ଆଜି ମେଲବର୍ନ ମହାଲଢ଼େଇ: ଆଉ ଏକ ଇତିହାସ ଆଶାରେ ଭାରତ

ମେଲବର୍ନ: ଟେଷ୍ଟ୍‌ ଶୃଙ୍ଖଳା ଜିତି ଇତିହାସ ରଚି ସାରିଥିବା ଭାରତୀୟ କ୍ରିକେଟ୍‌ ଦଳ ଆଉ ଏକ ସ୍ମରଣୀୟ ଫର୍ଦ ଯୋଡ଼ିବାର ସୁବର୍ଣ୍ଣ ସୁଯୋଗ ପାଇଛି। ଗସ୍ତ ପୂର୍ବରୁ ଅଷ୍ଟ୍ରେଲିଆ ମାଟିରେ ଭାରତୀୟ ଦଳ କେବେ ବି ଟେଷ୍ଟ୍ କିମ୍ବା ଦିନିକିଆ ଶୃଙ୍ଖଳା ଜିତିନଥିଲା। ଗୋଟିଏ ସ୍ବପ୍ନକୁ ବିରାଟ କୋହଲି ଦଳ ସାକାର କରିସାରିଛି। ଅନ୍ୟଟିର ନିର୍ଣ୍ଣାୟକ ପରୀକ୍ଷା ଶୁକ୍ରବାର ଅନୁଷ୍ଠିତ ହେବ। ମେଲବର୍ନରେ ଖେଳାଯିବାକୁ ଥିବା ତୃତୀୟ ତଥା ଶେଷ ଦିନିକିଆ‌ ଜିତିଲେ କୋହଲି ବାହିନୀ ଦୋହରା ଐତିହାସିକ ସଫଳତା ଅର୍ଜନ କରିବ। ୩ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳା ଏବେ ୧-୧ ସ୍ଥିତିରେ ରହିଛି।

ଭାରତୀୟ ଦଳ ପାଇଁ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ‌ ନେଇ ରହିଥିବା ଚିନ୍ତା ଏକ ପ୍ରକାର ଦୂର ହୋଇଛି। ୨୦୧୮ ମସିହାରେ ସେ ଗୋଟିଏ ବି ଅର୍ଧଶତକ ହାସଲ କରିନଥିଲେ, କିନ୍ତୁ ୨୦୧୯ ମସିହାର ପ୍ରଥମ ୨ ମ୍ୟାଚ୍‌ରେ ଲଗାତାର ଅର୍ଧଶତକ ହାସଲ କରିଛନ୍ତି। ଗତ ମ୍ୟାଚ୍‌ରେ ଶେଷ ଓଭରରେ ଛକା ମାରି ବିଜୟର ଅନ୍ୟତମ କର୍ଣ୍ଣଧାର ସାଜିଥିଲେ। ସୀମିତ ଓଭର ଦଳରେ ଯୁବ ପ୍ରତିଭା ଋଷବ ପନ୍ତ୍‌ଙ୍କ ସାମିଲ ଚର୍ଚା ଜୋର ଧରିଥିଲେ ମଧ୍ୟ ଧୋନିଙ୍କୁ ଅମୂଲ୍ୟ ରତ୍ନ ସହ ତୁଳନା କରାଯାଉଛି। ତେଣୁ ‌ଧୋନି ହିଁ ପୁଣି ଥରେ ଭାରତୀୟ ଦଳର ନିର୍ଣ୍ଣାୟକ ଖେଳାଳି ସାବ୍ୟସ୍ତ ହେବାକୁ ଯାଉଛନ୍ତି। ଭାରତ ଏମ୍‌ସିଜିରେ ଷଷ୍ଠ ବୋଲର ବିକଳ୍ପ କଥା ଚିନ୍ତା କରୁଛି। ସିମ୍ ବୋଲିଂ ଅଲରାଉଣ୍ଡର୍ ବିଜୟ ଶଙ୍କର କିମ୍ବା ରାଉଣ୍ଡ୍ ଆର୍ମ ଅଫସ୍ପିନର କେଦାର ଯାଦବଙ୍କ ମଧ୍ୟରୁ ଜଣଙ୍କୁ ଖେଳାଇବା ଖସଡ଼ା ପ୍ରସ୍ତୁତ କରିଛି। ବୋଲିଂ ଢଙ୍ଗ ବିବାଦରେ ପଡ଼ିଥିବା ଅମ୍ବାତି ରାୟୁଡୁ କିମ୍ବା ଆଡିଲେଡ୍‌ରେ ପଦାର୍ପଣରେ ମହଙ୍ଗା ସାବ୍ୟସ୍ତ ହୋଇଥିବା ମହମ୍ମଦ ସିରାଜଙ୍କ ମଧ୍ୟରୁ ଜଣଙ୍କୁ ବସାଇ ଷଷ୍ଠ ବୋଲର ଖେଳାଇବା ଲକ୍ଷ୍ୟରେ ରହିଛନ୍ତି କୋହଲି। ମେଲବର୍ନର ପଡ଼ିଆ ବଡ଼ ଥିବାରୁ ୟୁଜବେନ୍ଦ୍ର ଚହଲଙ୍କୁ ମଧ୍ୟ ଚୂଡାନ୍ତ ଏକାଦଶକୁ ଆଣିବା ଆଲୋଚନା ହୋଇଛି। ଅଷ୍ଟ୍ରେଲିଆ ପାଇଁ ଏକମାତ୍ର ଚିନ୍ତା ରହିଛି ଅଧିନାୟକ ଆରୋନ୍ ଫିଞ୍ଚ୍‌ଙ୍କ ଖରାପ ଫର୍ମ। ବିଗତ ୧୫ ପାଳିରେ ସେ ମାତ୍ର ଗୋଟିଏ ଅର୍ଧଶତକ ହାସଲ କରିଛନ୍ତି। ୮ ଥର ଏକ ଅଙ୍କରେ ଏବଂ ୨ ଥର ଶୂନରେ ଆଉଟ୍‌ ହୋଇ କରିଛନ୍ତି ୧୫.୨୦ ହାରରେ ମୋଟ ୨୨୮ ରନ୍‌। ଏହି ଫର୍ମ ଜାରି ରହୁ ବୋଲି ଚାହିଁବେ ଭାରତୀୟ ବୋଲର। ସ୍ପିନର ନାଥନ୍ ଲାୟନ୍ ପ୍ରଭାବହୀନ ରହିବା ପରେ ଏହି ମ୍ୟାଚ୍ ଲାଗି ଆଦାମ ଜାମ୍ପାଙ୍କୁ ଘରୋଇ ଦଳ ସାମିଲ କରିଛି। ଆହତ ବେହେରନଡର୍ଫଙ୍କ ବଦଳରେ ବିଲି ଷ୍ଟାନଲେକଙ୍କୁ ବି ନିଆଯାଇଛି।

