ଥାଇଲାଣ୍ଡ୍ ପାରା ବ୍ୟାଡ୍‌ମିଣ୍ଟନ୍‌, ପ୍ରମୋଦଙ୍କୁ ୨ ରୌପ୍ୟ

ଭୁବନେଶ୍ବର: ସଦ୍ୟ ବିଶ୍ବ ବିଜେତା‌ ହେବା ସହିତ ଅର୍ଜୁନ ଏବଂ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପାଇଥିବା ପାରା ବ୍ୟାଡମିଣ୍ଟନ୍ ତାରକା ପ୍ରମୋଦ ଭଗତଙ୍କ ସ୍ବର୍ଣ୍ଣିମ ଯାତ୍ରା ଅଟକିଯାଇଛି। ଶନିବାର ବ୍ୟାଙ୍କକରେ ଶେଷ ହୋଇଥିବା ଥାଇଲାଣ୍ଡ ପାରା ବ୍ୟାଡ୍‌ମିଣ୍ଟନ୍‌ ଅନ୍ତର୍ଜାତୀୟ ପ୍ରତିଯୋଗିତାର ଉଭୟ ପୁରୁଷ ଏକକ ଓ ଯୁଗଳ ବର୍ଗର ଫାଇନାଲ୍‌ରେ ହରାଇ ପ୍ରମୋଦ ଦୁଇଟି ରୌପ୍ୟ ପଦକ ହାସଲ କରିଛନ୍ତି।

ଶନିବାର ପୁରୁଷ ଏକକ ବର୍ଗରେ ନିଜ ଦେଶ ସାଥୀ ମନୋଜ ସରକାରଙ୍କ ବିପକ୍ଷ ଫାଇନାଲରେ ପ୍ରମୋଦ ୯-୧୧ରେ ପଛୁଆ ଥିବାବେଳେ ପାଦ ଆହତ କାରଣରୁ ଓହରିଯାଇଥିଲେ।‌ ସେହିଭଳି ପୁରୁଷ ଯୁଗଳ ଫାଇନାଲ୍‌ରେ ପ୍ରମୋଦ ଏବଂ ମନୋଜ ସରକାର ଯୋଡ଼ି ଥାଇଲାଣ୍ଡର ମୋଙ୍ଗଖୋ‌ନ ବୁନସୁନ ଓ ସିରିପଙ୍ଗ ଟିମାରୋମଙ୍କ ନିକଟରୁ ୧୬-୨୧, ୨୧-୮, ୧୪-୨୧ରେ ହାରି ରୌପ୍ୟ ପଦକ ଜିତିଥିଲେ। ଏକକ ବର୍ଗରେ ରୌପ୍ୟ ପଦକ ଜିତିଥିଲେ ବି ମୋର ଦୁଃଖ ନାହିଁ। କାରଣ ମୁଁ ଅଧିକ ରିକ୍ସ ନେବାକୁ ଚାହିଁଲି ନାହିଁ। ୩ ଦିନ ପରେ ଚାଇନା ପାରା ବ୍ୟାଡମିଣ୍ଟନ୍‌ରେ ଖେଳିବାକୁ ଥିବାରୁ ମୋତେ ୩ ଦିନ ବିଶ୍ରାମ ବି ମିଳିଯାଇଛି ବୋଲି ପ୍ରମୋଦ ପ୍ରକାଶ କରିଛନ୍ତି। ଏଥି ସହିତ ପ୍ରମୋଦଙ୍କ ଟୋକିଓ ପାରା ଅଲିମ୍ପିକ୍ସ-୨୦୨୦ ସ୍ଥିତି ମଧ୍ୟ କ୍ରମେ ଦୃଢ଼ ହୋଇଛି। ପଏଣ୍ଟ ତାଲିକାରେ ପ୍ରମୋଦ (୫୫୩୦), ଡାନିଏଲ୍ ବେଥେଲ (୩୪୧୦)ଏବଂ ମନୋଜ ସରକାର (୨୫୭୦) ଶୀର୍ଷ ୩ ସ୍ଥାନରେ ରହିଛନ୍ତି।

ସମ୍ବନ୍ଧିତ ଖବର