ଆଜିର ଅର୍ଜୁନ: ମସ୍କୋ ଦେଖିବ କାଭାନି କମାଲ

ମସ୍କୋ: ଚଳିତ ବର୍ଷର ବିଶ୍ୱକପ୍‌ ଲାଗି ହୋଇଥିବା ଦକ୍ଷିଣ ଆମେରିକୀୟ ଯୋଗ୍ୟତା ପର୍ଯ୍ୟାୟ ମୁକାବିଲାରେ ସର୍ବାଧିକ ଗୋଲ୍‌ ଦେଇଥିବା ଉରୁଗୁଏ ତାରକା ଏଡିନସନ୍‌ କାଭାନି (୧୦ ଗୋଲ୍‌) ମଧ୍ୟ ମସ୍କୋରେ କମାଲ କରିବାକୁ ପୂରା ବ୍ୟଗ୍ର। ଉରୁଗୁଏ ଦଳ ତୃତୀୟ ଥର ପାଇଁ ବିଶ୍ୱକପ୍‌ ଜିତିବା ଅଭିଯାନରେ ଥିଲା ବେଳେ ଲୁଇସ୍‌ ସୁଆରେଜଙ୍କ ସହ କାଭାନିଙ୍କ ପ୍ରଦର୍ଶନ ମଧ୍ୟ ଏହି ଦଳ ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ରହିବ। ୨୦୧୦ ଏବଂ ୨୦୧୪ ବିଶ୍ୱକପ୍‌ ଖେଳି ସାରିଥିବା କାଭାନି ସଂପ୍ରତି ପୂରା ଫର୍ମରେ ଥିଲା ବେଳେ ନିଜ କ୍ଲବ୍‌ ପ୍ୟାରିସ୍‌ ସେଣ୍ଟ୍‌ ଜର୍ମାନ ପାଇଁ ଚଳିତ ଋତୁରେ ୪୦ରୁ ଅଧିକ ଗୋଲ୍‌ ଦେଇ ସାରିଛନ୍ତି। ଏହି ୩୧ ବର୍ଷୀୟ ଖେଳାଳି ପୂର୍ବରୁ ୬ଟି ବୃହତ୍‌ ଏବଂ ବିଶ୍ୱସ୍ତରୀୟ ପ୍ରତିଯୋଗିତା ଖେଳି ସାରିଛନ୍ତି। ସେଥିମଧ୍ୟରେ ରହିଛି ୨୦୧୦ ବିଶ୍ୱକପ୍‌, ୨୦୧୧ କୋପା ଆମେରିକା, ୨୦୧୩ ଫିଫା କନ୍‌ଫେଡେରେସନ୍‌ କପ୍‌, ୨୦୧୪ ବିଶ୍ୱକପ୍‌, ୨୦୧୫ କୋପା ଆମେରିକା ଏବଂ କୋପା ଆମେରିକା କପ୍‌ର ୧୦୦ ବର୍ଷ ପୂରଣ ପାଇଁ ୨୦୧୬ରେ ଖେଳା ଯାଇଥିବା ସ୍ୱତନ୍ତ୍ର ସଂସ୍କରଣ। ୨୦୦୮ ଅନ୍ତର୍ଜାତୀୟ ଖେଳ ଜୀବନ ଆରମ୍ଭ କରିଥିବା କାଭାନି ୨୦୧୦ ବିଶ୍ୱକପ୍‌ରେ ନିଜ ପଦାର୍ପଣ ମ୍ୟାଚ୍‌ରେ ଗୋଲ୍‌ ଦେଇ ଚର୍ଚାକୁ ଆସିଥିଲେ। ସେ ଉରୁଗୁଏ ପକ୍ଷରୁ ୧୦୦ ମ୍ୟାଚ୍‌ ଖେଳି ୪୨ ଗୋଲ୍‌ ଦେଇଛନ୍ତି। ଏ କ୍ଷେତ୍ରରେ କେବଳ ସୁଆରେଜ୍‌ ତାଙ୍କ ଆଗରେ ରହିଛନ୍ତି। ୨୦୧୧ରେ ପଞ୍ଚଦଶ ଥର ପାଇଁ କୋପା ଆମେରିକା ଜିତିଥିବା ଉରୁଗୁଏ ଦଳର ସେ ଅନ୍ୟତମ ସଦସ୍ୟ ଥିଲେ।

ଉରୁଗୁଏର ଦ୍ୱିତୀୟ ସର୍ବବୃହତ୍‌ ସହର ସାଲଟୋରେ ୧୯୮୭ ମସିହା ଫେବ୍ରୁଆରି ୧୨ ଅର୍ଥାତ୍‌ ଭାଲେଣ୍ଟାଇନ୍‌ ଡେ ବା ପ୍ରେମ ଦିବସରେ ଜନ୍ମଗ୍ରହଣ କରିଥିବା କାଭାନିଙ୍କ ଦୁଇ ଭାଇ ଓ୍ଵାଲଟର ଗୁଗଲିଏଲଗୋନ୍‌ ଓ କ୍ରିଷ୍ଟିଆନ୍‌ କାଭାନି ମଧ୍ୟ ଫୁଟବଲ୍‌ ଖେଳନ୍ତି। ସେ କ୍ୟାବ୍ରିସ୍‌ ୟାରୁସ୍‌ ନାମକ ଜଣେ ସୁନ୍ଦରୀଙ୍କୁ ବିବାହ କରିଥିଲା ବେଳେ ଦୁଇଟି ପୁତ୍ର ସନ୍ତାନର ଜନକ ହୋଇ ସାରିଛନ୍ତି। ତେବେ ୨୦୧୩ରେ ୟାରୁସ ଏବଂ ତାଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇ ସାରିଛି। ନିଜେ ଅଗ୍ରଭାଗରେ ଖେଳୁଥିଲା ବେଳେ ଆର୍ଜେଣ୍ଟିନାର ଗାବ୍ରିଏଲ୍‌ ବାତିସ୍ତୁତା ହେଉଛନ୍ତି ତାଙ୍କ ଆଦର୍ଶ।

ସମ୍ବନ୍ଧିତ ଖବର