ଆଜିଠୁ ଜାତୀୟ କନିଷ୍ଠ କବାଡ଼ି : ୨୦୦୮ ପରଠୁ ଓଡ଼ିଶା ସେମି ପହଞ୍ଚିନି

କଟକ: ୩୩ ବର୍ଷ ପରେ ଓଡ଼ିଶାରେ କବାଡ଼ିର ଏକ ଜାତୀୟ ପ୍ରତିଯୋଗିତା ଖେଳାଯିବ। ସ୍ଥାନୀୟ ଜବାବହାରଲାଲ୍‌ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ମଙ୍ଗଳବାରଠୁ ଜାତୀୟ କନିଷ୍ଠ କବାଡ଼ି ପ୍ରତିଯୋଗିତା ଆରମ୍ଭ ହେବାକୁ ଯାଉଛି। ୪ ଦିନିଆ ଏହି ପ୍ରତିଯୋଗିତାରେ ୮୦୦ରୁ ଉର୍ଦ୍ଧ୍ୱ ଖେଳାଳି ଓ ୧୦୦ରୁ ଉର୍ଦ୍ଧ୍ୱ ମ୍ୟାଚ ପରିଚାଳନା ଅଧିକାରୀ ଯୋଗଦେଉଛନ୍ତି। ତେବେ ଏହି ପ୍ରତିଯୋଗିତା ଓଡ଼ିଶା ପାଇଁ ଏକ ସମ୍ମାନର ପ୍ରଶ୍ନ ପାଲଟିଯାଇଛି। ଏତେ ବର୍ଷ ପରେ ଓଡ଼ିଶାରେ ଜାତୀୟ ପ୍ରତିଯୋଗିତା ହେଉଥିବାରୁ ଘରୋଇ ଦଳର ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ। ୨୦୦୮ ମସିହାରେ ଶେଷ ଥର ପାଇଁ ଓଡ଼ିଶା ବାଳକ ଦଳ ସେମିଫାଇନାଲ୍‌ ପର୍ଯ୍ୟନ୍ତ ଯାଇଥିଲାବେଳେ ଏହାପରଠୁ ଆଉ ସେଭଳି ପ୍ରଦର୍ଶନ ଦେଖିବାକୁ ମିଳିନାହିଁ। ଗତବର୍ଷ ବାଳକ ଓ ବାଳିକା ଦଳ ପ୍ରି-କ୍ୱାର୍ଟର ପର୍ଯ୍ୟନ୍ତ ଯାଇପାରିଥିଲେ। ତେଣୁ ବାଳିକାଙ୍କର ଏହି ପ୍ରଦର୍ଶନକୁ ଶ୍ରେଷ୍ଠ ପ୍ରଦର୍ଶନ ବୋଲି କୁହାଯାଉଛି। ଓଡ଼ିଶାରେ ରାଜ୍ୟ ଖେଳାଳିଙ୍କ ସମ୍ମୁଖରେ ବଡ଼ ଆହ୍ଵାନ ପହଞ୍ଚିସାରିଥିବାରୁ ପ୍ରତ୍ୟେକ ଖେଳାଳି ଶ୍ରେଷ୍ଠ ପ୍ରଦର୍ଶନ ଦେବା ଲକ୍ଷ୍ୟରେ ଅଛନ୍ତି।

