ଏ ମ୍ୟାଚ୍ ପ୍ରି-କ୍ବାର୍ଟର ଭଳି: ହରେନ୍ଦ୍ର

ଭୁବନେଶ୍ବର: ରବିବାରର ମ୍ୟାଚ୍ ଆମ ପାଇଁ ପ୍ରିକ୍ବାର୍ଟର ଫାଇନାଲ୍ ଭଳି। ଏହାକୁ ଜିତି ଆମେ ସିଧାସଳଖ କ୍ବାର୍ଟର ଫାଇନାଲ୍‌ ସ୍ଥାନ ପକ୍କା କରିବା ଲକ୍ଷ୍ୟରେ ରହିବୁ ବୋଲି କହିଛନ୍ତି ଭାରତୀୟ ଦଳ ପ୍ରଶିକ୍ଷକ ହରେନ୍ଦ୍ର ସିଂହ। ଆମେ ଆଦୌ ଅତୀତ ପ୍ରଦର୍ଶନ ଉପରେ ଗୁରୁତ୍ବ ଦେଉନାହୁଁ। ଅତୀତ ମ୍ୟାଚ୍‌ର ସକରାତ୍ମକ ଦିଗକୁ ନେଇ ଆଗକୁ ବଢ଼ୁଛି। ଖରାପ ପ୍ରଦର୍ଶନକୁ ଭାବି ଭବିଷ୍ୟତକୁ ଖରାପ କରିବାକୁ ଚାହୁଁନାହୁଁ ବୋଲି କହିଛନ୍ତି ଏହି ଅନୁଭବୀ ପ୍ରଶିକ୍ଷକ। ବେଲ୍‌ଜିୟମ ଆକ୍ରାମକ ଖେଳୁଛି, ବିଗତ ୪/୫ ବର୍ଷ ଧରି ମଧ୍ୟ ଏହାର ପ୍ରଦର୍ଶନରେ ଢେର ଉନ୍ନତି ଘଟିଛି। ଆମକୁ ସେହି ତୁଳନାରେ ଖେଳିବାକୁ ପଡ଼ିବ। ମଧ୍ୟଭାଗ ଦୁର୍ବଳତା ଆମ ପାଇଁ ଏକମାତ୍ର ଚିନ୍ତାର କାରଣ। ଆମେ ସେହି ତୁଳନାରେ ପ୍ରସ୍ତୁତ ହେଉଛୁ ବୋଲି କହିଛନ୍ତି ୨ ବର୍ଷ ତଳେ ଭାରତକୁ କନିଷ୍ଠ ବିଶ୍ବକପ୍ ବିଜେତା କରାଇଥିବା ହରେନ୍ଦ୍ର। ପ୍ରଥମ ମ୍ୟାଚ୍‌ରେ ପ୍ରଶଂସନୀୟ ବିଜୟ ହାସଲ କରିବା ସତ୍ତ୍ବେ ଆମେ ଆତ୍ମପ୍ରସନ୍ନ ହୋଇନାହୁଁ। ପୂର୍ବ ଭଳି ମ୍ୟାଚ୍‌ରୁ ମ୍ୟାଚ୍ ଅନୁଶୀଳନ କରି ଖେଳିବୁ। ଚାମ୍ପିଅନ୍ସ ଟ୍ରଫି କି ବିଶ୍ବ ହକି ଲିଗ୍‌ରେ କ’ଣ ହୋଇଥିଲା ଭୁଲିଯାଇଛୁ। ଅତୀତକୁ ପଛରେ ପକାଇ ନୂଆ ଅଧ୍ୟାୟ, ନୂଆ ଦଳ, ନୂଆ ପଡ଼ିଆ, ନୂଆ ବିଶ୍ବକପ୍‌ ଖେଳୁଛୁ। ଦେଶବାସୀଙ୍କ ସହିତ ୧୫,୦୦୦ ପ୍ରଶଂସକଙ୍କ ଆଶୀର୍ବାଦ ବି ରହିଛି। ଅନିଛାକୃତ ତ୍ରୁଟିକୁ କମ୍‌ କରିବୁ ଏବଂ ବାଧ୍ୟବାଧକତା ତ୍ରୁଟିକୁ ହଟାଇବାକୁ ପଡ଼ିବ। ବେଲ୍‌ଜିୟମ୍‌ର ବ୍ୟାକ୍ ପାସ ଖେଳ ନିଆରା, ଆମକୁ ସେଥିପ୍ରତି ସତର୍କ ରହିବାକୁ ପଡ଼ିବ। ଡ୍ରାଇଭର ସିଟ୍‌ରେ ବସି ଖେଳିବାକୁ ହେବ, ଦ୍ବିତୀୟ କି ତୃତୀୟ ସିଟ୍‌ରେ ନୁହେଁ। ଏଥି ପାଇଁ ଗତିର ଆବଶ୍ୟକତା ରହିଛି। କଳିଙ୍ଗ ଷ୍ଟାଡିୟମ ପ୍ରଶଂସକଙ୍କ ସମର୍ଥନ ନିଶ୍ଚିତ ଦଳ ପାଇଁ ଅତିରିକ୍ତ ଶକ୍ତି ଯୋଗାଉଛି। ପ୍ରଥମେ ଗୋଲ୍‌ ବରଣ କରିଗଲେ ବି ଏଥିରେ ହଡ଼ବଡ଼େଇ ନ ଯାଇ ପ୍ରଥମ ୫ ମିନିଟକୁ ଜଗିବାକୁ ହେବ ବୋଲି କହିଥିଲେ ହରେନ୍ଦ୍ର।

