ଆଜି ପ୍ରଥମ ଟେ୍ଵଣ୍ଟି-୨୦: ନେହେରାଙ୍କ ବିଦାୟୀ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ୍‌

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ୍‌ ବିପକ୍ଷ ଦିନିକିଆ ଶୃଙ୍ଖଳାକୁ ରୋମାଞ୍ଚକ ଭାବେ ଜିତିବା ପରେ ଭାରତ ବୁଧବାରଠାରୁ ୩ ମ୍ୟାଚ୍‌ ବିଶିଷ୍ଟ ଟେ୍ଵଣ୍ଟି-୨୦ ଶୃଙ୍ଖଳା ଖେଳିବ। ପ୍ରଥମ ମ୍ୟାଚ୍‌ କିନ୍ତୁ ଅଭିଜ୍ଞ ବାମହାତୀ ଦ୍ରୁତ ବୋଲର ଆଶିଷ ନେହେରାଙ୍କ ଅନ୍ତର୍ଜାତୀୟ ବିଦାୟୀ ମ୍ୟାଚ୍‌ ଦୃଷ୍ଟିରୁ ଅଧିକୁ ଗୁରୁତ୍ୱ ରଖିବ। ଘରୋଇ ଫିରୋଜ ସାହା କୋଟ୍‌ଲା ପଡ଼ିଆରେ ନିଜ ୨୦ ବର୍ଷର ଖେଳ ଜୀବନରେ ପୂର୍ଣ୍ଣଛେଦ ପକାଇବେ। ୧୯୯୭ ମସିହାରେ ଦିଲ୍ଲୀ ପାଇଁ ରଣଜୀ ଟ୍ରଫି ଖେଳି ନେହେରା ଶେଷରେ ଭାରତ ପାଇଁ ଅନ୍ତର୍ଜାତୀୟ କ୍ରିକେଟ୍‌ ଖେଳିଥିଲେ। ୨୦୦୩ ବିଶ୍ୱକପ୍‌ ଫାଇନାଲ୍‌ ତାଙ୍କ ଖେଳ ଜୀବନର ଶ୍ରେଷ୍ଠ ମୁହୂର୍ତ ହୋଇଥିଲେ ବି ଏହା ଅଧୁରା ରହିଗଲା। ଭାରତ ସେଥର ଫାଇନାଲରେ ଅଷ୍ଟ୍ରେଲିଆଠାରୁ ହାରିିଥିଲା। ନିଜ ଖେଳ ଜୀବନରେ ଅନେକ ଉତ୍‌ଥାନ ଓ ପତନ ଦେଇ ଗତି କରିଥିବା ନେହେରା ପରବର୍ତ୍ତୀ ୨୦ ବର୍ଷ ମଧ୍ୟ ସମାନ ଘଟଣାବହୁଳ ରହିବ ବୋଲି କହିଛନ୍ତି ୩୮ ବର୍ଷୀୟ ନେହେରା। କୋଟଲାରେ ମୁଁ ପ୍ରଥମ ରଣଜୀ ଖେଳିବା ବେଳେ ରମଣ ଲାମ୍ବା, ଅଜୟ ଶର୍ମା, ଅତୁଲ ଓ୍ଵାସନ୍‌ ଏବଂ ରବିନ୍‌ ସିଂହ ଜୁନିୟରଙ୍କ ଭଳି ଖେଳାଳି ଦଳରେ ଥିଲେ। ସେମାନଙ୍କଠାରୁ ଅନେକ କିଛି ଶିଖି ଆଗକୁ ବଢ଼ିଥିଲି। ପଦାର୍ପଣ ମ୍ୟାଚ୍‌ରେ ଅଜୟ ଜାଦେଜାଙ୍କୁ ଉଭୟ ପାଳିରେ ଶୂନରେ ଆଉଟ୍‌ କରିବା ମୋ ପାଇଁ ସ୍ମରଣୀୟ ରହିଛି ବୋଲି କହିଥିଲେ ନେହେରା। ମହେନ୍ଦ୍ର ସିଂହ ଧୋନି ଏବଂ ଅଜୟ ଜାଦେଜାଙ୍କ ଭଳି ଦୁଇ ଜଣ ଚତୁର କ୍ରିକେଟ୍‌ରଙ୍କ ସହିତ ମୁଁ ଆଲୋଚନା କରିବାର ସୌଭାଗ୍ୟ ବି ପାଇଛି। ସଚୋଟତାର ସହ ଉଦ୍ୟମ କରିବା ମୋ କାମ ଥିଲା। ମୁଁ ଶିଖିକରି ଖେଳି ନଥିଲି, ଖେଳି ଖେଳି ଶିଖିଥିଲି ବୋଲି ନେହେରା ପ୍ରକାଶ କରିଛନ୍ତି। ୧୯୯୯ ମସିହାରେ କଲମ୍ବୋରେ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ୍‍ ଖେଳି ଅନ୍ତର୍ଜାତୀୟ ଜୀବନ ଆରମ୍ଭ କରିଥିବା ନେହେରା ନିଜ ଖେଳ ଜୀବନରେ ଦେଶ ପାଇଁ ମୋଟ ୧୬୩ ମ୍ୟାଚ୍‌ ଖେଳିଥିଲେ। ଏହା ମଧ୍ୟରେ ୧୭ ଟେଷ୍ଟ୍‍, ୧୨୦ ଦିନିକିଆ ଏବଂ ୨୬ ଟେ୍ଵଣ୍ଟି-୨୦ ଅନ୍ତର୍ଜାତୀୟ ଖେଳିଥିଲେ। ଏହି ୩ ଶ୍ରେଣୀ କ୍ରିକେଟ୍‌ ସେ ଯଥାକ୍ରମେ ୪୪, ୧୫୭, ୩୪ ଓ୍ଵିକେଟ୍‌ ନେଇଛନ୍ତି।

