ଥିମ୍‌, ଗଫିନ୍‌, କ୍ୱିତୋଭା ବିଦା:ଥିମ୍‌, ଗଫିନ୍‌, କ୍ୱିତୋଭା ବିଦା

ଦ୍ୱିତୀୟ ପର୍ଯ୍ୟାୟରେ ନାଦାଲ୍‌, ଭେରଭ, ମୁଗୁରୁଜା, କେର୍ବର

ଲଣ୍ଡନ୍‌: ଚଳିତ ବର୍ଷର ତୃତୀୟ ଗ୍ରାଣ୍ଡ୍‌ ସ୍ଲାମ୍‌ ଟେନିସ୍‌ ପ୍ରତିଯୋଗିତା ‘ଓ୍ଵିମ୍ବଲ୍‌ଡନ୍‌ ଓପନ୍‌’ର ଦ୍ୱିତୀୟ ଦିନ ମାନ୍ୟତାପ୍ରାପ୍ତ ଖେଳାଳିଙ୍କ ପ୍ରାରମ୍ଭିକ ବିଦାୟ ଦେଖିବାକୁ ମିଳିଛି। ପୁରୁଷ ଏକକରେ ସପ୍ତମ ମାନ୍ୟତା ଡୋମିନିକ ଥିମ୍‌, ଦଶମ ମାନ୍ୟତା ଡେଭିଡ୍‌ ଗଫିନ୍‌ଙ୍କ ସମେତ ମହିଳା ଏକକରୁ ଅଷ୍ଟମ ମାନ୍ୟତା ପେଟ୍ରା କ୍ୱିତୋଭା ପ୍ରଥମ ପର୍ଯ୍ୟାୟରୁ ବିଦାୟ ନେଇଛନ୍ତି। ମଙ୍ଗଳବାର ଅଷ୍ଟ୍ରିଆର ଥିମ୍‌ ୪-୬, ୫-୭, ୦-୨ ସେଟ୍‌ରେ ସାଇପ୍ରସ୍‌ର ମାର୍କୋସ ବାଗ୍‌ଦାତିସ୍‌ଙ୍କଠୁ, ବେଲ୍‌ଜିୟମର ଗଫିନ୍‌ ୪-୬, ୩-୬, ୪-୬ ସେଟ୍‌ରେ ଅଷ୍ଟ୍ରେଲିଆର ମାଥ୍ୟୁ ଏବ୍‌ଦିନ୍‌ଙ୍କଠୁ ଏବଂ ଚେକ୍‌ ଗଣରାଜ୍ୟର କ୍ୱିତୋଭା ୪-୬, ୬-୪, ୦-୬ ସେଟ୍‌ରେ ବେଲାରୁଷର ଆଲିଆସାଣ୍ଡର ସାସନୋଭିକ୍‌ଙ୍କଠୁ ପରାଜୟ ବରଣ କରିଥିଲେ।