ନୂଆ ଭୂମିକାକୁ ଉପଭୋଗ କରୁଛି: ଆକାଶଦୀପ
ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ରେ ଭାରତର ଅଭିଜ୍ଞ ଅଗ୍ରଭାଗ ଖେଳାଳି ଆକାଶଦୀପ ସିଂହଙ୍କୁ ନୂଆ ଭୂମିକାରେ ଦେଖିବାକୁ ମିଳିଥିଲା। ଫରୱାର୍ଡ ପୋଜିସନ୍‌ରୁ ଖସି ସେ ମଧ୍ୟଭାଗରେ ଖେଳିଥିଲେ, ଲିଙ୍କମ୍ୟାନ୍‌ର ଦାୟିତ୍ବ ତୁଲାଇଥିଲେ। ଏହି ରଣନୀତିରେ ଭାରତ ବି ସଫଳ ହୋଇଥିଲା। ଅତୀତରେ ଧନରାଜ ପିଲେଙ୍କୁ ଏଭଳି ଭୂମିକାରେ ଦେଖିବାକୁ ମିଳିଥିଲା। କିନ୍ତୁ ଫରୱାର୍ଡ ହେବାର ପରିଚୟକୁ ହଜାଇ ନୂଆ ଦାୟିତ୍ବକୁ ଆକାଶଦୀପ୍‌ ଢେର ଉପଭୋଗ କରୁଛନ୍ତି ବୋଲି ଶନିବାର ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଧନରାଜଙ୍କ ସହ ଅତୀତରେ ବି ହକି ଇଣ୍ଡିଆ ଲିଗ୍‌ରେ ଅଭିଜ୍ଞତା ବାଣ୍ଟିଥିଲି। ଏହା ସହାୟକ ହେଉଛି ବୋଲି ଆକାଶଦୀପ୍‌ କହିଥିଲେ। ସୂଚନାଯୋଗ୍ୟ, ୨୩ ବର୍ଷୀୟ ଆକାଶଦୀପ୍‌ ଦେଶ ପାଇଁ ୧୭୪ ମ୍ୟାଚ୍ ଫରୱାର୍ଡ ଭାବେ ଖେଳିବା ପରେ ଏବେ ଦେଶ ପାଇଁ ନିଜର ବଳିଦାନ ସଦୃଶ ବିଶ୍ବକପ୍ ସ୍ମୃତି ଛାଡ଼ିବାକୁ ଯାଉଛନ୍ତି। ତାରକାରୁ କିମ୍ବଦନ୍ତୀ ପାଲଟିବାର ସମ୍ଭାବନା ବି ଦେଖାଇଛନ୍ତି ଏହି ପଞ୍ଜାବୀ ସିଂହ। ୨୦୧୦ ମସିହା ପରଠାରୁ ବିଶ୍ବ ହକିରେ ମଧ୍ୟଭାଗ ଖେଳାଳି ତୁଳନାତ୍ମ ଭାବେ ଅଧିକ ‌ଗୋଲ୍ ଦେଇଥିବାରୁ ଆକାଶଦୀପ୍‌ଙ୍କ ନୂଆ ଭୂମିକାକୁ ନେଇ କିଛି ଚିନ୍ତା କରିବାର ନାହିଁ ବୋଲି ହରେନ୍ଦ୍ର ସିଂହ ମଧ୍ୟ ସ୍ପଷ୍ଟ କରିଥିଲେ।

ସମ୍ବନ୍ଧିତ ଖବର