ଆଜି ଶେଷ ଟେ୍ଵଣ୍ଟି-୨୦: ଚାପରେ କୁଲ୍‌ଦୀପ ଓ ଚହଲ୍‌

ବ୍ରିଷ୍ଟଲ୍‌: ମାଞ୍ଚେଷ୍ଟର୍‌ରେ ପ୍ରଥମ ମ୍ୟାଚ୍‌ରେ କଚଟି ସ୍ପିନର କୁଲ୍‌ଦୀପ୍‌ ଯାଦବଙ୍କ ଚମକ ବଳରେ ଭାରତ ବିଜୟୀ ହୋଇଥିଲା ବେଳେ କାର୍ଡିଫ୍‌ରେ କିନ୍ତୁ ଭାରତୀୟ ସ୍ପିନର ଯାଦବ ଓ ୟୁଜ୍‌ବେନ୍ଦର ଚହଲ୍‌ ଫିକା ପଡ଼ିଗଲେ। ପାଲଟା ଆକ୍ରମଣ କରି ଘରୋଇ ଇଂଲଣ୍ଡ ଦ୍ୱିତୀୟ ମ୍ୟାଚ୍‌କୁ ଜିତିନେଲା। ଫଳରେ ତିନି ମ୍ୟାଚ୍‌ ବିଶିଷ୍ଟ ଟେ୍ଵଣ୍ଟି-୨୦ ଶୃଙ୍ଖଳାର ଆସନ୍ତାକାଲି ଖେଳାଯିବାକୁ ଥିବା ଶେଷ ମ୍ୟାଚ୍‌ ଏବେ ନିର୍ଣ୍ଣାୟକ ପାଲଟିଯାଇଛି। ଆସନ୍ତାକାଲି ଶେଷ ମ୍ୟାଚ୍‌ ବ୍ରିଷ୍ଟଲ୍‌ରେ ଖେଳାଯିବ। ଶୃଙ୍ଖଳା ବିଜେତା ହେବା ପାଇଁ ଏହି ମ୍ୟାଚ୍‌ ଉଭୟ ଦଳ ପାଇଁ ‘କର ବା ମର’ ପାଲଟିଯାଇଛି। ହେଲେ ପ୍ରାୟ ଗୋଟିଏ ବର୍ଷ ପରେ ଭାରତୀୟ ସ୍ପିନ୍‌ ଯୋଡ଼ି ଇଂଲଣ୍ଡରେ ପ୍ରଥମ ଥର ପାଇଁ ପ୍ରକୃତ ପରୀକ୍ଷାରେ ପଡ଼ିଗଲେ। ଏହା ପୂର୍ବରୁ ଶ୍ରୀଲଙ୍କା, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ୍‌ ଓ ଦକ୍ଷିଣ ଆଫ୍ରିକା ମଧ୍ୟରୁ କେହି ବି କୁଲ୍‌ଦୀପ୍‌-ଚହଲ୍‌ଙ୍କୁ ସହଜରେ ପ୍ରତିହତ କରିପାରିନଥିଲେ। କିନ୍ତୁ ଶୁକ୍ରବାର ଇଂଲଣ୍ଡ ବ୍ୟାଟ୍‌ସମ୍ୟାନ୍‌ମାନେ ଏହି ଯୋଡ଼ିକୁ ନିରାଶ କରିଦେଲେ। ପ୍ରଥମ ମ୍ୟାଚ୍‌ରେ ୫ ଓ୍ଵିକେଟ୍‌ ଅକ୍ତିଆର କରିଥିବା କୁଲ୍‌ଦୀପ୍‌ ଦ୍ୱିତୀୟ ମ୍ୟାଚ୍‌ରେ ଓ୍ଵିକେଟ୍‌ଶୂନ୍ୟ ରହିବା ଏବଂ ପ୍ରଥମ ମ୍ୟାଚ୍‌ରେ ଓ୍ଵିକେଟ୍‌ଶୂନ୍ୟ ରହିଥିବା ଚହଲ୍‌ ଦ୍ୱିତୀୟ ମ୍ୟାଚ୍‌ରେ କଞ୍ଜୁସ୍‌ ବୋଲିଂ କରିବା ସତ୍ତ୍ୱେ ଗୋଟିଏ ଓ୍ଵିକେଟ୍‌ ପାଇବା ଭାରତ ପାଇଁ ନିରାଶା ଆଣି ଦେଇଥିଲା। ଫଳରେ ଟେ୍ଵଣ୍ଟି-୨୦ ବିଶେଷଜ୍ଞ ଦ୍ରୁତ ବୋଲର ଜସ୍‌ପ୍ରୀତ୍‌ ବୁମ୍‌ରାଙ୍କ ଅନୁପସ୍ଥିତିରେ ଶେଷ ମ୍ୟାଚ୍‌ ପୂର୍ବରୁ ଦଳ ସାଙ୍ଗକୁ ସ୍ପିନ୍‌ ଯୋଡ଼ି କୁଲ୍‌ଦୀପ ଓ ଚହଲ୍‌ ପ୍ରବଳ ଚାପରେ ପଡ଼ିଯାଇଛନ୍ତି। ବୁମ୍‌ରାଙ୍କ ସ୍ଥାନ ନେଇଥିବା ଉମେଶ ଯାଦବ ପାଓ୍ଵାର ପ୍ଲେରେ ଦୁଇଟି ମ୍ୟାଚ୍‌ରୁ ୪ ଓ୍ଵିକେଟ୍‌ ଦଖଲ କରିଥିଲେ ମଧ୍ୟ ମୃତ ଓଭରଗୁଡ଼ିକରେ ଘରୋଇ ବ୍ୟାଟ୍‌ସମ୍ୟାନ୍‌ଙ୍କୁ ଅଡୁଆରେ ପକାଇବାରେ ସମର୍ଥ ହୋଇପାରିନାହାନ୍ତି। ତେବେ ବ୍ୟାଟିଂକ୍ରମରେ ପରିବର୍ତନ ହିଁ ଇଂଲଣ୍ଡ ବିଜୟର କାରଣ ବୋଲି କୁହାଯାଉଛି।

