ଛାତ ଉପରେ ଚୁମ୍ବନ ଦେଇ ଗିରଫ ହେଲେ ଆଥ୍‌ଲେଟ୍‌

ତେହରାନ: ଅଶ୍ଲୀଳ ଆଚରଣ ପାଇଁ ଇରାନର ପାର୍କର ଆଥଲେଟ୍‌ଙ୍କୁ ବୁଧବାର ପୁଲିସ ଗିରଫ କରିଛି। ଏହି ଆଥ୍‌ଲେଟ୍‌ ଜଣକ ତେହେରାନର ଛାତ ଉପରେ ଜଣେ ମହିଳାଙ୍କୁ ଚୁମ୍ବନ ଦେଉଥିବାର ଫଟୋ ଅନ୍‌ଲାଇନରେ ଛାଡ଼ିଥିଲେ। ଏହି ଫଟୋ ଭାଇରାଲ ହେବାପରେ ତେହେରାନ ପୁଲିସ ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିଥିଲା। ଆମେ ଏହି ବ୍ୟକ୍ତି ଓ ତାଙ୍କ ସହ ଥିବା ମହିଳାଙ୍କ ବିରୋଧରେ ଆଦର୍ଶ ଭାଙ୍ଗିବା ଓ ଅଶ୍ଲୀଳ ଆଚରଣର ଦଫା ଲଗାଇଛି। ପୁଲିସ ଓ ନ୍ୟାୟପାଳିକା ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବ। ଆମେ ‌ଜଣକୁ ଗିରଫ କରିଛୁ। ଅନ୍ୟଜଣଙ୍କୁ ଖୋଜୁଛୁ। ଗିରଫ ବ୍ୟକ୍ତିଙ୍କ ନାମ ଏବେ ପ୍ରକାଶ କରାଯିବନି ବୋଲି କ୍ୟାପିଟାଲ ପୁଲିସ ମୁଖ୍ୟ ହୁସେନ ରହିମି ପ୍ରକାଶ କରିଛନ୍ତି। ପୁଲିସ ବ୍ୟକ୍ତିର ନାଁ ପ୍ରକାଶ କରି ନଥିଲେ ମଧ୍ୟ ସେ‌ ତେହେରାନ୍‌ର ପାର୍କର ଆଥ୍‌ଲେଟ୍‌ ଅଲିରେଜା ଜାପାଲଘି ବୋଲି ଅନୁମାନ କରାଯାଇଛି। ଜାପାଲଘିଙ୍କ ଇନ୍‌ଷ୍ଟାଗ୍ରାମରେ ୧୩୩,୦୦୦ ଅନୁଗାମୀ ଅଛନ୍ତି।

ପାର୍କର ଖେଳ ୧୯୯୦ରେ ଫ୍ରାନ୍ସରେ ଜନ୍ମ ନେଇଥିଲା। ଏହା ଏକ କଠିନ ଖେଳ। ସହରାଞ୍ଚଳରେ ଲାଗି ଲାଗି ରହିଥିବା ଉଚ୍ଚ ଅଟ୍ଟାଳିକାରେ ଏହି ଖେଳ ଖେଳାଯାଏ। ଆଥ୍‌ଲେଟ୍‌ ଜଣକ ଗୋଟିଏ କାନ୍ଥରୁ ଆଉ ଏକ କାନ୍ଥକୁ ଡେଇଁ ଥାନ୍ତି। ପଶ୍ଚିମ ତେହରା‌ନରେ ଏହି ଖେଳ ଅଧିକ ମାତ୍ରାରେ ଖେଳାଯାଏ। ଜାପାଲଘି ଗତ ସପ୍ତାହରେ ଅନେକ ଫଟୋ ଓ ଭିଡିଓ ଝାଡ଼ିଥି‌ଲେ। ଯେଉଁଥିରେ ସେ ଜଣେ ଅଜ୍ଞାତ ମହିଳାଙ୍କୁ ଚୁମ୍ବନ ଦେଉଥିବାର ଦେଖାଯାଇଥିଲା। ‌ମତେ ଏବେ ସନ୍ଦେହଜନକ କଲ ଆସୁଛି ଏବଂ ସର୍ବସାଧାରଣରେ ଗିରଫ କରିବାକୁ କୁହାଯାଉଛି ‌ବୋଲି ସୋମବାର ଏକ ଇନଷ୍ଟାଗ୍ରାମ ଭିଡିଓରେ ଜାପାଲଘି କହିଛନ୍ତି। ହେଲେ ତାଙ୍କ ଭାଇ ସେହି ଆକାଉଣ୍ଟରେ ନୂଆ କଥା ଲେଖିଛନ୍ତି। ଜାପାଲଘିଙ୍କୁ ତାଙ୍କ ଘରୁ ଗିରଫ କରାଯାଇଥିଲା ବେଳେ ଜାପାଲାଘିଙ୍କ ସହ ଫଟୋରେ ଥିବା ମହିଳାଙ୍କୁ ମଧ୍ୟ ଶୀଘ୍ର ଗିରଫ କରାଯିବ ବୋଲି ହୁସେନ କହିଛନ୍ତି।

ସମ୍ବନ୍ଧିତ ଖବର