ଏବେ ଅସଲ ଲଢ଼େଇ:ଆଜି ମୁହାଁମୁହିଁ ଭାରତ-ବେଲ୍‌ଜିୟମ

ଭୁବନେଶ୍ୱର (ଦେବାଶିଷ ସୁନ୍ଦରାୟ): ଚଳିତ ହକି ବିଶ୍ୱ ଲିଗ୍‌ ଫାଇନାଲର ଲିଗ୍‌ ପର୍ଯ୍ୟାୟ ମଙ୍ଗଳବାର ଶେଷ ହୋଇଛି। ବୁଧବାରଠାରୁ ନକଆଉଟ୍‌ ପର୍ଯ୍ୟାୟ ଆରମ୍ଭ ହେବ। ୮ ଦଳୀୟ ପ୍ରତିଯୋଗିତା ହୋଇଥିବାରୁ ଲିଗ୍‌ ପର୍ଯ୍ୟାୟର ସମସ୍ତ ଦଳ କ୍ୱାର୍ଟର ଫାଇନାଲ୍‌ ଯାଇଛନ୍ତି। ହେଲେ କ୍ୱାର୍ଟରରେ କେବଳ ଗୋଟିଏ ସୁଯୋଗ ମିଳିବ। ଜିତିଲେ ସେମିଫାଇନାଲ୍‌, ହାରିଲେ ବିଦା। ଏଣୁ ଲିଗ୍‌ ପର୍ଯ୍ୟାୟରେ ଖରାପ କରିଥିବା ଦଳ କ୍ୱାର୍ଟରରେ ଭଲ କଲେ ଯାଇ ଆଗକୁ ବଢ଼ିପାରିବ। କହିବାକୁ ଗଲେ ବୁଧବାରଠାରୁ ହିଁ ଏହି ପ୍ରତିଯୋଗିତାର ଅସଲ ଲଢ଼େଇ ଆରମ୍ଭ ହେବ। ଲିଗ୍‌ ପର୍ଯ୍ୟାୟର ପ୍ରଦର୍ଶନ କେବଳ ପଏଣ୍ଟ୍‌ ତାଲିକାର ମାନ୍ୟତା ନିର୍ଣ୍ଣୟରେ ହିସାବକୁ ନିଆଯାଇଥିଲା। କ୍ୱାର୍ଟରରେ କିଏ କାହା ସହ ଖେଳିବ ତାକୁ ବଛା ଯାଇଥିଲା। କ୍ୱାର୍ଟରରେ କିନ୍ତୁ ସେମିତି କିଛି ହେବନି। ଏହି ପର୍ଯ୍ୟାୟରେ ସବୁ ଦଳ ‘କର ବା ମର’ ସ୍ଥିତିରେ ରହିବେ। ବୁଧବାର କ୍ୱାର୍ଟର ଫାଇନାଲ୍‌ ପର୍ଯ୍ୟାୟର ପ୍ରଥମ ମ୍ୟାଚ୍‌ରେ ସ୍ପେନ୍‌-ଅଷ୍ଟ୍ରେଲିଆ ଏବଂ ଦ୍ୱିତୀୟରେ ଭାରତ-ବେଲ୍‌ଜିୟମ ମୁହାଁମୁହିଁ ହେବେ।
ରିଓରେ ଭାରତକୁ ବିଦା କରିଥିଲା ବେଲ୍‌ଜିୟମ
ବୁଧବାର ଭାରତ-ବେଲ୍‌ଜିୟମ ହକି ବିଶ୍ୱ ଲିଗ୍‌ କ୍ୱାର୍ଟର ଫାଇନାଲ୍‌ ମୁକାବିଲା ଗତବର୍ଷ ରିଓ ଅଲିମ୍ପିକ୍ସ କ୍ୱାର୍ଟର ଫାଇନାଲର ପୁନରାବୃତି ହେବ। ରିଓ ଅଲିମ୍ପିକ୍ସର କ୍ୱାର୍ଟରରେ ଭାରତକୁ ବିଦା କରିଥିଲା ବେଲଜିୟମ। ସେହି ମ୍ୟାଚ୍‌କୁ ଭାରତ ୧-୩ ଗୋଲ୍‌ରେ ହାରିଥିଲା। ଏଣୁ ଆସନ୍ତାକାଲି ରିଓ ପରାଜୟର ପ୍ରତିଶୋଧ ନେବାର ସୁଯୋଗ ଭାରତ ପାଖରେ ରହିବ। ତେବେ ବେଲଜିୟମ ଯେଭଳି ଲୟରେ ଅଛି ଭାରତ ତାକୁ ହରାଇବା ଆଦୌ ସହଜ ହେବ ନାହିଁ। ତେବେ ଅତୀତ ପରିସଂଖ୍ୟାନ ଦୃଷ୍ଟିରୁ ବେଲଜିୟମଠାରୁ ଭାରତ ଢେର ଆଗରେ ରହିଛି। ଉଭୟ ଦଳ ୭୨ ମ୍ୟାଚ୍‌ରେ ପରସ୍ପର ମୁହାଁମୁହିଁ ହୋଇଛନ୍ତି। ସେଥିମଧ୍ୟରୁ ଭାରତ ୪୫ରେ ବିଜୟୀ ହୋଇଥିଲା ବେଳେ ୧୦ଟିକୁ ଅମୀମାଂସିତ ରଖିଛି। ମାତ୍ର ୧୭ ମ୍ୟାଚ୍‌ରେ ପରାସ୍ତ ହୋଇଛି।
୩ରୁ ୩ ବିଜୟ ସହ ବେଲ୍‌ଜିୟମ ଗ୍ରୁପ୍‌ ‘ଏ’ ବିଜେତା
ମଙ୍ଗଳବାର ଚଳିତ ହକି ବିଶ୍ୱ ଲିଗ୍‌ ଫାଇନାଲର ଲିଗ୍‌ ପର୍ଯ୍ୟାୟ ଶେଷ ହୋଇଛି। ଏଥିରେ ଉଭୟ ଗ୍ରୁପର ୬ଟି ଲେଖାଏଁ ମୋଟ ୧୨ ମ୍ୟାଚ୍‌ ଖେଳାଯାଇଛି। ସୋମବାର ଗ୍ରୁପ୍‌ ବିର ସବୁ ମ୍ୟାଚ୍‌ ଶେଷ ପରେ ଜର୍ମାନି ୭ ପଏଣ୍ଟ ସହ ବିଜେତା ଆଖ୍ୟା ଅର୍ଜନ କରିଥିଲା। ଇଂଲଣ୍ଡ ୪ ଏବଂ ଗତଥରର ବିଜେତା ଅଷ୍ଟ୍ରେଲିଆ ୩ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଥିଲା। ଆୟୋଜକ ଭାରତ ମାତ୍ର ୧ ପଏଣ୍ଟ ସହ ସବା ଶେଷ ସ୍ଥାନରେ ଲିଗ୍‌ ଅଭିଯାନ ଶେଷ କରିଥିଲା। ମଙ୍ଗଳବାର ଗ୍ରୁପ୍‌ ଏର ସବୁ ଲିଗ୍‌ ମ୍ୟାଚ୍‌ ବି ସରିଛି। ବେଲ୍‌ଜିୟମ ପୂରା ୯ ପଏଣ୍ଟ ପାଇ ପ୍ରଥମ ସ୍ଥାନରେ ରହିଛି। ସ୍ପେନ୍‌ (୬) ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲା ବେଳେ ବିଶ୍ୱ ମାନ୍ୟତାର ପ୍ରଥମ ସ୍ଥାନରେ ଥିବା ଆର୍ଜେଣ୍ଟିନା (୧) ତୃତୀୟ ଏବଂ ପ୍ରଥମ ସଂସ୍କରଣର ବିଜେତା ନେଦରଲାଣ୍ଡ୍‌ ଆଶ୍ଚର୍ଯ୍ୟଜନକ ଭାବେ ଚତୁର୍ଥ ସ୍ଥାନକୁ ଠେଲି ହୋଇଯାଇଛି।

ସମ୍ବନ୍ଧିତ ଖବର