କ୍ରମାଗତ ଷଷ୍ଠ ଶୃଙ୍ଖଳା ଲକ୍ଷ୍ୟ
ଇଂଲଣ୍ଡ ଦ୍ୱିତୀୟ ମ୍ୟାଚ୍‌ ଜିତି ସ୍ଥିତି ସମାନ ସ୍ତରକୁ ନେଇ ଆସିଥିଲେ ମଧ୍ୟ ଭ୍ରମଣକାରୀ ଭାରତୀୟ ଦଳ କ୍ରମାଗତ ଷଷ୍ଠ ଟେ୍ଵଣ୍ଟି-୨୦ ଆନ୍ତର୍ଜାତିକ ଶୃଙ୍ଖଳା ଜିତିବା ଲକ୍ଷ୍ୟ ରଖିଛି। ଶେଷଥର ପାଇଁ ଭାରତ ୨୦୧୭ ଜୁଲାଇରେ ଏକ ଦ୍ୱିପାକ୍ଷିକ ଟେ୍ଵଣ୍ଟି-୨୦ ଶୃଙ୍ଖଳା ହାରିଥିଲା। େଓ୍ଵଷ୍ଟଇଣ୍ଡିଜ୍‌ଠୁ ଏହି ଶୃଙ୍ଖଳା ହାରିବା ପରଠୁ ଭାରତ ଆଉ ପଛକୁ ଫେରିନାହିଁ। ଅବଶ୍ୟ ସେହି ଶୃଙ୍ଖଳା ଗୋଟିଏ ମ୍ୟାଚ୍‌ ବିଶିଷ୍ଟ ଥିଲା। କିନ୍ତୁ ଏକାଧିକ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାକୁ ଭାରତ ଶେଷ ଥର ପାଇଁ ୨୦୧୬ ଅଗଷ୍ଟରେ ହାରିଥିଲା। ସଂଯୋଗବଶତଃ ସେହି ଶୃଙ୍ଖଳାର ପ୍ରତିଦ୍ୱନ୍ଦୀ ମଧ୍ୟ େଓ୍ଵଷ୍ଟଇଣ୍ଡିଜ୍‌ ରହିଥିଲା। ତେବେ େଓ୍ଵଷ୍ଟଇଣ୍ଡିଜ୍‌ ବିପକ୍ଷରେ ଏହି ଦୁଇଟି ଶୃଙ୍ଖଳା ପରାଜୟ ମଧ୍ୟରେ ଭାରତ ୨-୧ରେ ଇଂଲଣ୍ଡକୁ ହରାଇଥିଲା।

