ମୁମ୍ବାଇ: କରୋନା ଆତଙ୍କ ପାଇଁ ଚଳିତ ବର୍ଷର ଆଇପିଏଲ୍ ନିର୍ଦ୍ଧାରିତ ସମୟରେ ଆୟୋଜିତ ହୋଇପାରିନି। ଏହାକୁ ଅନିର୍ଦ୍ଦିଷ୍ଟ କାଳ ଲାଗି ସ୍ଥଗିତ କରି ଦିଆଯାଇଛି। ଏବେ କିନ୍ତୁ ବିସିସିଆଇ ବିଶ୍ବର ଏହି ସବୁଠାରୁ ଧନୀ କ୍ରିକେଟ୍ ଲିଗ୍କୁ ସେପ୍ଟେମ୍ବରରୁ ନଭେମ୍ବର ମାସ ମଧ୍ୟରେ ଆୟୋଜନ କରିବାକୁ ଯୋଜନା କରୁଛି। ଆଠଟି ଯାକ ଫ୍ରାଞ୍ଚାଇଜ୍ର ମାଲିକ ମଧ୍ୟ ଏଥିରେ ଏକମତ ଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ଭାରତରେ ଯଦି କରୋନା ମହାମାରୀର ପ୍ରକୋପ କମିଯାଏ, ତାହାଲେ ଆଇପିଏଲ୍-୧୩ ସେପ୍ଟେମ୍ବର ୨୫ରୁ ନଭେମ୍ବର ପହିଲା ମଧ୍ୟରେ ଖେଳାଯିବ। ତେବେ ଚୂଡ଼ାନ୍ତ ନିଷ୍ପତ୍ତି ପରିବେଶ ଓ ପରିସ୍ଥିତିକୁ ଦେଖି ନିଆଯିବ। ପୁଣି ଆଇପିଏଲରୁ ହିଁ ଘରୋଇ ଋତୁ ଆରମ୍ଭ କରିବାକୁ ବିସିସିଆଇ ଆଗ୍ରହୀ ଅଛି।
ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଏବେ କିଛି କହି ହେବନି। ଯୋଜନା କରାଯାଉଛି, ହେଲେ ଏହା କେତେଦୂର କାର୍ଯ୍ୟକାରୀ ହେବ, ତାହା କହିବା ସମ୍ଭବ ନୁହେଁ। ଏକଥା କିନ୍ତୁ ସତ ଯେ ସେପ୍ଟେମ୍ବରରୁ ନଭେମ୍ବର ଭିତରେ ବିସିସିଆଇ ଅଇପିଏଲ୍ କରିବାକୁ ଚାହୁଁଛି। ଏଥିଲାଗି ବହୁତ କିଛି କରିବାକୁ ହେବ। ସରକାରଙ୍କ ଅନୁମତି ମଧ୍ୟ ଲୋଡ଼ାଯିବ। ତେବେ ସେପ୍ଟେମ୍ବର-ନଭେମ୍ବର ଝରକାକୁ ଜରୁରୀକାଳୀନ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। ଏହି ସମୟ ବିଷୟରେ ଆଲୋଚନା ହୋଇଥିବା ଆଇପିଏଲ୍ର ଜଣେ ଅଧିକାରୀ ମଧ୍ୟ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ ଆମକୁ ସବୁକିଛି ଠିକ୍ କରିବାକୁ ହେବ। ବିଦେଶୀ ଖେଳାଳି ଆସିବାର ଥିବାରୁ ଏଥିଲାଗି ସରକାରଙ୍କ ଅନୁମତି ନେବାକୁ ହେବ। ଅଗଷ୍ଟ ଆସୁ ଆସୁ ଆମେ ଏକ ସ୍ପଷ୍ଟ ଚିତ୍ର ପାଇ ପାରିବା। ଆଇପିଏଲ୍ ଏହି ସମୟରେ ଆୟୋଜନ କରିବାକୁ ହେଲେ, ଟ୍ବେଣ୍ଟି-୨୦ ବିଶ୍ବକପ୍କୁ ପ୍ରଥମେ ଘୁଞ୍ଚାଇବାକୁ ହେବ। କାରଣ ଟ୍ବେଣ୍ଟି-୨୦ ବିଶ୍ବକପ୍ର ପରବର୍ତ୍ତୀ ସଂସ୍କରଣ ଅକ୍ଟୋବର ୧୮ରୁ ନଭେମ୍ବର ୧୫ ମଧ୍ୟରେ ଅଷ୍ଟ୍ରେଲିଆରେ ଖେଳାଯିବାର ଅଛି। ହେଲେ ଆଇପିଏଲ୍ ଖେଳୁଥିବା କେତେକ ଅଷ୍ଟ୍ରେଲୀୟ କ୍ରିକେଟର ପୂର୍ବ ନିର୍ଦ୍ଧାରିତ ସମୟରେ ବିଶ୍ବକପ୍ ଆୟୋଜନ କରିବା ଅସମ୍ଭବ ବୋଲି କହି ସାରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/05/download-1-19.jpg)