‘ଏ ବିଶ୍ବକପ୍ ଅଦ୍ବିତୀୟ, ଓଡ଼ିଶାକୁ ଧନ୍ୟବାଦ’

ଭୁବନେଶ୍ବର: ମାତ୍ର ବର୍ଷକ ଭିତରେ କଳିଙ୍ଗ ଷ୍ଟାଡିୟମରେ ବିଶ୍ବସ୍ତରୀୟ ନୂଆ ହକି କଂପ୍ଲେକ୍ସ ନିର୍ମିତ ହେବା ଏବଂ ଏଠାକାର ଉତ୍ସାହୀ ପ୍ରଶଂସକଙ୍କ ପାଇଁ ଭୁବନେଶ୍ବର ସ୍ବତନ୍ତ୍ର ହୋଇଛି। ମୁଁ ଏହା ଗର୍ବର ସହ କହୁଛି ଯେ ଖେଳାଳି, ଅତିଥି, ପ୍ରଶଂସକ ଏବଂ ଅଧିକାରୀମାନେ ଦେଉଥିବା ମତାମତ ଆମକୁ ଉତ୍ସାହିତ କରିଛି। ଏ ବିଶ୍ବକପ୍‌ ବଡ଼ ସଫଳତା ପାଇଛି ଏବଂ ଅଦ୍ବିତୀୟ ବୋଲି କହିଛନ୍ତି ଅନ୍ତର୍ଜାତୀୟ ହକି ସଂଘ (ଏଫ୍‌ଆଇଏଚ୍‌)ର ସଭାପତି ନରେନ୍ଦ୍ର ବାତ୍ରା। ଘରୋଇ ଦେଶ ଖେଳୁ କି ନ ଖେଳୁ, ଏଠାରେ ପ୍ରଶଂସକମାନେ ଏତେ ସଂଖ୍ୟାରେ ଆସିବା ଏବଂ ଉତ୍ସାହ ଯୋଗାଇବା ଅନ୍ୟଠାରୁ ଭିନ୍ନ ହୋଇଛି। ପ୍ରଥମ ଥର ପାଇଁ ମଧ୍ୟ ଓଡ଼ିଶା ହକି ବିଶ୍ବକପ୍‌ ୫ଟି ଯାକ ମହାଦେଶ ଏବଂ ୧୯୪ ଦେଶରେ ପ୍ରସାରିତ ହେବା ନୂଆ କଥା ହୋଇଛି। ଗଣମାଧ୍ୟମର ସମର୍ଥନ ମଧ୍ୟ ଅପୂର୍ବ ରହିଛି। ୧୦ ବ‌ର୍ଷ ତଳେ ହକି ବିଶ୍ବକପ୍‌ ଖବର କାଗଜର କେଉଁ କୋଣରେ ବାହାରୁଥିଲା। ଏବେକାର ପ୍ରକାଶନ ନିଶ୍ଚିତ ଉତ୍ସାହଜନକ। ଏଥି ପାଇଁ ମୁଁ ନିଶ୍ଚିତ ଭାବେ ଗର୍ବର ସହିତ ହକି ଇଣ୍ଡିଆ, ଓଡ଼ିଶା ସରକାର, ଓଡ଼ିଶାର ଲୋକ ଓ ପ୍ରଶଂସକମାନଙ୍କୁ ଧନ୍ୟବାଦ ପ୍ରଦାନ କରିବି ବୋଲି ବାତ୍ରା କହିଥିଲେ।