ବୁଧବାର ଭାରତ-ନ୍ୟୁଜିଲାଣ୍ଡ୍‌ ପ୍ରଥମ ଟେ୍ଵଣ୍ଟି-୨୦ କିନ୍ତୁ କୋହଲି ବାହିନୀ ପାଇଁ ପରୀକ୍ଷା ଭଳି ହେବ। ଦିନିକିଆ ଶୃଙ୍ଖଳାକୁ ଅପେକ୍ଷାକୃତ କଷ୍ଟରେ ଜିତିଥିବା ଭାରତ ବିପକ୍ଷରେ ନ୍ୟୁଜିଲାଣ୍ଡ୍‌ର ଟେ୍ଵଣ୍ଟି-୨୦ ଅତୀତ ମଧ୍ୟ ପ୍ରଶଂସନୀୟ ରହିଛି। ଏହି ଦେଶଠାରୁ କେବେ ବି ମ୍ୟାଚ୍‌ଟିଏ ଜିତିନାହିଁ ଭାରତ। ଖେଳିଥିବା ସମସ୍ତ ୫ ମ୍ୟାଚ୍‌କୁ ହାରିଛି। ଶେଷ ଥର ପାଇଁ ୨୦୧୬ ଆଇସିସି ଟେ୍ଵଣ୍ଟି-୨୦ ବିଶ୍ୱକପ୍‌ରେ ମଧ୍ୟ ହାରିଥିଲା। ସାମ୍ପ୍ରତିକ ସମୟରେ ଅଷ୍ଟ୍ରେଲିଆ, ଇଂଲଣ୍ଡ, ଶ୍ରୀଲଙ୍କା ଭଳି ଦଳକୁ ପରାସ୍ତ କରିଥିବା ଭାରତୀୟ ଦଳ ପାଇଁ ଏହା ବଡ଼ ପରୀକ୍ଷା ହେବ। ପୁଣି ଘରୋଇ ମାଟିରେ ଏହି ଶୃଙ୍ଖଳା ଥିବାରୁ କୋହଲି ବାହିନୀ ପାଇଁ ସମ୍ମାନର ପ୍ରଶ୍ନ ହେବ। କେବଳ ଅତୀତ କୀର୍ତିମାନ ନୁହେଁ, ଆଇସିସି ଟେ୍ଵଣ୍ଟି-୨୦ ମାନ୍ୟତାରେ ନ୍ୟୁଜିଲାଣ୍ଡ୍‌ ୧ ନମ୍ବର ଦଳ ଥିବାବେଳେ ଭାରତ ପଞ୍ଚମରେ ରହିଛି। ନ୍ୟୁଜିଲାଣ୍ଡ୍‌ ଶୀର୍ଷ ମାନ୍ୟତା ବଜାୟ ରଖିବା ଆଶାରେ ରହିଛି। ଭାରତ କେବଳ ୩-୦ରେ ଜିତିଲେ ହିଁ ନ୍ୟୁଜିଲାଣ୍ଡ୍‌ ଶୀର୍ଷରୁ ଗାଦିଚ୍ୟୁତ ହେବ। କିନ୍ତୁ ପାକିସ୍ତାନ ଶୀର୍ଷକୁ ଉଠିବ। ୩-୦ କେବଳ ଭାରତକୁ ସର୍ବାଧିକ ଦ୍ୱିତୀୟକୁ ନେଇ ପାରିବ।

