ତୃତୀୟ ରାଉଣ୍ଡ୍‌ରେ କ୍ୱିଟୋଭା, ସ୍ୱିତୋଲିନା

ସାମ୍‌ କ୍ୱେରି, ଥୋମାସ୍‌ ବର୍ଦିକ୍‌ ବିଦା

ପ୍ୟାରିସ୍‌: ଚେକ୍‌ ଗଣରାଜ୍ୟ ଲଳନା ପେଟ୍ରା କ୍ୱିଟୋଭା ଚଳିତ ବର୍ଷର ଦ୍ୱିତୀୟ ଗ୍ରାଣ୍ଡ୍‌ ସ୍ଲାମ୍‌ ଟେନିସ୍‌ ପ୍ରତିଯୋଗିତା ଫ୍ରେଞ୍ଚ୍‌ ଓପନ୍‌ର ମହିଳା ଏକକ ତୃତୀୟ ରାଉଣ୍ଡ୍‌ରେ ସ୍ଥାନ ପକ୍କା କରିନେଇଛନ୍ତି। ଦୁଇ ଥର ଓ୍ଵିମ୍ବିଲଡନ୍‌ ବିଜୟିନୀ ତଥା ଏଠାରେ ଅଷ୍ଟମ ମାନ୍ୟତା କ୍ୱିଟୋଭା ବୁଧବାର ଦ୍ୱିତୀୟ ରାଉଣ୍ଡ୍‌ ମୁକାବିଲାରେ ସ୍ପେନ୍‌ର ଲାରା ଅରୁବାରେନାଙ୍କୁ ସିଧାସଳଖ ୬-୦, ୬-୪ ସେଟ୍‌ରେ ପରାସ୍ତ କରି ଦେଇଛନ୍ତି। ଏଥି ସହିତ ପ୍ରାୟ ୫ ବର୍ଷ ପରେ ସେ ରୋଲାଁ ଗ୍ୟାରସ୍‌ରେ ପ୍ରଥମ ଥର ଲାଗି କ୍ୱାର୍ଟର ଫାଇନାଲ୍‌ ଖେଳିବା ଦିଗରେ ଆଉ ଗୋଟିଏ ପାଦ ଆଗକୁ ବଢ଼ାଇଛନ୍ତି। ଶେଷ ଥର ପାଇଁ ୨୦୧୨ରେ କ୍ୱିଟୋଭା ଏଠାରେ କ୍ୱାର୍ଟର ଫାଇନାଲ୍‌ ପହଞ୍ଚିଥିଲେ। ଅନ୍ୟପକ୍ଷରେ ୨୮ ବର୍ଷ ବୟସ୍କା କ୍ୱିଟୋଭା ମଧ୍ୟ ପ୍ରାଗ୍‌ ଓ ମାଦ୍ରିଦ୍‌ ଓପନ୍‌ରେ ଟ୍ରଫି ଜିତିବା ପରେ କ୍ଲୋ କୋର୍ଟରେ କ୍ରମାଗତ ୧୩ ମ୍ୟାଚ୍‌ ଜିତିଲେ। ସେହିପରି ୟୁକ୍ରେନ୍‌ ଲଳନା ଇଲିନା ସ୍ୱିତୋଲିନା ମଧ୍ୟ ମହିଳା ଏକକ ଦ୍ୱିତୀୟ ରାଉଣ୍ଡ୍‌ ଅତିକ୍ରମ କରିଛନ୍ତି। ବୁଧବାର ଚତୁର୍ଥ ମାନ୍ୟତା ସ୍ୱିତୋଲିନା ସ୍ଲୋଭାକିଆର ଭିକ୍ଟୋା କୁଜ୍‌ମୋଭାଙ୍କୁ ସିଧାସଳଖ ୬-୩ ଓ ୬-୪ ସେଟ୍‌ରେ ପରାସ୍ତ କରି ତୃତୀୟ ରାଉଣ୍ଡ୍‌ ପ୍ରବେଶ କରିଛନ୍ତି। କୁଜ୍‌ମୋଭା ପ୍ରଥମ ରାଉଣ୍ଡ୍‌ରେ ୨୦୧୦ ବିଜୟିନୀ ଫ୍ରାନ୍‌ସେସ୍କା ସିଆଭୋନେଙ୍କୁ ପରାସ୍ତ କରି ବିଦାୟ ରାସ୍ତା ଦେଖାଇଥିଲେ। ଅନ୍ୟପକ୍ଷରେ ଶୀର୍ଷ ମାନ୍ୟତା ସିମୋନା ହାଲେପ୍‌ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ଏହି ରୋମାନିଆ ଲଳନା ପ୍ରଥମ ରାଉଣ୍ଡ୍‌ରେ ଆମେରିକାର ଆଲିସନ୍‌ ରିସ୍କେଙ୍କୁ ୨-୬, ୬-୧ ଓ ୬-୧ ସେଟ୍‌ରେ ପରାସ୍ତ କରି ଦ୍ୱିତୀୟ ରାଉଣ୍ଡ୍‌ରେ ପହଞ୍ଚି ଯାଇଛନ୍ତି। ଅନ୍ୟ ମହିଳା ଏକକ ମୁକାବିଲାରେ ତ୍ରୟୋଦଶ ମାନ୍ୟତା ମାଡିସନ୍‌ କେୟସ୍‌, ୨୧ତମ ମାନ୍ୟତା ନାଓମି ଓସାକା ଏବଂ ୨୬ତମ ମାନ୍ୟତା ବାର୍ବରା ଷ୍ଟ୍ରାଇକୋଭା ନିଜ ନିଜର ସିଧାସଳଖ ସେଟ୍‌ ବିଜୟ ସହ ଦ୍ୱିତୀୟ ରାଉଣ୍ଡ୍‌ ଅତିକ୍ରମ କରିଛନ୍ତି। ତେବେ ପୁରୁଷ ଏକକରେ ଅଷ୍ଟମ ମାନ୍ୟତା ଡେଭିଡ୍‌ ଗଫିନ୍‌, ତ୍ରୟୋଦଶ ମାନ୍ୟତା ରବର୍ଟ ବତିସ୍ତା ଅଗୁଟ୍‌, ୨୦ତମ ମାନ୍ୟତା ସର୍ବିଆ ତାରକା ନୋଭାକ୍‌ ଜୋକୋଭିକ୍‌, ୩୦ତମ ମାନ୍ୟତା ଫର୍ନାଣ୍ଡୋ ଭର୍ଦେସ୍କୋ ସିଧାସଳଖ ସେଟ୍‌ ବିଜୟ ସହ ଦ୍ୱିତୀୟ ରାଉଣ୍ଡ୍‌ ଅତିକ୍ରମ କରିଥିଲା ବେଳେ ଦ୍ୱିତୀୟ ମାନ୍ୟତା ଆଲେକ୍‌ଜାଣ୍ଡର ଭେରେଭ୍‌, ଚତୁର୍ଥ ମାନ୍ୟତା ଗ୍ରିଗୋର୍‌ ଦିମିତ୍ରୋଭ୍‌ ଓ ୧୯ତମ ମାନ୍ୟତା କେଇ ନିଶିକୋରି ୫ ସେଟ୍‌ ସଂଘର୍ଷ କରି ତୃତୀୟ ରାଉଣ୍ଡ୍‌ରେ ସ୍ଥାନ ପକ୍କା କରିଛନ୍ତି। ତେବେ ଦଶମ ମାନ୍ୟତା ପାବ୍‌ଲୋ କାରେନୋ ବୁସ୍ତା, ଦ୍ୱାଦଶ ମାନ୍ୟତା ସାମ୍‌ କ୍ୱେରି ଏବଂ ସପ୍ତଦଶ ମାନ୍ୟତା ଥୋମାସ୍‌ ବର୍ଦିକ୍‌ ପରାଜୟ ସହ ବିଦାୟ ନେଇଛନ୍ତି।

ସମ୍ବନ୍ଧିତ ଖବର