ଟେଷ୍ଟ୍‍ ମାନ୍ୟତା: କୋହଲି ୩କୁ ଖସିଲେ ଅଣ୍ଡରସନ୍‌ଙ୍କୁ ହଟାଇ ଶୀର୍ଷରେ ରବାଦା

ଦୁବାଇ,: ଦକ୍ଷିଣ ଆଫ୍ରିକା ଦ୍ରୁତ ବୋଲର କାଗିସୋ ରବାଦା ମଙ୍ଗଳବାର ପ୍ରକାଶିତ ଆଇସିସି ଟେଷ୍ଟ୍‍ ବୋଲରଙ୍କ ମାନ୍ୟତାର ଶୀର୍ଷ ସ୍ଥାନ ଦଖଲ କରିଛନ୍ତି। ଭାରତ ବିପକ୍ଷ କେପ୍‌ଟାଉନ୍‌ ଟେଷ୍ଟ୍‍ରେ ସେ ଉଭୟ ପାଳିରେ ମୋଟ ୫ ଓ୍ଵିକେଟ୍‌ ନେବା ପରେ ଶୀର୍ଷ ମାନ୍ୟତା ଅକ୍ତିଆର କରିଛନ୍ତି। ଏଥି ସହିତ ସେ ଏହି ସ୍ଥାନରୁ ଇଂଲଣ୍ଡ ଦ୍ରୁତ ବୋଲର ଜେମ୍ସ ଅଣ୍ଡରସନ୍‌ଙ୍କୁ ଗାଦିଚ୍ୟୁତ କରିଛନ୍ତି। ସଂପ୍ରତି ରବାଦା ୮୮୮ ପଏଣ୍ଟ୍‌ କରାୟତ କରିଥିଲା ବେଳେ ଅଣ୍ଡରସନ୍‌ ତାଙ୍କଠୁ ମାତ୍ର ଗୋଟିଏ ପଏଣ୍ଟ୍‌ କମ୍‌ରେ ଅଛନ୍ତି। ଅସୁସ୍ଥତା ଯୋଗୁଁ ପ୍ରଥମ ଟେଷ୍ଟ୍‍ ଖେଳିନଥିବା ଭାରତୀୟ ବାମହାତୀ ସ୍ପିନର ରବୀନ୍ଦ୍ର ଜାଦେଜା ତୃତୀୟ ସ୍ଥାନରେ ଅପରିବର୍ତିତ ରହିଥିଲା ବେଳେ ରବିଚନ୍ଦ୍ରନ୍‌ ଅଶ୍ୱିନ୍‌ ଚତୁର୍ଥ ସ୍ଥାନରେ ରହିଛନ୍ତି। ଭାରତ ପରାଜୟର ମୁଖ୍ୟ ପୁରୁଧା ସାଜିଥିବା ଭେର୍ନନ୍‌ ଫିଲାଣ୍ଡର ୬ ସ୍ଥାନ ଉପରକୁ ଉଠି ଷଷ୍ଠ ମାନ୍ୟତାରେ ପହଞ୍ଚିଛନ୍ତି।

ସେହିଭଳି ବ୍ୟାଟ୍ସମ୍ୟାନ୍‌ଙ୍କ ମାନ୍ୟତା ତାଲିକାରେ ଭାରତୀୟ ଅଧିନାୟକ ବିରାଟ କୋହଲି ଗୋଟିଏ ସ୍ଥାନ ତଳକୁ ଖସି ତୃତୀୟରେ ପହଞ୍ଚିଛନ୍ତି। ତାଙ୍କ ସ୍ଥାନ ମାଡ଼ି ବସିଛନ୍ତି ଇଂଲଣ୍ଡ ଅଧିନାୟକ ଜୋଏ ରୁଟ୍‌। ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭ୍‌ ସ୍ମିଥ୍‌ ୯୪୭ ପଏଣ୍ଟ୍‌ ସହ ତାଲିକାର ଶୀର୍ଷରେ ରହିଛନ୍ତି। ନ୍ୟୁଜିଲାଣ୍ଡ୍‌ ଅଧିନାୟକ କେନ୍‌ ଓ୍ଵିଲିୟମ୍‌ସନ୍‌ ତୃତୀୟରୁ ଚତୁର୍ଥକୁ ଖସି ଯାଇଥିଲା ବେଳେ ଭାରତୀୟ ମଧ୍ୟକ୍ରମ ବ୍ୟାଟ୍‌ସମ୍ୟାନ୍‌ ଚେତେଶ୍ୱର ପୂଜାରା ଦୁଇଟି ସ୍ଥାନ ତଳକୁ ଖସି ପଞ୍ଚମରେ ରହିଛନ୍ତି।

ସମ୍ବନ୍ଧିତ ଖବର