ଆଜି ଅଷ୍ଟ୍ରେଲିଆ-ଇଂଲଣ୍ଡ, ଚୀନ୍‌-ଆୟର୍ଲାଣ୍ଡ୍

ଭୁବନେଶ୍ବର: ଚଳିତ ଚତୁର୍ଦଶ ଓଡ଼ିଶା ପୁରୁଷ ହକି ବିଶ୍ବକପ୍‌ରେ ମଙ୍ଗଳବାର ଦୁଇ ମ୍ୟାଚ୍ ଖେଳାଯିବ। ପୁଲ୍ ‘ବି’ ଅନ୍ତର୍ଗତ ଏହି ମ୍ୟାଚ୍‌ ଦ୍ବୟରେ ଗତ ଦୁଇ ଥରର ବିଜେତା ଅଷ୍ଟ୍ରେଲିଆ ଭେଟିବ ଇଂଲଣ୍ଡକୁ ଏବଂ ଆୟର୍ଲାଣ୍ଡ ଖେଳିବ ଚୀନ୍‌ ସହିତ। ଗତ ଶୁକ୍ରବାର ଏହି ପୁଲ୍‌ର ପ୍ରଥମ ଦିବସରେ ଶକ୍ତିଶାଳୀ ଅଷ୍ଟ୍ରେଲିଆ ପ୍ରଭାବହୀନ ଖେଳି ୨-୧ ଗୋଲ୍‌ରେ ଆୟର୍ଲାଣ୍ଡକୁ ପରାସ୍ତ କରିଥିଲା। କିନ୍ତୁ ଅନ୍ୟ ମୁକାବିଲାଟିକୁ ଇଂଲଣ୍ଡ ଏବଂ ଚୀନ୍‌ ଚମତ୍କାର ଭାବେ ୨-୨ ଗୋଲ୍‌ରେ ଅମୀମାଂସିତ ରଖିଥିଲେ। ଚତୁର୍ଥ ଥର ଟ୍ରଫି ଜିତିବା ଲକ୍ଷ୍ୟରେ ଥିବା ଅଷ୍ଟ୍ରେଲିଆକୁ ସିଧାସଳଖ କ୍ବାର୍ଟର ଫାଇନାଲ୍ ଯିବାକୁ ହେଲେ ମଙ୍ଗଳବାର ମ୍ୟାଚ୍‌ରେ ନିଶ୍ଚିତ ବିଜୟ ଲୋଡ଼ା। ଅନ୍ୟପକ୍ଷରେ ପ୍ରଥମ ପଦାର୍ପଣରେ ଚମତ୍କାର ଖେଳି ଇଂଲଣ୍ଡକୁ ଚକ୍‌ମା ଦେଇଥିବା ଚୀନ୍‌ର ଆତ୍ମବିଶ୍ବାସ ଏବେ ଉପରେ ରହିଥିବ। ଆୟର୍ଲାଣ୍ଡକୁ ହରାଇ ଅନ୍ୟୁନ କ୍ରସ୍ ଓଭର ସୁଯୋଗ ହାତେଇବା ଲକ୍ଷ୍ୟରେ ରହିଛି ଏହି ଏସୀୟ ଦଳ। ମାନ୍ୟତା ଦୃଷ୍ଟିରୁ ଚୀନ୍‌ (୧୭) ନିଜଠାରୁ ଉଚ୍ଚ ଇଂଲଣ୍ଡ (୭)ଠାରୁ ଗୋଟିଏ ପଏଣ୍ଟ ଛଡ଼ାଇଥିଲା। ଆୟର୍ଲାଣ୍ଡ (୧୦) କିନ୍ତୁ ଅପେକ୍ଷାକୃତ ଦୁର୍ବଳ ଦଳ ହୋଇଥିବାରୁ ଚୀନ୍‌ ନିଜର ଶୁକ୍ରବାର ପ୍ରଦର୍ଶନ ଦ‌ୋହରାଇଲେ ନିଶ୍ଚିତ ଆଶ୍ଚର୍ଯ୍ୟ ଓ ଇତିହାସ ରଚିଯିବ। ବର୍ତମାନର ଫର୍ମ ଦେଖିଲେ ମଙ୍ଗଳବାର ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଏବଂ ଚୀନ୍‌ ନିଶ୍ଚିତ ପ୍ରଶଂସକଙ୍କ ପସନ୍ଦ ଓ ବିଜୟର ଦାବିଦାର ଦଳ ରହିବେ।

ସମ୍ବନ୍ଧିତ ଖବର