ବୁଧବାର ମ୍ୟାଚ୍‌ ପୂର୍ବରୁ ଫିରୋଜ ସାହା କୋଟଲା ଷ୍ଟାଡିୟମ୍‌ର ୩ ନମ୍ବର ଗେଟ୍‌କୁ ବୀରେନ୍ଦ୍ର ସେହବାଗଙ୍କ ନାମରେ ନାମିତ କରାଯାଇଛି। ଏହାକୁ ମଙ୍ଗଳବାର ସେହବାଗ ନିଜେ ଉଦ୍‌ଘାଟନ କରିଥିଲେ। ଏହା ମୋ ପାଇଁ ଏକ ସମ୍ମାନ ଓ ଗୌରବ ଭଳି। ଏଠାରୁ ଖେଳି ବଡ଼ ତାରକା ବନିଥିଲି। ଏହି ଉଦ୍ୟମ ଦିଲ୍ଲୀରୁ ଅଧିକରୁ ଅଧିକ ତାରକା ସୃଷ୍ଟି କରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ଏହି ଅବସରରେ ଦିଲ୍ଲୀ କ୍ରିକେଟ୍‌ ସଂଘ ମୁଖ୍ୟ ମଦନ ଲାଲ କହିଥିଲେ ସେହବାଗ ଭାରତରେ ଖେଳର ଧାରାକୁ ବଦଳାଇ ଦେଇଥିଲେ। ଆମ ସମୟରେ ଆମେ ୨୪୦/୨୫୦ ରନ୍‌ କରୁଥିଲୁ। ତାଙ୍କ ଆଗମନ ପରେ ୩୫୦/୩୬୦ ରନ୍‌ ହେବାକୁ ଲାଗିଲା। ଏହି କାରଣରୁ ହିଁ ଭାରତ ଏବେ ଅଧିକ ମ୍ୟାଚ୍‌ ଜିିତୁଛି ବୋଲି ମଦନ ଲାଲ୍‌ କହିଥିଲେ।

ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଯଶପ୍ରୀତ ବୁମରା, ୟୁଜବେନ୍ଦ୍ର ଚହଲ, ଶିଖର ଧାଓ୍ଵନ, ମହେନ୍ଦ୍ର ସିଂହ ଧୋନି, ଶ୍ରେୟସ ଆୟର, ଦୀନେଶ କାର୍ତିକ, କୁଳଦୀପ ଯାଦବ, ଭୁବନେଶ୍ୱର କୁମାର, ମହମ୍ମଦ ସିରାଜ, ଆଶିଷ ନେହେରା, ମନୀଷ ପାଣ୍ଡେ, ହାର୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ୍‌, ଲୋକେଶ ରାହୁଲ।

ନ୍ୟୁଜିଲାଣ୍ଡ୍‌ ଦଳ: କେନ୍‌ ଓ୍ଵିଲିୟମ୍‌ସନ୍‌ (ଅଧିନାୟକ), ଟଡ୍‌ ଆସ୍‌ଲେ, ଟ୍ରେଣ୍ଟ୍‌ ବୋଲ୍‌ଟ, ଟମ୍‌ ବ୍ରୁସ୍‌, କଲିନ୍‌ ଡି ଗ୍ରାଣ୍ଡ୍‌ହୋମ୍‌, ମାର୍ଟିନ ଗପ୍ଟିଲ୍‌, ମ୍ୟାଟ୍‌ ହେନରି, ଟମ୍‌ ଲାଥମ୍‌, ହେନରି ନିକୋଲ୍‌ସ, ଆଦାମ୍‌ ମିଲ୍‌ନେ, କଲିନ୍‌ ମୁନ୍‌ରୋ, ଗ୍ଲେନ୍‌ ଫିଲିପ୍‌ସ, ମିଚେଲ୍‌ ସାଣ୍ଟନର୍‌, ଇଶ ସୋଢ଼ୀ, ଟିମ୍‌ ସାଉଦି।

ସମ୍ବନ୍ଧିତ ଖବର