ଟିକିନା ଗୋପାଳଙ୍କ କୀର୍ତିମାନ ଭାଙ୍ଗିଲେ ଝିଲ୍ଲୀ

ରାଜ୍ୟ ଭାରୋତ୍ତୋଳନରେ ଖୋର୍ଧା ମହିଳା ଦଳଗତ ବିଜେତା

ଭୁବନେଶ୍ୱର: ସୁନ୍ଦରଗଡ଼ରେ ଗତ ସପ୍ତାହରେ ଶେଷ ହୋଇଥିବା ୬୫ତମ ରାଜ୍ୟ ଭାରୋତ୍ତୋଳନ ପ୍ରତିଯୋଗିତାରେ ଖୋର୍ଧା ମହିଳା ମୋଟ ୩୩ (୧୫ ସ୍ୱର୍ଣ୍ଣ, ୧୩ ରୌପ୍ୟ ଓ ୫ କାଂସ୍ୟ) ପଦକ ସହ ଦଳଗତ ବିଜେତା ହୋଇଥିଲା। ସେହି ପ୍ରତିଯୋଗିତାରେ ଏକା ଝିଲ୍ଲୀ ଦଳବେହେରା ଉଭୟ ବରିଷ୍ଠ ଓ କନିଷ୍ଠ ବର୍ଗରେ ପୂର୍ବର ୬ କୀର୍ତିମାନ ଭାଙ୍ଗି ଦେଇଥିଲା ବେଳେ ଖୋର୍ଧା ପ୍ରତିଯୋଗୀମାନେ ୧୫ ନୂଆ ରାଜ୍ୟ କୀର୍ତିମାନ ପ୍ରତିଷ୍ଠା କରିଥିଲେ।

ଖୋର୍ଧା ଦଳ ପକ୍ଷରୁ ଶାନ୍ତି କବାସି, ରସିତା ରଣସିଂ, ଦେବକୀ ଖିଲୋ, ମୋନାଲି ସାହୁ, ଝିଲ୍ଲୀ ଦଳବେହେରା, ଯୁବତୀ ଦେହୁରୀ, ରୋସନି ତାଣ୍ଡି, ଶୁଭସ୍ମିତା ମହାନ୍ତି, ପ୍ରକାଶ କୁମାର ବେହେରା ଓ ଲଳିତ କୁମାର ସାହୁ ସ୍ୱର୍ଣ୍ଣ ପଦକ ଜିତିଥିଲା ବେଳେ ରଞ୍ଜତା ମାଝୀ, ସଂବାରୀ ସାମାଦ, ବୀଣା ସୋରେନ୍‌, ରସିତା ରଣସିଂ, ଦେବକୀ ଖିଲୋ, ରୋସନି ତାଣ୍ଡି, ଏସ୍‌ଭି ଚନ୍ଦନା, ଉମାକାନ୍ତ ସେଠୀ, ଶକ୍ତି ପ୍ରସାଦ ସ୍ୱାଇଁ, ଲଳିତ କୁମାର ସାହୁ, ସୁବ୍ରତ କୁମାର ଦାସ ରୌପ୍ୟ ଏବଂ ଅପରାଜିତା ଭୂୟାଁ, ଅନୁଷ୍କା ପ୍ରିୟଦର୍ଶିନୀ, ଦେବକୀ ଖିଲୋ, ଉମାକାନ୍ତ ସେଠୀ ଓ ରଞ୍ଜନ କୁମାର ସାହୁ କାଂସ୍ୟ ଜିତିଥିଲେ।

ଝିଲ୍ଲୀ ୪୮ କେଜି ବର୍ଗରେ ୧୫୪ (ସ୍ନାଚ୍‌ରେ ୬୮, କ୍ଲିନ୍‌ ଓ ଜର୍କରେ ୮୬) କେଜି ଭାର ଉଠାଇ ଉଭୟ ବରିଷ୍ଠ ଓ କନିଷ୍ଠ ବର୍ଗରେ ପୂର୍ବର ସମସ୍ତ ୬ ରାଜ୍ୟ କୀର୍ତିମାନ ଭାଙ୍ଗି ଦେଇଥିଲେ। ଏଥି ସହିତ ଝିଲ୍ଲୀ ୨୦ ବର୍ଷ ଧରି ଟିକିନା ଗୋପାଳଙ୍କ ନାମରେ ଥିବା କୀର୍ତିମାନ (ସ୍ନାଚ୍‌ରେ ୬୬, କ୍ଲିନ୍‌ ଓ ଜର୍କରେ ୮୫, ମୋଟ ୧୫୧ କେଜି)କୁ ପଛରେ ପକାଇ ଦେଇଥିଲେ। ସେହିପରି ୭୫ କେଜିରେ ଶୁଭସ୍ମିତା ମହାନ୍ତି ସ୍ନାଚ୍‌ରେ ୮୫ ସହ ମୋଟ ୧୮୯ କେଜି ଭାର ଉଠାଇ ବରିଷ୍ଠ ମହିଳା ବର୍ଗରେ ୨ଟି ରାଜ୍ୟ କୀର୍ତିମାନ ପାଇଥିଲେ। କନିଷ୍ଠ ବାଳକ ବର୍ଗର ୮୫ କେଜିରେ ପ୍ରକାଶ କୁମାର ବେହେରା ୨୫୧ (ସ୍ନାଚ୍‌ରେ ୧୧୧, କ୍ଲିନ୍‌ ଓ ଜର୍କରେ ୧୪୦) କେଜି ଭାର ଉଠାଇ ୩ ରାଜ୍ୟ କୀର୍ତିମାନ ପାଇଥିଲା ବେଳେ ଲଳିତ କୁମାର ସାହୁ ୯୪ କେଜି କନିଷ୍ଠରେ ୨୭୧ (ସ୍ନାଚ୍‌ରେ ୧୨୧, କ୍ଲିନ୍‌ ଓ ଜର୍କରେ ୧୫୦) କେଜି ଭାର ଉଠାଇ ୩ ରାଜ୍ୟ କୀର୍ତିମାନ ଏବଂ ବରିଷ୍ଠ ୯୪ କେଜି ବର୍ଗ ସ୍ନାଚ୍‌ରେ ୧୨୧ କେଜି ଭାର ଉଠାଇ ଗୋଟିଏ ରାଜ୍ୟ କୀର୍ତିମାନ ପ୍ରତିଷ୍ଠା କରିଥିଲେ। ପ୍ରଶିକ୍ଷକ ଚନ୍ଦ୍ରଶେଖର ସାହୁ, ପି ଧର୍ମା ରାଓ ଏବଂ କୃଷ୍ଣଚନ୍ଦ୍ର ସାହୁ ଖୋର୍ଧା ଦଳ ସହ ରହି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ଦଳର ସଫଳତା ପାଇଁ ଖୋର୍ଧା ଜିଲ୍ଲା ଉପଦେଷ୍ଠା ହରିପ୍ରସାଦ ପଟ୍ଟନାୟକ, ସଭାପତି ଚିତ୍ତରଞ୍ଜନ ସ୍ୱାଇଁ, ଉତ୍କଳ କରାଟେ ସ୍କୁଲ୍‌ର ଗୌରୀ ମହାନ୍ତି, ପ୍ରିୟଦର୍ଶିନୀ ଘଟୁଆରୀ, ସଂଦୀପ ଦାସ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର