କରୋନାରେ ‘ସାଇ’ କେନ୍ଦ୍ର ରୋଷେୟା ମୃତ
ଖେଳାଳିମାନେ ସୁରକ୍ଷିତ, ହକି ଦଳ ବାହାରକୁ ଯିବାର ପ୍ରଶ୍ନ ଉଠୁନି: ନର୍ମାନ
ନୂଆଦିଲ୍ଲୀ: ଅଲିମ୍ପିକ୍ସ ପ୍ରସ୍ତୁତି ଲାଗି ଭାରତୀୟ ପୁରୁଷ ଓ ମହିଳା ହକି ଦଳର ଖେଳାଳିମାନେ ବେଙ୍ଗାଲୁରୁସ୍ଥିତ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) କେନ୍ଦ୍ରରେ ଅଭ୍ୟାସ କରୁଛନ୍ତି। ହେଲେ ବୁଧବାର ସେଠାରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ‘ସାଇ’ କେନ୍ଦ୍ରର ଜଣେ ରୋଷେୟା ମୃତ୍ୟୁବରଣ କରିଛନ୍ତି। ମୃତ୍ୟୁ ପରେ ସେ କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିଛି। ହେଲେ କରୋନାରେ ନୁହେଁ ହୃଦ୍ଘାତରେ ତାଙ୍କର ମୃତ୍ୟୁ ଘଟିଛି ବୋଲି ‘ସାଇ’ର ଜଣେ ଅଧିକାରୀ କହିଛନ୍ତି। ଡାକ୍ତରଖାନାରେ ଭର୍ତ୍ତି କଲା ପରେ ସେ କରୋନାରେ ପୀଡ଼ିତ ଥିବା ଜଣାପଡ଼ିଥିଲା। ଏଥିଲାଗି କୌଣସି ଭୟଭୀତ ହେବା ଦରକାର ନାହିଁ। କାରଣ ମୃତ ବ୍ୟକ୍ତି ରହୁଥିବା ସ୍ଥାନକୁ ଖେଳାଳିମାନଙ୍କ ପ୍ରବେଶ ନିଷେଦ୍ଧ ଥିଲା ବୋଲି ‘ସାଇ’ର ଏହି ଅଧିକାରୀ ଜଣକ କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଅନ୍ୟପଟେ ହକି ଇଣ୍ଡିଆର ସିଇଓ ଏଲିନା ନର୍ମାନ କହିଛନ୍ତି ଯେ ବେଙ୍ଗାଲୁରୁରୁ ଦଳ ବାହାରକୁ ଯିବାର ପ୍ରଶ୍ନ ଉଠୁନି। କାରଣ ଏହାଠାରୁ ଭଲ ସୁବିଧା ଅନ୍ୟ କେଉଁଠାରେ ନାହିଁ। ଯଦିଓ ଆମେ ଏଭଳି ପଦକ୍ଷେପ ବିଷୟରେ ଚିନ୍ତା କରୁ। ତେବେ ଲକ୍ଡାଉନ୍ ଯୋଗୁଁ ଏହା ଅସମ୍ଭବ। ମାର୍ଚ ୧୦ରେ ଆମର ୬୦ ଜଣ ବୟସ୍କ କର୍ମଚାରୀଙ୍କୁ ଘରେ ରହିବାକୁ କୁହାଯାଇଥିଲା। ଏମାନଙ୍କ ମଧ୍ୟରେ ଏହି ୬୦ ବର୍ଷୀୟ ରୋଷେୟା ରହିଥିଲେ। ସେ ତାଙ୍କର ଜଣେ ସମ୍ପର୍କୀୟଙ୍କୁ ଦେଖା କରିବାକୁ ଡାକ୍ତରଖାନା ଯାଇଥିଲେ। ସେଠାରେ ତାଙ୍କର ହୃଦ୍ଘାତରେ ମୃତ୍ୟୁ ହୋଇଥିଲା। ନିୟମ ଅନୁସାରେ କରୋନା ପରୀକ୍ଷା ବାଧ୍ୟତାମୂଳକ ଥିବାରୁ ତାଙ୍କର ପରୀକ୍ଷା କରାଯାଇଥିଲା। ସେ କରୋନାରେ ଆକ୍ରାନ୍ତ ବୋଲି ପରୀକ୍ଷାରୁ ଜଣାପଡ଼ିଥିଲା ବୋଲି ‘ସାଇ’ର ଅଧିକାରୀ କହିଛନ୍ତି। ଆମ କ୍ୟାମ୍ପସ୍ ୩ ଭାଗରେ ବିଭକ୍ତ ଯଥା ଗେଟ୍ ଏରିଆ, ସେକ୍ସନ୍-ଏ ଓ ସେକ୍ସନ୍-ବି। ଖେଳାଳିମାନେ ଶେଷ ଭାଗ ବା ସେକ୍ସନ୍-ବିରେ ରହୁଛନ୍ତି। ସେମାନେ ପୂର୍ଣ୍ଣ ମାତ୍ରାରେ ସୁରକ୍ଷିତ ଅଛନ୍ତି। ଗତ ଦୁଇମାସ ହେଲାଣି ଖେଳାଳିମାନେ ସଂଗରୋଧ ଭଳି ରହୁଛନ୍ତି ବୋଲି ଅଧିକାରୀ ଜଣକ ପ୍ରକାଶ କରିଛନ୍ତି। ମୃତ ବ୍ୟକ୍ତି ଜଣଙ୍କ ୬୫ ଦିନ ହେବ କ୍ୟାମ୍ପସ୍ ବାହାରେ ରହୁଥିଲେ। ଜାତୀୟସ୍ତରରେ ଲକ୍ଡାଉନ୍ ଘୋଷଣା ପୂର୍ବରୁ ଆମ କ୍ୟାମ୍ପସ୍ ମାର୍ଚ ୧୦ରୁ ଲକ୍ଡାଉନ୍ ହୋଇଥିଲା। ମୃତ ରୋଷେୟା ଶେଷ ଥର ଲାଗି ମାର୍ଚ ୧୫ରେ କ୍ୟାମ୍ପସ୍ ଆସିଥିଲା। କିନ୍ତୁ ଗେଟ୍ ନିକଟରୁ ତାଙ୍କୁ ଫେରାଇ ଦିଆଯାଇଥିଲା। ହେଲେ ସୁରକ୍ଷା ଦୃଷ୍ଟିରୁ ସୁରକ୍ଷା କର୍ମଚାରୀଙ୍କ ସହ ୪-୫ ଜଣ ସଂଗରୋଧରେ ରହିଛନ୍ତି ବୋଲି ଅଧିକାରୀ ଜଣଙ୍କ କହିଛନ୍ତି।