ଚୂଡାନ୍ତ ଏକାଦଶରେ ପରିବର୍ତନ ସମ୍ଭାବନା କମ୍‌
ଇଂଲଣ୍ଡ ଦ୍ୱିତୀୟ ମ୍ୟାଚ୍‌ ଜିତି ସ୍ଥିତି ସମାନ ସ୍ତରରେ ପହଞ୍ଚାଇ ଦେଇଥିବାରୁ ଚାପରେ ପଡ଼ିଯାଇଥିବା ଭାରତ ତା’ର ଚୂଡାନ୍ତ ଏକାଦଶରେ ବିଶେଷ ପରିବର୍ତନ କରିବା ସମ୍ଭାବନା କମ୍‌ ରହିଛି। ଦ୍ୱିତୀୟ ମ୍ୟାଚ୍‌ ସହ ଆଗୁଆ ଶୃଙ୍ଖଳା ଜିତି ନେଇଥିଲେ ତୃତୀୟ ମ୍ୟାଚ୍‌ରେ ହୁଏତ ଦଳରେ ବସି ରହିଥିବା ମନୀଷ ପାଣ୍ଡେ, ଦୀନେଶ କାର୍ତିକ, ସିଦ୍ଧାର୍ଥ କୌଲ, କ୍ରୁନାଲ ପାଣ୍ଡ୍ୟା ଓ ଦୀପକ୍‌ ଚହରଙ୍କୁ ପରୀକ୍ଷାନିରୀକ୍ଷା କରାଯାଇଥାନ୍ତା ବୋଲି କହିଛନ୍ତି ଅଧିନାୟକ ବିରାଟ କୋହଲି। ହେଲେ ଏବେ ପରୀକ୍ଷାର ବେଳ ନାହିଁ। କେବଳ ଶୃଙ୍ଖଳା ଜିତିବାର ଲକ୍ଷ୍ୟ ରହିଥିବାରୁ ରିସ୍କ ନିଆଯାଇପାରିବ ନାହିଁ ବୋଲି କୋହଲି କହିଛନ୍ତି।

ଅନ୍ୟପଟେ ଘରୋଇ ଇଂଲଣ୍ଡ ପାଇଁ ସମାନ ସ୍ଥିତି ରହିଛି। ଏହି ଦଳ ମଧ୍ୟ ବ୍ୟାଟିଂକ୍ରମରେ କୌଣସି ପରିବର୍ତନ ଆଣିବାକୁ ଚାହୁଁନି। ପରିବେଶରେ ସେଭଳି କିଛି ପରିବର୍ତନ ନଘଟିଲେ ବିଜୟୀ ଦଳର ଚୂଡାନ୍ତ ଏକାଦଶ ତୃତୀୟ ମ୍ୟାଚ୍‌ରେ ବଜାୟ ରହିବ ବୋଲି ଅଧିନାୟକ ଇଅନ୍‌ ମୋର୍ଗାନ୍‌ ଆଭାସ ଦେଇଛନ୍ତି।

ସମ୍ବନ୍ଧିତ ଖବର