‘୧୯୮୩’ ବିଶ୍ବକପ୍ ବିଜୟର ଅକୁହା କଥା: ଭାରତ ଜିତିବାରୁ ଶ୍ରୀକାନ୍ତଙ୍କୁ ଆମେରିକା ଛୁଟି ବାତିଲ କରିବାକୁ ପଡ଼ିଥିଲା

ମୁମ୍ବାଇ: ଭାରତର ପ୍ରଥମ ବିଶ୍ବକପ୍ ବିଜୟ (୧୯୮୩)କୁ ନେଇ ଅନେକ ରୋଚକ କାହାଣୀ ଅଛି। ଭାରତୀୟ ଖେଳାଳିଙ୍କ ଜିରୋରୁ ହିରୋ ପାଲଟିବାର ଏହି କାହାଣୀକୁ ନେଇ ‘୮୩’ ନାମକ ଏକ ଚଳଚ୍ଚିତ୍ର ମଧ୍ୟ ନିର୍ମାଣ ସରିଛି। ତେବେ କରୋନା ଆତଙ୍କ ପାଇଁ ଏହା ମୁକ୍ତିଲାଭ କରି ପାରି ନାହିଁ। ଚଳଚ୍ଚିତ୍ରର ନିର୍ଦ୍ଦେଶକ କବିର ଖାନ୍ କିନ୍ତୁ ଏଥିରେ ସ୍ଥାନ ପାଇଥିବା ଏକ ରୋଚକ ତଥ୍ୟ ଉପରୁ ଆଗୁଆ ପରଦା ଉଠାଇ ଦେଇଛନ୍ତି। ଭାରତୀୟ କ୍ରିକେଟ୍ ଦଳର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ କୃଷ୍ଣାମଚାରି ଶ୍ରୀକାନ୍ତଙ୍କୁ କିଭଳି ନିଜ ଆମେରିକା ଗସ୍ତ ବାତିଲ କରିବାକୁ ପଡ଼ିଥିଲା, ସେ ବିଷୟରେ ସମ୍ୟକ ସୂଚନା ଦେଇଛନ୍ତି କବିର। ତେବେ ଚଳଚ୍ଚିତ୍ରରେ ଏହିଭଳି ୧୦୦ ଅକୁହା କଥା ସ୍ଥାନ ପାଇଥିବ ସେ ସ୍ପଷ୍ଟ କରିଛନ୍ତି। ସେହିଭଳି ‘୮୩’ର କାହାଣୀରେ କେବଳ ଖେଳାଳି ନୁହେଁ ଦର୍ଶକ ଓ ଭାଷ୍ୟକାରଙ୍କ ଦୃଷ୍ଟିକୋଣ ମଧ୍ୟ ସ୍ଥାନ ପାଇଥିବା ପ୍ରକାଶ କରିଛନ୍ତି।

ଶ୍ରୀକାନ୍ତଙ୍କ ରୋଚକ ଅଧ୍ୟାୟ କଥା ବର୍ଣ୍ଣନା କରି କବିର କହିଛନ୍ତି ଯେ ବିଶ୍ବକପର ମାତ୍ର ତିନି ମାସ ପୂର୍ବରୁ ଶ୍ରୀକାନ୍ତ ବିବାହ କରିଥିଲେ। ଭାରତୀୟ ଦଳ ଗ୍ରୁପ୍ ପର୍ଯ୍ୟାୟ ଆଗକୁ ବଢ଼ି ପାରିବ ନାହିଁ ବୋଲି ଭାବି କରି ଅନ୍ୟ ୬ ଖେଳାଳିଙ୍କ ସହ ଆମେରିକାକୁ ଛୁଟି କଟାଇବାକୁ ଯିବା ଲାଗି ସେ ଟିକେଟ୍ ବୁକ୍ କରି ନେଇଥିଲେ। ଗ୍ରୁପ୍ ପର୍ଯ୍ୟାୟ ସରୁ ସରୁ ସେମାନେ ଆମେରିକା ଯିବା ଲକ୍ଷ୍ୟରେ ଥିଲେ। ଭାରତ ଗ୍ରୁପ୍ ପର୍ଯ୍ୟାୟରୁ ହିଁ ବିଦାୟ ନେଇଯିବ ବୋଲି ଦଳର ଖେଳାଳିମାନେ ନିଶ୍ଚିତ ଥିଲେ। ୭ ଜଣ ଯାକ ମୁମ୍ବାଇରୁ ଭାୟା ଲଣ୍ଡନ ଦେଇ ନ୍ୟୁୟର୍କ ଯିବାକୁ ଯୋଜନା କରିଥିଲେ। ନ୍ୟୁୟର୍କ ଯିବା ବାଟରେ ହିଁ କିଛି ଦିନ ପାଇଁ ଖୁସିବାସିରେ ସେମାନେ ବିଶ୍ବକପ୍ ଖେଳିନେବେ ବୋଲି ସ୍ଥିିର କରିଥିଲେ। ସେମିଫାଇନାଲ ସେମାନଙ୍କ ପାଇଁ ସ୍ବପ୍ନ ଥିଲ, ଫାଇନାଲ୍ କଥା ଛାଡ଼ନ୍ତୁ। ହେଲେ ଭାରତ ଯେତେବେଳେ ଗ୍ରୁପ୍ ପର୍ଯ୍ୟାୟରୁ ସେମିଫାଇନାଲ୍ ଲାଗି ଯୋଗ୍ୟତା ଅର୍ଜନ କରିଥିଲା, ବାଧ୍ୟ ହୋଇ ସେମାନଙ୍କୁ ନିଜ ନିଜ ଟିକେଟ୍ ବାତିଲ କରିବାକୁ ପଡ଼ିଥିଲା। ଏହିଭଳି ରୋଚକ ଓ ଅକୁହା କଥାରେ ‘୮୩’ ଭରପୁର ବୋଲି କବିର କହିଛନ୍ତି। ତା’ ସହ ଚଳଚ୍ଚିତ୍ରଟି ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଏହି ଚଳଚ୍ଚିତ୍ରରେ ରଣବୀର ସିଂହ ମୁଖ୍ୟ ଚରିତ୍ରରେ ଥିଲା ବେଳେ ସେ ଭାରତୀୟ କ୍ରିକେଟ୍ ଦଳର ତତକାଳୀନ ଅଧିନାୟକ କପିଳ ଦେବଙ୍କ ଭୂମିକାରେ ଦେଖାଯିବ‌େ। ରଣବୀରଙ୍କ ପତ୍ନୀ ତଥା ପ୍ରସିଦ୍ଧ ଅଭିନେତ୍ରୀ ଦୀପିକା ପାଦୁକୋନ କପିଳଙ୍କ ପତ୍ନୀ ରୋମା ଦେବଙ୍କ ଭୂମିକାରେ ଅଭିନୟ କରିବେ।

ସମ୍ବନ୍ଧିତ ଖବର