ପିଚ୍‌ ଓ ପାଗ: ମେଲବର୍ନର ଡ୍ରପ୍‌ ଇନ୍ ପିଚ୍‌ରେ ବଲ୍ ନିଶ୍ଚିତ ଅସଲ ବାଉନ୍ସ ପ୍ରଦାନ କରିବ। ବଡ଼ ବାଉଣ୍ଡରି ଦୃଷ୍ଟିରୁ ସ୍ପିନରମାନଙ୍କ ଭୂମିକା ବି ଗୁରୁତ୍ବପୂର୍ଣ୍ଣ ହେବ। ଆଡିଲେଡ୍ ଭଳି ଏଠାରେ ବି ଗରମ ହେବ। କିନ୍ତୁ ସର୍ବାଧିକ ୨୭ ଏବଂ ସର୍ବନିମ୍ନ ୧୬ ଡିଗ୍ରି ଭିତରେ ରହିଲେ ଅତିରିକ୍ତ ୨/୩ ରନ୍‌ ଦୌଡ଼ିବା ସହଜ ହେବ।

ଅତୀତ ଖରାପ: ମେଲବର୍ନ କ୍ରିକେଟ୍‌ ଗ୍ରାଉଣ୍ଡ୍‌ରେ ଭାରତର ଅତୀତ ପ୍ରଦର୍ଶନ ଭଲ ନାହିଁ। ଶେଷ ୩ଟିରୁ ଗୋଟିଏ ବି ଜିତି ନାହିଁ। ଏହି ପଡ଼ିଆରେ ମୋଟ ୧୪ ଖେଳି ୯ ହାରିଛି ଘରୋଇ ଦଳଠାରୁ। ଶେଷ ଥର ପାଇଁ ୨୦୦୮ ମସିହା ସିବି ସିରିଜ୍‌ରେ ଅଷ୍ଟ୍ରେଲିଆକୁ ହରାଇଥିଲା। କଙ୍ଗାରୁ ଗଡ଼ରେ ପ୍ରଥମ ଥର ଦ୍ବିପାକ୍ଷିକ ଶୃଙ୍ଖଳା ବିଜୟ ଆଶାରେ ଥିବା ଭାରତୀୟ ଦଳ ପୂର୍ବରୁ ମାତ୍ର ୨ ଥର ଏହି ପରିବେଶରେ ସଫଳ ‌ହୋଇଥିଲା। ୧୯୮୫ରେ ବିଶ୍ବ ପ୍ରତିଯୋଗିତା ଏବଂ ୨୦୦୮ ସିବି ସିରିଜ।

ଭାରତ ସମ୍ଭାବ୍ୟ ୧୧: ରୋହିତ ଶର୍ମା, ଶିଖର ଧାୱନ, ବିରାଟ କୋହଲି (ଅଧିନାୟକ), ମହେନ୍ଦ୍ର ସିଂହ ଧୋନି (ୱିକେଟରକ୍ଷକ), ଦୀନେଶ କାର୍ତିକ, କେଦାର ଯାଦବ/ବିଜୟ ଶଙ୍କର, ରବୀନ୍ଦ୍ର ଜାଦେଜା, ଭୁବନେଶ୍ବର କୁମାର, କୁଲଦୀପ ଯାଦବ, ଖଲିଲ୍‌ ଅହମ୍ମଦ, ମହମ୍ମଦ ସାମି।

ଅଷ୍ଟ୍ରେଲିଆ ଚୂଡ଼ାନ୍ତ ୧୧: ଆରୋନ୍‌ ଫିଞ୍ଚ୍‌ (ଅଧିନାୟକ), ଆଲେକ୍ସ କ୍ୟାରି (ୱିକେଟରକ୍ଷକ), ଉସ୍‌ମାନ ଖୱାଜା, ସନ୍ ମାର୍ସ, ପିଟର ହ୍ୟାଣ୍ଡ୍‌ସ୍କମ୍ବ, ମାର୍କସ ଷ୍ଟୋଇନିସ, ଗ୍ଲେନ୍ ମ୍ୟାକ୍ସୱେଲ୍‌, ପିଟର୍ ସିଡଲ୍, ‌ଝାଏ ରିଚାର୍ଡସନ୍‌, ଆଦାମ ଜାମ୍ପା, ବିଲି ଷ୍ଟାନଲେକ୍‌।

ସମ୍ବନ୍ଧିତ ଖବର