ଆଜିର ଦିନରେ ଦ୍ବିତୀୟ ଟେ‌ଷ୍ଟ୍‌ ତ୍ରିଶତକ ଜମାଇଥିଲେ ସେହବାଗ୍‌

ନୂଆଦିଲ୍ଲୀ: ୧୨ ବର୍ଷ ତଳେ ଠିକ୍‌ ଆଜିର ଦିନ (ମାର୍ଚ୍ଚ ୨୯ ତାରିଖ) ଭାରତୀୟ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ବୀରେନ୍ଦ୍ର ସେହବାଗ୍‌ଙ୍କ ପାଇଁ ସ୍ମରଣୀୟ ଥିଲା। ଏହି ବିସ୍ଫୋରକ ବ୍ୟାଟ୍‌ସମ୍ୟାନ୍‌ ଟେଷ୍ଟ୍‌ରେ ଦ୍ବିତୀୟ ତ୍ରିଶତକ ଜମାଇବାର କୀର୍ତ୍ତିମାନ ରଚିଥିଲେ। ସେହବାଗ୍‌ ମଧ୍ୟ ଅନ୍ୟ ୪ ବ୍ୟା‌ଟ୍‌ସମ୍ୟାନ୍‌ଙ୍କ ମଧ୍ୟରୁ ଅନ୍ୟତମ ଭାବେ ଟେଷ୍ଟ୍‌ରେ ଏକାଧିକ ତ୍ରିଶତକ ଜମାଇବାର ସଫଳତା ସାଉଁଟିଥିଲେ। ପୁଣି ଏଭଳି ସଫଳତା ହାସଲ କରିବାରେ ସେ ପ୍ରଥମ ଭାରତୀୟ ବ୍ୟାଟ୍‌ସମ୍ୟାନ୍‌ ଥିଲେ। ଅବଶ୍ୟ ୨୦୧୬ ଡିସେମ୍ବରରେ ଇଂଲଣ୍ଡ ବିପକ୍ଷରେ ୩୦୩ ରନ୍‌ କରି କରୁଣ ନାୟାର ସେହବାଗ୍‌ଙ୍କ କ୍ଲବ୍‌ରେ ସାମିଲ ହୋଇଥିଲେ। ତେବେ ସଂଯୋଗବଶତଃ ସେହବାଗ୍‌ଙ୍କ ଦୁଇଟିଯାକ ତ୍ରିଶତକ ୪ ବର୍ଷ ବ୍ୟବଧାନରେ ସମାନ ତାରିଖରେ ହିଁ ଦେଖିବାକୁ ମିଳିଥିଲା। ୨୦୦୮ ମାର୍ଚ୍ଚ ୨୯ ତାରିଖରେ ଚେନ୍ନାଇର ଏମ୍‌ଏ ଚିଦମ୍ବରମ୍‌ ଷ୍ଟାଡିୟମ୍‌ରେ ସେହବାଗ୍‌ ତାଙ୍କ ଜାଜୁଲ୍ୟମାନ କ୍ରିକେଟ୍‌ ଜୀବନର ଦ୍ବିତୀୟ ଟେଷ୍ଟ୍‌ ତ୍ରିଶତକ ହାସଲ କରିଥିଲେ। ଦକ୍ଷିଣ ଆଫ୍ରିକା ବିପକ୍ଷ ଏହି ଟେଷ୍ଟ୍‌ରେ ସେ ୩୦୪ ବଲ୍‌ରୁ ୩୧୯ ରନ୍‌ କରିଥିଲେ ଯାହାକି ଦ୍ରୁତତମ ତ୍ରିଶତକର କିର୍ତ୍ତି ବହନ କରିଥିଲା। ସେହି ବିସ୍ଫୋରକ ପାଳିରେ ସେହବାଗ୍‌ ୪୨ ଚୌକା ଓ ୫ ଛକା ମାରିଥିଲେ। ତାଙ୍କ ସ୍ମରଣୀୟ ପାଳି ବଳରେ ଭାରତ ୬୨୭ ରନ୍‌ କରିଥିଲା। ତେବେ ନିଲ୍‌ ମ୍ୟାକେଞ୍ଜିଙ୍କ ଅପରାଜିତ ୧୫୫ (୩୩୯ ବଲ୍‌) ରନ୍‌ ବଳରେ ଦକ୍ଷିଣ ଆଫ୍ରିକା ଏହି ‌ଟେ‌ଷ୍ଟ୍‌କୁ ଅମୀମାଂସିତ ରଖିବାରେ ସମର୍ଥ ହୋଇଥିଲା।

ଏହାର ୪ ବର୍ଷ ପୂର୍ବରୁ ତଥା ୨୦୦୪ ମସିହା ମାର୍ଚ୍ଚ ୨୯ ତାରିଖରେ ସେତେବେଳର ଶକ୍ତିଶାଳୀ ପାକିସ୍ତାନ ବୋଲିଂ ଆକ୍ରମଣ ବିପକ୍ଷରେ ସେହବାଗ୍‌ ନିଜ ଟେଷ୍ଟ୍‌ ଜୀବନର ପ୍ରଥମ ତ୍ରିଶତକ ଜମାଇଥିଲେ। ସୋଏବ୍‌ ଅଖ୍‌ତର, ମହମ୍ମଦ ସାମି ଓ ସାକ୍‌ଲିନ୍‌ ମୁସ୍ତାକଙ୍କ ଭଳି ବୋଲରଙ୍କୁ ନେଇ ଗଠିତ ପାକିସ୍ତାନ ବିପକ୍ଷ ମୁଲ୍‌ତାନ ଟେଷ୍ଟରେ ସେହବାଗ୍‌ ୩୦୯ ରନ୍‌ କରିଥିଲେ। ସେହି ସ୍ମରଣୀୟ ପାଳିରେ ସେହବାଗ୍‌ ୩୭୫ ବଲ୍‌ର ସାମ୍‌ନା କରି ୩୯ ଚୌକା ଓ ୬ ଛକା ମାରିଥିଲେ। ସେ ପ୍ରଥମେ ଆକାଶ ଚୋପ୍ରାଙ୍କ ସହ ପ୍ରଥମ ୱିକେଟ୍‌ରେ ୧୬୦ ରନ୍‌ ଯୋଡ଼ିବା ପରେ ମାଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକରଙ୍କ ସହ ତୃତୀୟ ୱିକେଟ୍‌ରେ ୩୩୬ ରନ୍ ଯୋଡ଼ିଥିଲେ। ସେହବାଗ୍‌ ୩୦୯ ରନ୍‌ କରି ଆଉଟ୍‌ ହୋଇଥିଲା ବେଳେ ସଚିନ୍ ୧୯୪ ରନ୍‌ରେ ଅପରାଜିତ ରହିଥିଲେ। ସେହବାଗ୍‌ଙ୍କ ବଳରେ ଭାରତ ପ୍ରଥମ ପାଳିକୁ ୬୭୫/୫ରେ ଘୋଷଣା କରିଦେଇଥିଲା। ଶେଷରେ ଭାରତ ମଧ୍ୟ ଏହି ଟେଷ୍ଟ୍‌କୁ ଏକ ପାଳି ଓ ୫୨ ରନ୍‌ରେ ଜିତିଥିଲା।

ସମ୍ବନ୍ଧିତ ଖବର