୧୦ ବର୍ଷ ପରେ ପାକିସ୍ତାନ ଫେରିବ ଟେଷ୍ଟ୍‌ କ୍ରିକେଟ୍‌

କରାଚି : ପ୍ରାୟ ୧୦ ବର୍ଷ ପରେ ପ୍ରଥମ ଥର ଲାଗି ପାକିସ୍ତାନକୁ ଟେଷ୍ଟ କ୍ରିକେଟ୍‌ ଫେରିବ। ଶ୍ରୀଲଙ୍କା ଦୁଇ ମ୍ୟାଚ୍‌ ବିଶିଷ୍ଟ ଏକ ଶୃଙ୍ଖଳା ଖେଳିବା ପାଇଁ ରାଜି ହେବାପରେ ଏହା ସମ୍ଭବ ହେବାକୁ ଯାଉଛି। ଶ୍ରୀଲଙ୍କା ବିପକ୍ଷରେ ପାକିସ୍ତାନ ଟେଷ୍ଟ୍‌ ଶୃଙ୍ଖଳା ଡିସେମ୍ବରରେ ଅନୁଷ୍ଠିତ ହେବ। ପ୍ରଥମ ଟେଷ୍ଟ୍‌ ୧୧ ତାରିଖରୁ ରାୱଲପିଣ୍ଡିରେ ଏବଂ ଦ୍ବିତୀୟ ମ୍ୟାଚ୍‌ ୧୯ ତାରିଖରୁ ‌କରାଚିରେ ଖେଳାଯିବ। ପୂର୍ବରୁ ଅକ୍ଟୋବରରେ ଟେଷ୍ଟ୍‌ ଶୃଙ୍ଖଳା ଏବଂ ଡିସେମ୍ବରରେ ସୀମିତ ଓଭର ଶୃଙ୍ଖଳା ଆୟୋଜନ ନେଇ ସୂଚୀ ପ୍ରସ୍ତୁତ ହୋଇଥିଲା। ହେଲେ ସୁରକ୍ଷା ଦୃଷ୍ଟିରୁ ଶ୍ରୀଲଙ୍କାର ବରିଷ୍ଠ ଖେଳାଳିମାନେ ପାକିସ୍ତାନ ଗସ୍ତରେ ଯିବାକୁ ମନା କରିବା ସହ ନିରପକ୍ଷ ସ୍ଥାନରେ ଆୟୋଜନ କରିବା ଲାଗି କହିଥିଲେ। ସର୍ବୋଚ୍ଚସ୍ତରର ସୁରକ୍ଷା ପ୍ରଦାନ କରିବାକୁ ପିସିବି ପ୍ରତିଶୃତି ଦେବା ସହ ସପୂର୍ଣ୍ଣ ଦ୍ବିପାକ୍ଷିକ ଶୃଙ୍ଖଳା ପାକିସ୍ତାନରେ ଖେଳିବା ଲାଗି ଶ୍ରୀଲଙ୍କାକୁ ଅନୁ‌‌ରୋଧ କରିଥିଲା। ଏହାପରେ ଶ୍ରୀଲଙ୍କା ପ୍ରଥମେ ସୀମିତ ଓଭର ଏବଂ ସୁରକ୍ଷାକୁ ନଜରରେ ରଖି ଟେଷ୍ଟ୍‌ ଖେଳିବା ଲାଗି ରାଜି ହୋଇଥିଲା। ଗତ ଅକ୍ଟୋବରରେ ସଫଳତାର ସହ ସୀମିତ ଓଭର ଶୃଙ୍ଖଳା ଶେଷ ହୋଇଥିଲା। ଫଳରେ ପାକିସ୍ତାନରେ ଟେଷ୍ଟ୍‌ ଖେଳିବାକୁ ରାଜି ହୋଇଥିଲା। ସୂଚନାଯୋଗ୍ୟ ଯେ ‌ସୀମିତ ଓଭର ଶୃଙ୍ଖଳା ଲାଗି ବରିଷ୍ଠ ଖେଳାଳିମାନେ ପାକିସ୍ତାନ ଗସ୍ତ କରିବାକୁ ମନା କରିବାରୁ ଶ୍ରୀଲଙ୍କା ଦ୍ବିତୀୟସ୍ତରର ଦଳ ପଠାଇଥିଲା। ମ୍ୟାଚ୍‌ଗୁଡ଼ିକ ଲାହୋର ଓ କରାଚିରେ ଖେଳାଯାଇଥିଲା। ଦିନିକିଆକୁ ପାକିସ୍ତାନ ୨-୦ରେ ଜିତିଥିଲା ବେଳେ ଟ୍ବେଣ୍ଟି-୨୦କୁ ୩-୦ରେ କବ୍‌ଜା କରିଥିଲା ଶ୍ରୀଲଙ୍କା।

ସମ୍ବନ୍ଧିତ ଖବର