନ୍ଦ୍ର ସେହବାଗ୍‌ଙ୍କ ୭୩ ବଲ୍‌ରୁ ୯୧ ସାଙ୍ଗକୁ ସଚିନ୍‌ ତେନ୍ଦୁଲକର, ଧୋନି ଓ ସୁରେଶ ରାଇନାଙ୍କ ଦମ୍‌ଦାର ଅର୍ଧଶତକ ବଳରେ ଭାରତ ୨୭୧ ରନ୍‌କୁ ପିଛା କରି ଇଂଲଣ୍ଡକୁ ପରାସ୍ତ କରିଥିଲା। ଫଳରେ ଶକ୍ତିଶାଳୀ ଇଂଲଣ୍ଡ ବିପକ୍ଷରେ ୫-୦ର ଅଗ୍ରଣୀ ସତ୍ତ୍ବେ ଭାରତ ଉତ୍ସବ ମନାଇପାରିନଥିଲା। ସେହି ରାତିରେ ହିଁ ପାକିସ୍ତାନୀ ସମର୍ଥକ ଆତଙ୍କବାଦୀ ଗୋଷ୍ଠୀ ମୁମ୍ବାଇ ସହରର ବିଭିନ୍ନ ମୁଖ୍ୟ ସ୍ଥାନରେ ଆକ୍ରମଣ କରିଥିଲେ। ଅନେକ ଜୀବନ ଚାଲିଯାଇଥିଲେ ମଧ୍ୟ ଭାରତୀୟ ସୁରକ୍ଷା ବଳ ସାହସିକତାର ପରିଚୟ ଦେଇ ଖେଳାଳିମାନଙ୍କୁ ସୁରକ୍ଷିତ ରଖିପାରିଥିଲେ। ହେଲେ ଇଂଲଣ୍ଡ ଗସ୍ତ ଅଧାରୁ ତୁରନ୍ତ ସ୍ବଦେଶ ଫେରିଯାଇଥିଲା। ତେବେ ଘଟଣା ପ୍ରଶମିତ ହେବା ପରେ ଟେଷ୍ଟ୍‌ ଶୃଙ୍ଖଳା ଖେଳିବାକୁ ପୁଣି ଭାରତ ଆସିଥିଲା। କିନ୍ତୁ ମୁମ୍ବାଇରେ ଖେଳିବାକୁ ରାଜି ନହେବାରୁ ଦ୍ବିତୀୟ ଟେଷ୍ଟ୍‌ ଚେନ୍ନାଇକୁ ସ୍ଥାନାନ୍ତର ହୋଇଥିଲା। ଏହି ଟେଷ୍ଟ୍‌ରେ ନିଜ ଜୀବନର ସୁବୁଠୁ ସ୍ମରଣୀୟ ପାଳି ଖେଳିଥିବା ତେନ୍ଦୁଲକର ଶତକ ସହିତ ଦଳର ବିଜୟକୁ ଆତଙ୍କବାଦ ଆକ୍ରମଣରେ ପରଲୋକ ଗମନ କରିଥିବା ଲୋକଙ୍କୁ ଉତ୍ସର୍ଗ କରିଥିଲେ।
୨୦୦୯: ଲାହୋରରେ ଶ୍ରୀଲଙ୍କା ବସ୍‌ ଉପରକୁ ଆକ୍ରମଣ
୨୦୦୯ ମାର୍ଚ ୩ ତାରିଖରେ ପାକିସ୍ତାନ ଗସ୍ତରେ ଥିବା ଶ୍ରୀଲଙ୍କା କ୍ରିକେଟ୍‌ ଦଳ ଲାହୋରର ଗଦାଫି ଷ୍ଟାଡିୟମ୍‌କୁ ଯାଉଥିଲା ବେଳେ ତାଙ୍କ ବସ୍‌ ଉପରକୁ ଆତଙ୍କବାଦୀମାନେ ବୋମା ନିକ୍ଷେପ କରିବା ସାଙ୍ଗକୁ ଗୁଳିଗୋଳା ବର୍ଷଣ କରିଥିଲେ। ସେଥିରେ ୭ ଲୋକଙ୍କ ପ୍ରାଣହାନୀ ଘଟିଥିଲା ବେଳେ ଶ୍ରୀଲଙ୍କା ଦଳର ୭ ସଦସ୍ୟ ଆହତ ହୋଇଥିଲେ। ଫଳରେ ଶ୍ରୀଲଙ୍କା ଦଳ ଗସ୍ତରୁ ଓହରି ଯାଇଥିଲା ଏବଂ ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ଶୃଙ୍ଖଳା ୦-୦ରେ ଅମୀମାଂସିତ ରହିଥିଲା। ଆଉ ସବୁଠୁ ଉଲ୍ଲେଖନୀୟ ଘଟଣା ହେଲା ସେବେଠୁ ୧୦ ବର୍ଷ ହେଲାଣି ପାକିସ୍ତାନରେ କୌଣସି ଦଳ ଖେଳିବାକୁ ଚାହୁଁନାହାନ୍ତି। ଯାହା ଫଳରେ ପାକିସ୍ତାନ ତା’ର ଘରୋଇ ମ୍ୟାଚ୍‌ ୟୁଏଇରେ ଖେଳିଆସୁଛି। ତେବେ କେବଳ ଜିମ୍ବାୱ ଏକ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳିବା ପାଇଁ ପାକିସ୍ତାନ ଗସ୍ତ କରିଥିଲା।

ସମ୍ବନ୍ଧିତ ଖବର