୧୬ ଦଳ ସୀମିତ ରହିବ
ଓଡ଼ିଶା ହକି ବିଶ୍ବକପ୍‌ରେ ପ୍ରଥମ ଥର ୧୬ ଦଳ ଭାଗ ନେଇଥିଲେ। ୨୦୧୪ ସଂସ୍କରଣ ପର୍ଯ୍ୟନ୍ତ ୧୨ ଦଳ ଭାଗ ନେଉଥିଲେ। ୨୦୨୨ ମସିହାରେ ହେବାକୁ ଥିବା ପରବର୍ତୀ ହକି ବିଶ୍ବକପ୍ ମଧ୍ୟ ୧୬ ଦଳ ବିଶିଷ୍ଟ ରହିବ ବୋଲି କହିଛନ୍ତି ଅନ୍ତର୍ଜାତୀୟ ହକି ସଂଘର ମୁଖ୍ୟ କାର୍ଯ୍ୟନିର୍ବାହୀ ଥିଏରି ୱିଲ୍। ଦଳ ସଂଖ୍ୟା ବଢ଼ାଇବାର କୌଣସି ଉଦ୍ଦେଶ୍ୟ ନାହିଁ। ୨୦୨୨ର ବିଡ୍ ଆସନ୍ତା ଫେବ୍ରୁଆରି ସୁଦ୍ଧା ଶେଷ ହେବ ଏବଂ ଆସନ୍ତା ବର୍ଷ ହିଁ ଏହା ଚୂଡାନ୍ତ ହୋଇଯିବ ବୋଲି ୱିଲ୍ ପ୍ରକାଶ କରିଥିଲେ। ପାକିସ୍ତାନରେ ଅନ୍ତର୍ଜାତୀୟ ହକି ମରିନାହିଁ। ଏହି ଦେଶକୁ ହକି ଫେରାଇ ଆଣିବାର ଆବଶ୍ୟକତା ରହିଛି। ଏଥି ପାଇଁ ଏଫ୍‌ଆଇଏଚ୍ ପ୍ରୟାସ କରିବ ବୋଲି ମଧ୍ୟ ସେ ବିଶ୍ବାସ ଦେଇଥିଲେ। ବିଶ୍ବକପ୍ ରାଜସ୍ବ ପ୍ରସଙ୍ଗରେ କହିଥିଲେ, ଏହା ସମତୁଲ ସ୍ଥିତିରେ ରହିଛି। ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଦକ୍ଷିଣ ଆଫ୍ରିକା ଭଳି ଦେଶକୁ ମଧ୍ୟ ଏଫ୍‌ଆଇଏଚ୍ ଯଥାସମ୍ଭବ ସମର୍ଥନ କରି ଆସିଛି ବେଲି ୱିଲ୍ କହିଥିଲେ।

୫ ଜଣିଆ ହକି
ଅନ୍ତର୍ଜାତୀୟ ହକିକୁ ଆମେ ଏବେ ୫ ଜଣିଆ ଫର୍ମାଟକୁ ନେବାକୁ ଯାଉଛୁ। ଅଧିକ ଲୋକ ଏବଂ ଦେଶକୁ ଯୋଡ଼ିବା ଲକ୍ଷ୍ୟରେ ଏଭଳି କରାଯାଉଛି। କିନ୍ତୁ ପୂର୍ବଭଳି ଏହା ୧୧ ଜଣିଆରେ ଅଲିମ୍ପିକ୍ସ ଏବଂ ବିଶ୍ବକପ୍ ଖେଳାଯିବ। ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏଣିକି କନିଷ୍ଠ ହକି ବିଶ୍ବକପ୍‌ ୨ ବର୍ଷରେ ଖେଳାଯିବ। ପ୍ରତି ପିଢ଼ିର ଖେଳାଳିଙ୍କୁ ବିଶ୍ବକପ୍‌ରେ ଅଂଶଗ୍ରହଣର ସୁଯୋଗ ଦେବା ଏବଂ କାହାରିକୁ ଏଥିରୁ ବଞ୍ଚିତ ନ ରଖିବା ଉଦ୍ଦେଶ୍ୟ ରଖାଯାଇଛି। ସେହିଭଳି ଏଫ୍‌ଆଇଏଚ୍ ମଧ୍ୟ ନୂଆ ମାନ୍ୟତା ବ୍ୟବସ୍ଥା ପ୍ରୟଣନ କରିବାକୁ ଯାଉଛି ବୋଲି ଶନିବାରର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ ଥିଏରି। ଏହା କିଛି ନୂଆ ନୁହେଁ, ୟୁରୋପ ଏବଂ ଆଫ୍ରିକାରେ ୫ ଜଣିଆ ହକି ଖେଳାଗଲାଣି। ହକି ଇଣ୍ଡିଆ ଲିଗ୍ ବି ଏହାକୁ ଗ୍ରହଣ କରିବାକୁ ଯାଉଛି ସୂଚନା ଦିଆଯାଇଥିଲା।

ସମ୍ବନ୍ଧିତ ଖବର