ସେହି ବର୍ଷ ଆଜିର ଦିନ: ଦିନିକିଆରେ ସଚିନ୍‌ଙ୍କ ୧୦,୦୦୦ ରନ୍‌

ନୂଆଦିଲ୍ଲୀ: ସେହି ବର୍ଷ ଥିଲା ୨୦୦୧ ଏବଂ ଦିନ ଥିଲା ମାର୍ଚ୍ଚ ୩୧। ୧୯ ବର୍ଷ ତଳେ ଠିକ୍‌ ଆଜିର ଦିନରେ ମାଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକର ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍‌ରେ ୧୦,୦୦୦ ରନ୍‌ ପୂରଣ କରିବାରେ ପ୍ରଥମ ବ୍ୟାଟ୍‌ସମ୍ୟାନ୍‌ ହେବାର କିର୍ତ୍ତିମାନ ରଚିଥିଲେ। ଇନ୍ଦୋରର ନେହରୁ ଷ୍ଟାଡିୟମ୍‌ରେ ସେହି ବର୍ଷ ଆଜିର ଦିନରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ହିଁ କିଂବଦନ୍ତି କ୍ରିକେଟର୍‌ ସେହି ମାଇଲଖୁଣ୍ଟ ଛୁଇଁଥିଲେ। ତାହା ଥିଲା ଅଷ୍ଟ୍ରେଲିଆ ବିପକ୍ଷ ଶୃଙ୍ଖଳାର ତୃତୀୟ ମ୍ୟାଚ୍‌। ଅତିଥି ଦଳ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ‌ସେତେବେଳକୁ ଦମ୍‌ଦାର ଫର୍ମରେ ରହିଥିଲେ ସଚିନ୍‌। ଯାହାକି ଅତିଥି ଦଳ ପାଇଁ ଆତଙ୍କ ସାଜିଥିଲେ। ଭିଭିଏସ୍‌ ଲକ୍ଷ୍ମଣଙ୍କୁ ସାଥୀ କରି ସଚିନ୍‌ ସେହି ମ୍ୟାଚ୍‌ରେ ୧୯୯ ରନ୍‌ର ଭାଗୀଦାରି ଗଢ଼ିଥିଲେ। ଏହି ଭାଗୀଦାରି ମଧରେ ସଚିନ୍‌ ମଧ୍ୟ ଶତକ ହାସଲ କରିଥିଲେ। ଆଉ ଶତକୀୟ ପାଳି ଅବସରରେ ସେ ମଧ୍ୟ ଦିନିକିଆ ଆନ୍ତର୍ଜାତିକରେ ୧୦,୦୦୦ ରନ୍‌ ଅତିକ୍ରମ କରିଯାଇଥିଲେ। ୫୦ ଓଭରିଆ ଫର୍ମାଟ୍‌ରେ ତାହା ଥିଲା ସଚିନ୍‌ଙ୍କ ୨୫୯ତମ ମ୍ୟାଚ୍‌। ତାଙ୍କ ୧୩୯ ରନ୍‌ ବଳରେ ପ୍ରଥମେ ବ୍ୟାଟିଂ ପାଇଥିବା ଭାରତ ସେହି ମ୍ୟାଚ୍‌ରେ ୨୯୯/୮ ସ୍କୋର୍‌ କରିଥିଲା। ଆଉ ଏହି ସ୍କୋର୍‌କୁ ବଞ୍ଚାଇବା ମଧ୍ୟ ଭାରତୀୟ ଦଳ ପାଇଁ ଅସମ୍ଭବ ହୋଇନଥିଲା। ମଧ୍ୟମଗତି ବୋଲର ଅଜିତ୍‌ ଅଗରଗର ଏବଂ ସ୍ପିନର ହରଭଜନ ସିଂହ ପ୍ରତ୍ୟେକ ୩ ୱିକେଟ୍‌ ଲେଖାଏଁ ଅକ୍ତିଆର କରିନେବାରୁ ଅଷ୍ଟ୍ରେଲିଆ ଦଳ ୧୮୧ ରନ୍‌ରେ ସମସ୍ତ ୱିକେଟ୍‌ ହରାଇଥିଲା। ଫଳରେ ଭାରତ ଏହି ମ୍ୟାଚ୍‌କୁ ୧୧୮ ରନ୍‌ରେ ଜିତିନେଇଥିଲା। ବିଶ୍ବ କ୍ରିକେଟ୍‌ରେ ସଚିନ୍‌ଙ୍କ ସମେତ ମୋଟ ୧୪ ଜଣ ବ୍ୟାଟ୍‌ସମ୍ୟାନ୍‌ ଦିନିକିଆ ଆନ୍ତର୍ଜାତିକରେ ୧୦,୦୦୦ରୁ ଅଧିକ ରନ୍‌ କରିଛନ୍ତି। ଆଉ ଏଭଳି ସଫଳତା ପାଇବାରେ ସଚିନ୍‌ ଦ୍ବିତୀୟ ଦ୍ରୁତତମ ଥିଲା ବେଳେ ୨୦୧୮ ଅକ୍ଟୋବର ୨୪ ତାରିଖରେ ଏବର ଅଧିନାୟକ ବିରାଟ କୋହଲି ତାଙ୍କ କୀର୍ତ୍ତିମାନକୁ ଟପିଯାଇଥିଲେ। ସଚିନ୍ ୨୫୯ ପାଳିରୁ ଏହି ମାଇଲଖୁଣ୍ଟ ଅତିକ୍ରମ କରିଥିଲା ବେଳେ କୋହଲି ଏହାକୁ ୨୦୫ ପାଳିରୁ ହାସଲ କରିନେଇଥିଲେ।

