ଆଜିର ଅର୍ଜୁନ:ପରାକ୍ରମୀ ପୋଗ୍‌ବା

ମସ୍କୋ : ଗ୍ରୁପ୍‌-ସିରେ ସ୍ଥାନ ପାଇଥିବା ପୂର୍ବ ବିଜେତା ଫ୍ରାନ୍ସର ସଫଳତା ଅନେକାଂଶରେ ଏହି ଦଳର ଦକ୍ଷ ମଧ୍ୟଭାଗ ଖେଳାଳି ପଲ୍‌ ପୋଗ୍‌ବାଙ୍କ ସଫଳତା ଉପରେ ନିର୍ଭର କରିବ। ମଧ୍ୟଭାଗରେ ଜଣେ ଆକ୍ରମଣାତ୍ମକ ଖେଳାଳି ଭାବେ ପରିଚିତ ପୋଗ୍‌ବା ଏକଦା ବିଶ୍ୱର ସବୁଠାରୁ ଦାମୀ ଖେଳାଳିର ମାନ୍ୟତା ଲାଭ କରିଥିଲେ। ୨୦୧୩ରେ ତାଙ୍କ ନେତୃତ୍ୱରେ ଫ୍ରାନ୍ସ ଫିଫା ୨୦ ବର୍ଷରୁ କମ୍‌ ବିଶ୍ୱକପ୍‌ ଜିତିଥିଲା। ସେହି ପ୍ରତିଯୋଗିତାରେ ମଧ୍ୟ ସେ ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ। ସେହିବର୍ଷ ଜର୍ଜିଆ ବିପକ୍ଷରେ ପୋଗ୍‌ବା ନିଜ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ୨୦୧୪ରେ ନାଇଜେରିଆ ବିପକ୍ଷରେ ସେ ନିଜ ପ୍ରଥମ ବିଶ୍ୱକପ୍‌ ଗୋଲ୍‌ ଦେଇଥିଲେ। ୨୦୧୪ ବ୍ରାଜିଲ ବିଶ୍ୱକପ୍‌ରେ ପୋଗ୍‌ବା ଶ୍ରେଷ୍ଠ ଯୁବ ଖେଳାଳି ପୁରସ୍କାର ଲାଭ କରି ବେଶ୍‌ ଚର୍ଚିତ ହୋଇଥିଲେ। ୨୦୧୬ ୟୁଫା କପ୍‌ ଖେଳିଥିବା ଫ୍ରାନ୍ସ ଦଳର ସେ ଅନ୍ୟତମ ସଦସ୍ୟ ଥିଲେ। ଏବେସୁଦ୍ଧା ସେ ୧୮୭ କ୍ଲବ୍‌ ସ୍ତରୀୟ ମ୍ୟାଚ୍‌ ଖେଳି ସାରିଲେଣି। ସେହିଭଳି ୫୪ ମ୍ୟାଚ୍‌ରେ ମଧ୍ୟ ଫ୍ରାନ୍ସ ଜାତୀୟ ଦଳର ପ୍ରତିନିଧିତ୍ୱ କରିଛନ୍ତି। ୬ ଫୁଟ ୩ ଇଞ୍ଚ ଉଚ୍ଚତା ବିଶିଷ୍ଟ ପୋଗ୍‌ବା ନିଜ ନିଆରା କେଶ ବିନ୍ୟାସ ପାଇଁ ଅନେକ ସମୟରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟି ଥାଆନ୍ତି। ୧୯୯୩ ମସିହା ମାର୍ଚ ୧୫ ତାରିଖରେ ଫ୍ରାନ୍ସର ଲାଙ୍ଗି ସୁର ମାରନେ ନାମକ ଏକ ଛୋଟିଆ ସହରରେ ଜନ୍ମଗ୍ରହଣ କରିଥିବା ପୋଗବା ଶୈଶବରୁ ଫୁଟବଲ୍‌ ପ୍ରତି ଆକର୍ଷିତ ହୋଇଥିଲେ। ଦୁଇ ଜଣ ଯାକ ବଡ଼ ଭାଇ ଫୁଟ୍‌ବଲ୍‌ର ହୋଇଥିବାରୁ ସ୍ୱାଭାବିକ ଭାବେ ସେ ଏହି ଖେଳ ପ୍ରତି ଆକର୍ଷିତ ହୋଇଥିଲେ। ତେବେ ନିଜ ବଡ଼ ଭାଇମାନଙ୍କୁ ବହୁ ପଛରେ ପକାଇ ଦେଇଥିଲେ। ସଂପ୍ରତି ସେ ମାଞ୍ଚେଷ୍ଟର ୟୁନାଇଟେଡ୍‌ ପକ୍ଷରୁ କ୍ଲବ୍‌ ଫୁଟ୍‌ବଲ୍‌ ଖେଳୁଛନ୍ତି।

ସମ୍ବନ୍ଧିତ ଖବର