ପ୍ରତିଯୋଗିତାର ମୁଖ୍ୟ ପ୍ରାୟୋଜକ ‘ରୁଚି’ ପକ୍ଷରୁ ଓଡ଼ିଶା ଖେଳାଳିଙ୍କ ପାଇଁ ପ୍ରୋତ୍ସାହନ ରାଶିର ଘୋଷଣା କରାଯାଇ ସାରିଛି। ଯଦି ଓଡ଼ିଶା ବିଜେତା ହୁଏ ତାହେଲେ ପ୍ରତ୍ୟେକ ଖେଳାଳିଙ୍କୁ ୫୦ହଜାର ଲେଖାଏଁ ନଚେତ୍‌ ଉପ ବିଜେତା ହେଲେ ୨୫ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ ବୋଲି ରୁଚିର ପରିଚାଳନା ନିର୍ଦ୍ଦେଶକ ତଥା ଓଡ଼ିଶା କବାଡ଼ି ସଂଘର ସଭାପତି ଶରତ କୁମାର ସାହୁ କହିଛନ୍ତି। ଏଭଳି ସ୍ଥିତିରେ ଓଡ଼ିଶା ଖେଳାଳି ମଧ୍ୟ ପ୍ରସ୍ତୁତି ପର୍ଯ୍ୟାୟକୁ ଜୋର୍‌ଦାର କରିଛନ୍ତି। ଗୌତମ ସାହୁ ଓ ରିଙ୍କି ବେହେରାଙ୍କ ନେତୃତ୍ୱରେ ଓଡ଼ିଶା ଦଳ ଅଭ୍ୟାସ ମଧ୍ୟ ଶେଷ କରିସାରିଛନ୍ତି। ପ୍ରଥମ ଥର ପାଇଁ ଓଡ଼ିଶାରେ ମ୍ୟାଟରେ କୁସ୍ତି ଆୟୋଜନ ହେଉଛି। ପୂର୍ବରୁ ଓଡ଼ିଶା ଖେଳାଳିମାନେ ମାଟିରେ ଅଭ୍ୟାସ କରିଆସୁଥିଲାବେଳେ ଗତବର୍ଷ ମ୍ୟାଟ ଆସିବା ପରଠୁ ଉନ୍ନତି ଆସିଛି। ଏଥିପାଇଁ ଗତବର୍ଷ ପ୍ରି-କ୍ୱାର୍ଟର ପର୍ଯ୍ୟନ୍ତ ଓଡ଼ିଶା ଯାଇଥିଲା। ଚଳିତ ବର୍ଷ ନିଶ୍ଚିତ ଭାବେ ଓଡ଼ିଶା ଏହାଠୁ ଅଧିକ ପ୍ରଦର୍ଶ ଦେଖାଇବା ବୋଲି ଆଶା କରାଯାଇଛି। ମଙ୍ଗଳବାର ସର୍ବଭାରତୀୟ ମହାସଂଘ ଅଧିନରେ ପ୍ରବନ୍ଧକସ୍ତରୀୟ ବୈଠକ ବସିବା ପରେ ଖେଳସୂଚୀ ନିର୍ଧାରଣ କରାଯିବ ବୋଲି ରାଜ୍ୟ ସଂଘ ସମ୍ପାଦକ ଅଜୟ ବେହେରା କହିଛନ୍ତି।

ବାଳକ ଦଳ: ଶିବନା ବରାଳ, ନିରଂଜନ ସାହୁ, ରାଜେଶ ଦେହୁରୀ, ଗୌତମ ସାହୁ, ଛୋଟୁରାମ ସିଂହ, ଘାଷୀରାମ ଦୋରା, ଦୈତାରୀ ସବର, ଅର୍ଜୁନ ବେହେରା, ଜୀବନଜ୍ୟୋତି ଦାସ, ଆନନ୍ଦ ନାଏକ, ସୁଜିତ କୁମାର ଓଝା, ବିଶ୍ୱଜିତ ଜେନା। ବାଳିକା ଦଳ: ଅଗଥା ଲାକ୍ରା, ରିଙ୍କି ସ୍ୱାଇଁ, ସରସ୍ୱତୀ ପୋଢ, ଭାଗ୍ୟଶ୍ରୀ ପ୍ରିୟଦର୍ଶିନୀ, ସୁମିତ୍ରା ଓରାମ, ଲକ୍ଷ୍ମୀ ଖିଲ୍ଲୋ, ରିଙ୍କି ବେହେରା, ଶ୍ରଦ୍ଧାଞ୍ଜଳି ପାଲ୍‌ଟାସିଂହ, ସୁପ୍ରିୟା ବିଶ୍ୱାଳ, ସାରଥି ବେହେରା, ଅର୍ପିତା ଖୁଣ୍ଟିଆ, ଶର୍ମିଷ୍ଠା ଦେବତା।

ସମ୍ବନ୍ଧିତ ଖବର