ଆଜି ଜାପାନକୁ ଭେଟିବ ଭାରତ

ମହିଳା ଏସୀୟ ଚାମ୍ପିଅନ୍‌ସ ଟ୍ରଫି

ଡଙ୍ଘେ ସିଟି (କୋରିଆ): ଆସନ୍ତାକାଲିଠୁ ଏଠାରେ ପଞ୍ଚମ ମହିଳା ଏସୀୟ ଚାମ୍ପିଅନ୍‌ସ ଟ୍ରଫି ହକି ପ୍ରତିଯୋଗିତା ଆରମ୍ଭ ହେବ। ପୂର୍ବ ବିଜୟିନୀ ଭାରତ ଶକ୍ତିଶାଳୀ ଜାପାନ ସହ ପ୍ରଥମ ମ୍ୟାଚ୍‌ ଖେଳି ଅଭିଯାନ ଆରମ୍ଭ କରିବ। ଓଡ଼ିଆ ଝିଅ ସୁନୀତା ଲାକ୍ରାଙ୍କ ନେତୃତ୍ୱରେ ଭାରତୀୟ ଦଳ ବିଶ୍ୱ ମାନ୍ୟତାର ଦ୍ୱାଦଶ ଜାପାନକୁ ଟକ୍କର ଦେବାର ଲକ୍ଷ୍ୟ ରଖିଛି। ପୂର୍ବରୁ ୨୦୧୩ ଫାଇନାଲ୍‌ରେ ଭାରତକୁ ପରାସ୍ତ କରି ଜାପାନ ଏସୀୟ ଚାମ୍ପିଅନ୍‌ସ ଟ୍ରଫି ଜିତି ନେଇଥିଲା। ହେଲେ ୨୦୧୬ରେ ଭାରତ ଟ୍ରଫି ବିଜେତା ହୋଇଥିଲେ ମଧ୍ୟ ସେହିବର୍ଷ ପୁଲ୍‌ ପର୍ଯ୍ୟାୟରେ ଜାପାନ ୨-୨ ଗୋଲ୍‌ରେ ଭାରତ ସହ ମ୍ୟାଚ୍‌ ଅମୀମାଂସିତ ରଖିଥିଲା। ଏପରିକି ଫାଇନାଲ୍‌ ଖେଳିଥିବା ଚୀନ୍‌କୁ ପରାସ୍ତ କରିଦେଇଥିଲା। ପୁଣି ଗତବର୍ଷ ହକି ବିଶ୍ୱ ଲିଗ୍‌ ତୃତୀୟ ରାଉଣ୍ଡ୍‌ରେ ମଧ୍ୟ ଜାପାନ ୨-୦ ଗୋଲ୍‌ରେ ଭାରତକୁ ପରାସ୍ତ କରିଥିଲା। ତେବେ ଭାରତ ଏହି ପରାଜୟସ ପ୍ରତିଶୋଧ ଏସିଆ କପ୍‌ରେ ନେଇ ଯାଇଥିଲା। ଆସନ୍ତାକାଲି ଆରମ୍ଭ ହେବାକୁ ଯାଉଥିବା ଏସୀୟ ଚାମ୍ପିଅନ୍‌ସ ଟ୍ରଫିରେ ଶୁକ୍ରବାର ଭାରତ ଅଭ୍ୟାସ ମ୍ୟାଚ୍‌ରେ ମାଲେସିଆକୁ ୬-୦ ଗୋଲ୍‌ରେ ପରାସ୍ତ କରି ଆତ୍ମବିଶ୍ୱାସ ବଢ଼ାଇଛି। ଏହି ବିଶ୍ୱାସ ବଳରେ ଜାପାନକୁ ମାତ୍‌ ଦେଇ ଚଳିତ ସଂସ୍କରଣରେ ଅଭିଯାନ ଆରମ୍ଭ କରିବ ବୋଲି ଅଧିନାୟିକା ସୁନୀତା ଲାକ୍ରା କହିଛନ୍ତି।

ସମ୍ବନ୍ଧିତ ଖବର