ତୃତୀୟ ଟେଷ୍ଟ୍‌: ଇଂଲଣ୍ଡ ୪୯୯/୯, ଦକ୍ଷିଣ ଆଫ୍ରିକା ୬୦/୨

ତୃତୀୟ ଟେଷ୍ଟ୍‌ରୁ ରବାଦା ନିଲମ୍ବିତ

ପୋର୍ଟ ଏଲିଜାବେଥ୍‌: ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟେଷ୍ଟ୍‌ରେ ଅତିଥି ଇଂଲଣ୍ଡ ଦଳ ତା’ ପ୍ରଥମ ପାଳିକୁ ୪୯୯/୯ରେ ଘୋଷଣା କରିଛି। ଶୁକ୍ରବାର ୨୨୪/୪ରୁ ଖେଳିଥିବା ଇଂଲଣ୍ଡ ଏଥିରେ ୨୭୫ ରନ୍‌ ଯୋଡ଼ି ଆଉ ୫ ୱିକେଟ୍‌ ହରାଇବା ପରେ ପାଳି ଘୋଷଣା କରିଥଲା। ଅଲ୍‌ରାଉଣ୍ଡର ବେନ୍‌ ଷ୍ଟୋକ୍ସ (୧୨୦) ଓ ଓଲି ପୋପ୍‌ (୧୩୫*) ଶତକ ପୂରଣ କରିଥିଲେ। ଏହି ଦୁଇ ଜଣଙ୍କ ବାଦ୍‌ ଦ୍ବିତୀୟ ଦିନ ସାମ କରନ୍‌ ୪୪ ଓ ମାର୍କ ଉଡ୍‌ ୪୨ ରନ୍‌ର ଉପଯୋଗୀ ପାଳି ଖେଳିଥିଲେ। ଇଂଲଣ୍ଡ ପକ୍ଷରୁ କେଶବ ମହାରାଜ ୫ ୱିକେଟ୍‌ ନେଇଥିଲେ। ଜବାବରେ ଦକ୍ଷିଣ ଆଫ୍ରିକା ଷ୍ଟମ୍ପ୍‌ ଅପସାରଣ ବେଳକୁ ୨ ୱିକେଟ୍‌ ହରାଇ ୬୦ ରନ୍‌ କରିଛି। ଡିନ୍‌ ଏଲ୍‌ଗର ୩୨ ଓ ଆନରିଚ ନର୍ଜେ କିଛି ରନ୍‌ ନକରି ଅପରାଜିତ ରହିଛନ୍ତି।

ସଂକ୍ଷିପ୍ତ ସ୍କୋର୍‌: ଇଂଲଣ୍ଡ ୧୫୨ ଓଭରରେ ୪୯୯/୯ରେ ଘୋଷଣା (ଜାକ୍‌ କ୍ରଲି ୪୪, ବେନ୍‌ ‌ଷ୍ଟୋକ୍ସ ୧୨୦, ଓଲି ପୋପ୍‌ ୧୩୫*, ସାମ କରନ ୪୪, ମାର୍କ ଉଡ୍‌ ୪୨, କାଗିସୋ ରବାଦା ୨/୯୭, କେଶବ ମହାରାଜ ୫/୧୮୦)। ଦକ୍ଷିଣ ଆଫ୍ରିକା ୧୮ ଓଭରରେ ୬୦/୨ (ଡିଅନ୍‌ ଏଲ୍‌ଗର ୩୨*, ପିଟର ମଲାନ ୧୮, ଜୁବେର ହମ୍‌ଜା ୧୦, ଡୋମିନିକ୍‌ ବେସ ୨/୧୨)।

ଇଂଲଣ୍ଡର ୫୦୦ ବିଦେଶ ଟେଷ୍ଟ୍‌: ୧୪୩ ବର୍ଷରେ ପ୍ରଥମ
ପୋର୍ଟ ଏଲିଜାବେଥ୍‌: ବିଶ୍ବର ପ୍ରଥମ ଦେଶ ଭାବେ ଇଂଲଣ୍ଡ ନିଜର ୫୦୦ତମ ବିଦେଶ ଟେଷ୍ଟ୍‌ ଖେଳୁଛି। ଟେଷ୍ଟ୍‌ କ୍ରିକେଟ୍‌ର ୧୪୩ ବର୍ଷ ଇତିହାସରେ ଇଂଲଣ୍ଡ ଏହି ନୂଆ କୀର୍ତ୍ତିମାନ ଛୁଇଁଛି। ୧୮୭୭ ମସିହା ମାର୍ଚ ୧୫ରୁ ୧୯ ତାରିଖ ମଧ୍ୟରେ ମେଲବର୍ନ କ୍ରିକେଟ୍ ଗ୍ରାଉଣ୍ଡ୍‌ (ଏମସିଜି)ରେ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସର୍ବପ୍ରଥମ ଟେଷ୍ଟ୍‌ ମ୍ୟାଚ୍‌ ଖେଳାଯାଇଥିଲା। ବିଦେଶ ମାଟିରେ ଖେଳିଥିବା ଏହି ୫୦୦ ଟେଷ୍ଟ୍ ମ୍ୟାଚ୍‌ ମଧ୍ୟରୁ ଇଂଲଣ୍ଡ ୧୪୯ ଜିତିଥିବା ବେଳେ ୧୮୨ ହାରିଛି। ଦକ୍ଷିଣ ଆଫ୍ରିକାରେ ଖେଳିଥିବା ୮୩ ଟେଷ୍ଟ୍ ମଧ୍ୟରୁ ୩୨ ବିଜୟ, ୩୧ ଅମୀମାଂସିତ ଏବଂ ୨୦ ପରାଜୟ ବରଣ କରିଛି। ଇଂଲଣ୍ଡ କିନ୍ତୁ ମୋଟ ଉପରେ ୧୦୨୦ ଟେଷ୍ଟ ଖେଳି ୩୬୯ ଜିତିଛି। ମୋଟ ଉପରେ ଅନ୍ୟୁନ ୫୦୦ ଟେଷ୍ଟ୍‌ ଖେଳିଥିବା ଦେଶ ମଧ୍ୟରେ ରହିଛନ୍ତି ଅଷ୍ଟ୍ରେଲିଆ (୮୩୦), ୱେଷ୍ଟଇଣ୍ଡିଜ୍ (୫୪୫) ଏବଂ ଭାରତ (୫୪୦)।