ସୂଚନାଯୋଗ୍ୟ, ୧୯ ବର୍ଷ ତଳେ ଆଜିର ଦିନରେ ୧୦,୦୦୦ ଦିନିକିଆ ଆନ୍ତର୍ଜାତିକ ରନ୍‌ ପୂରଣ କରିଥିବା ସଚିନ୍‌ ତେନ୍ଦୁଲକର କ୍ରିକେଟ୍‌ର ସମସ୍ତ ଫର୍ମାଟ୍‌ (ଟେଷ୍ଟ୍‌, ଦିନିକିଆ ଓ ଏକମାତ୍ର ଟ୍ବେଣ୍ଟି-୨୦ ଆନ୍ତର୍ଜାତିକ)ରେ ମୋଟ ୩୪,୩୫୭ ରନ୍‌ ନିଜ ନାମରେ କରିଥିଲେ। ବିଶ୍ବର ଅନ୍ୟତମ ମହାନ୍‌ ବ୍ୟାଟ୍‌ସମ୍ୟାନ୍‌ ଭାବେ ପରିଗଣିତ ସଚିନ୍‌ ଏଥି ସହିତ ଆନ୍ତର୍ଜାତିକ କ୍ରିକେଟ୍‌ରେ ସର୍ବକାଳୀନ ସର୍ବୋଚ୍ଚ ରନ୍‌ ସ୍କୋରର୍‌ ହେବାର କୀର୍ତ୍ତି ବହନ କରିଥିଲେ। ସେ ଦିନିକିଆରେ ୧୮,୪୨୬, ଟେଷ୍ଟ୍‌ରେ ୧୫,୯୨୧ ଏବଂ ‌‌ଖେଳିଥିବା ଏକମାତ୍ର ଟ୍ବେଣ୍ଟି-୨୦ରେ ୧୦ ରନ୍‌ କରିଥିଲେ। ଏହି ମାଷ୍ଟରବ୍ଲାଷ୍ଟର ୧୦୦ ଆନ୍ତର୍ଜାତିକ ଶତକ (ଦିନିକିଆରେ ୫୧ ଓ ଟେଷ୍ଟ୍‌ରେ ୪୯) ସହ ଲମ୍ବା କ୍ରିକେଟ୍‌ ଜୀବନର ସମାପ୍ତି ଘଟାଇଥିଲେ।

ସମ୍ବନ୍ଧିତ ଖବର