ତେବେ ପୁରୁଷ ଏକକରେ ଫ୍ରେଞ୍ଚ୍‌ ଓପନ୍‌ ବିଜେତା ତଥା ଦ୍ୱିତୀୟ ମାନ୍ୟତା ରାଫେଲ୍‌ ନାଦାଲ୍‌ଙ୍କ ସହ ଚତୁର୍ଥ ମାନ୍ୟତା ଆଲେକ୍‌ଜାଣ୍ଡର ଭେରଭ, ପଞ୍ଚମ ମାନ୍ୟତା ଜୁଆନ୍‌ ମାର୍ଟିନ୍‌ ଡେଲ୍‌ପୋଟ୍ରୋ, ଦ୍ୱାଦଶ ମାନ୍ୟତା ସର୍ବିଆ ତାରକା ନୋଭାକ୍‌ ଜୋକୋଭିକ୍‌, ଚତୁର୍ଦଶ ମାନ୍ୟତା ଡିଆଗୋ ଶ୍ଚଓ୍ଵାର୍ଜମ୍ୟାନ୍‌, ୧୫ ମାନ୍ୟତା ନିକ୍‌ କିର୍ଗିସ୍‌, ୨୧ ମାନ୍ୟତା କାଇଲ୍‌ ଏଡ୍‌ମୁଣ୍ଡ, ୨୪ ମାନ୍ୟତା କେଇ ନିଶିକୋରି ବିଜୟୀ ହୋଇ ଦ୍ୱିତୀୟ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ସେହିଭଳି ମହିଳା ଏକକରେ ଶୀର୍ଷ ମାନ୍ୟତା ସିମୋନା ହାଲେପ, ଗତଥରର ବିଜୟିନୀ ତଥା ତୃତୀୟ ମାନ୍ୟତା ଗାର୍ବିନେ ମୁଗୁରୁଜା, ପୂର୍ବତନ ଶୀର୍ଷ ଖେଳାଳି ଆଞ୍ଜେଲିକ୍‌ କେର୍ବର, ୨୨ ମାନ୍ୟତା ଜୋହନା କୋଣ୍ଟା ମଧ୍ୟ ପରବର୍ତୀ ପର୍ଯ୍ୟାୟରେ ନିଜ ନିଜ ସ୍ଥାନ ପକ୍କା କରିଛନ୍ତି। ସ୍ପେନ୍‌ର ମୁଗୁରୁଜା ୬-୨, ୭-୫ ସେଟ୍‌୍‌୍‌ରେ ଇଂଲଣ୍ଡର ନାଓମି ବ୍ରାଓଡିଙ୍କୁ, ଜର୍ମାନିର କେର୍ବର ୭-୫, ୬-୩ ସେଟ୍‌ରେ ରୁଷିଆର ଭିରା ଭୋନାରିଭାଙ୍କୁ, ଇଂଲଣ୍ଡର କୋଣ୍ଟା ୭-୬, ୭-୬ ସେଟ୍‌ରେ ରୁଷିଆର ନାତାଲିଆ ଭିକ୍‌ଲିତ୍ସବାଙ୍କୁ ହରାଇଥିଲେ।
ପୁରୁଷ ଏକକ ପ୍ରଥମ ପର୍ଯ୍ୟାୟ ମୁକାବିଲାରେ ଦୁଇ ଥର ଏଠାରେ ଟ୍ରଫି ହାତେଇଥିବା ସ୍ପେନ୍‌ ତାରକା ନାଦାଲ୍‌ ୬-୩, ୬-୩, ୬-୨ ସେଟ୍‌ରେ ଇସ୍ରାଏଲ୍‌ର ଡୁଡି ସେଲାଙ୍କୁ ହରାଇ ଅଭିଯାନ ଆରମ୍ଭ କରିଛନ୍ତି। ଜର୍ମାନିର ଭେରଭ ୭-୬, ୬-୨, ୬-୦ ସେଟ୍‌ରେ ଅଷ୍ଟ୍ରେଲିଆର ଜେମ୍ସ ଡକଓ୍ଵର୍ଥଙ୍କୁ, ଆର୍ଜେଣ୍ଟିନାର ଡେଲ୍‌ପୋଟ୍ରୋ ୬-୩, ୬-୪, ୬-୩ ସେଟ୍‌ରେ ଜର୍ମାନିର ପିଟର ଗୋଜଓ୍ଵଜ୍‌କିଙ୍କୁ, ଆର୍ଜେଣ୍ଟିନାର ଶ୍ଚଓ୍ଵାର୍ଜମ୍ୟାନ୍‌ ୬-୩, ୬-୨, ୬-୧ ସେଟ୍‌ରେ ବୋସନିଆର ମିର୍ଜା ବାସିକ୍‌ଙ୍କୁ, ଅଷ୍ଟ୍ରେଲିଆର କିର୍ଗିସ୍‌ ୭-୬, ୭-୬, ୬-୭, ୬-୩ ସେଟ୍‌ରେ ଉଜବେକିସ୍ତାନର ଡେନିସ୍‌ ଇସ୍ତୋମିନ୍‌ଙ୍କୁ, ଇଂଲଣ୍ଡର ଏଡ୍‌ମୁଣ୍ଡ ୬-୨, ୬-୩, ୭-୫ ସେଟ୍‌ରେ ଅଷ୍ଟ୍ରେଲିଆର ଆଲେକ୍ସ ବୋଲ୍ଟଙ୍କୁ, ଜାପାନ୍‌ର ନିସିକୋରି ୬-୨, ୪-୬, ୭-୬, ୬-୨ ସେଟ୍‌ରେ ଆମେରିକାର କ୍ରିଷ୍ଟିଆନ୍‌ ହାରିସନ୍‌ଙ୍କୁ ପରାସ୍ତ କରିଥିଲେ।
ଫେଡେରର୍‌ଙ୍କ ସମକକ୍ଷ ହେଲେ ଲୋପେଜ୍‌
ସ୍ପେନ୍‌ର ଫେଲିସିଆନୋ ଲୋପେଜ ମଙ୍ଗଳବାର ଗ୍ରାଣ୍ଡ ସ୍ଲାମ୍‌ରେ ସର୍ବାଧିକ ମ୍ୟାଚ୍‌ ଖେଳିବାରେ ସ୍ୱିଜରଲାଣ୍ଡର ରୋଜର ଫେଡେରର୍‌ଙ୍କ ସମକକ୍ଷ ହୋଇଛନ୍ତି। ୩୬ ବର୍ଷୀୟ ଏହି ବାମହାତୀ ଖେଳାଳି ନିରନ୍ତର ଭାବେ ୨୦୦୨ ପରଠୁ ଗ୍ରାଣ୍ଡ୍‌ ସ୍ଲାମ୍‌ ପ୍ରତିଯୋଗିତାରେ ଖେଳି ଆସୁଛନ୍ତି। ମଙ୍ଗଳବାର ଓ୍ଵିମ୍ବଲ୍‌ଡନ୍‌ରେ ପ୍ରଥମ ପର୍ଯ୍ୟାୟ ଖେଳିବା ପରେ ସେ ୬୬ ଗ୍ରାଣ୍ଡ୍‌ ସ୍ଲାମ୍‌ ମ୍ୟାଚ୍‌ ଖେଳିବାରେ ଫେଡେରର୍‌ଙ୍କ ସମକକ୍ଷ ହୋଇଥିଲେ। ଏହି ମ୍ୟାଚ୍‌ରେ ୭୦ ମାନ୍ୟତା ଲୋପେଜ୍‌ ୬-୩, ୬-୪, ୬-୨ ସେଟ୍‌ରେ ଆର୍ଜେଣ୍ଟିନାର ଫେଡେରିକୋ ଡେଲ୍‌ବୋନିସ୍‌ଙ୍କୁ ପରାସ୍ତ କରିଥିଲେ। ତିନି ଥର (୨୦୦୫, ୨୦୦୮, ୨୦୧୧) ଓ୍ଵିମ୍ବଲ୍‌ଡନ୍‌ କ୍ୱାର୍ଟର୍‌ ଫାଇନାଲ୍‌ ଖେଳିଥିବା ଲୋପେଜ୍‌ ୨୦୧୫ରେ ଥରେ ମାତ୍ର ୟୁଏସ୍‌ ଓପନ୍‌ କ୍ୱାର୍ଟର୍‌ ଖେଳିଥିଲେ।

ସମ୍ବନ୍ଧିତ ଖବର