ପୋର୍ଟ ଏଲିଜାବେଥ୍: ଆଉ ଏକ ଡିମେରିଟ୍‌ ପଏଣ୍ଟ ଅର୍ଜନ କରିବା ଫଳରେ ଦକ୍ଷିଣ ଆଫ୍ରିକାର ପ୍ରମୁଖ ଦ୍ରୁତ ବୋଲର କାଗିସୋ ରବାଦାଙ୍କୁ ଗୋଟିଏ ଟେଷ୍ଟ୍‌ରୁ ବାସନ୍ଦ କରାଯାଇଛି। ପୋର୍ଟ ଏଲିଜାବେଥ୍‌ର ସେଣ୍ଟ ଜର୍ଜ ପାର୍କରେ ଗୁରୁବାରଠାରୁ ଆରମ୍ଭ ହୋଇଥିବା ଇଂଲଣ୍ଡ ବିପକ୍ଷ ତୃତୀୟ ଟେ‌ଷ୍ଟ୍‌ର ପ୍ରଥମ ଦିନରେ ଜୋ ରୁଟ୍‌ଙ୍କ ୱି‌କେଟ୍‌ ଦଖଲ ପରେ ରବାଦା ତାଙ୍କ ସାମ୍ନାରେ ଅଶୋଭନୀୟ ଢଙ୍ଗରେ ଉତ୍ସବ ପାଳିଥିଲେ। ଏଥିପାଇଁ ମ୍ୟାଚ୍‌ ରେଫରି ତାଙ୍କ ପାଉଣାର ୧୫ ପ୍ରତିଶତ କାଟିଛନ୍ତି ଏବଂ ଗୋଟିଏ ଡିମେରିଟ୍‌ ପଏଣ୍ଟ୍ ଲଦି ଦେଇଛନ୍ତି। ବିଗତ ୨୪ ମାସ ମଧ୍ୟରେ ରବାଦା ମୋଟ ୪ ଡିମେରିଟ୍ ପଏଣ୍ଟ ପାଇଥିବାରୁ ଗୋଟିଏ ଟେଷ୍ଟ୍‌ରୁ ନିଲମ୍ବିତ କରାଯାଇଛି। ଫଳରେ ଜୋହାନସବର୍ଗରେ ଜାନୁଆରି ୨୪ରୁ ଖେଳାଯିବାକୁ ଥିବା ଚଳିତ ଶୃଙ୍ଖଳାର ଚତୁର୍ଥ ତଥା ଶେଷ ଟେଷ୍ଟ୍‌ରେ ରବାଦା ଖେଳିପାରିବେ ନାହିଁ। ଆଇସିସିର ବୋଲରଙ୍କ ମାନ୍ୟତାରେ ୪ ନମ୍ବର ସ୍ଥାନରେ ଥିବା ରାବାଦା ନିଜ ଭୁଲକୁ ସ୍ବୀକାର କରି ନେଇଥିଲେ। ମ୍ୟାଚ୍‌ ରେଫରି ଆଣ୍ଡି ପାଇକ୍ରଫ୍ଟ କିନ୍ତୁ ଦଣ୍ଡ ଶୁଣାଇ ଦେଇଥିଲେ। ୨ ବର୍ଷ ତଳେ ମଧ୍ୟ ରବାଦା ଅଷ୍ଟ୍ରେଲିଆର ତତ୍‌କାଳୀନ ଅଧିନାୟକ ଷ୍ଟିଭ୍ ସ୍ମିଥଙ୍କ ସହ ଶାରୀରିକ ସଂଘର୍ଷରେ ସାମିଲ ରହିବାରୁ ୫୦ ପ୍ରତିଶତ ମ୍ୟାଚ୍‌ ପାଉଣା ହରାଇବା ସହ ୨ ଟେଷ୍ଟ୍‌ରୁ ନିଲମ୍ବିତ ହୋଇଥିଲେ।

ସମ୍ବନ୍ଧିତ ଖବର