ଆଜିଠାରୁ ରାଜ୍ୟଗୋଷ୍ଠୀ କ୍ରୀଡ଼ା:୭୧ ଦେଶ, ୨୭୫ ସ୍ୱର୍ଣ୍ଣ

ପଦକଠୁ ଗୋଟିଏ ବିଜୟ ଦୂରରେ ମେରି କମ୍‌ : ମାସ୍କଟ୍‌ ବୋରୋବି

ଗୋଲ୍‌ଡକୋଷ୍ଟ: ଅଷ୍ଟ୍ରେଲୀୟ ନଗରୀ ଗୋଲ୍‌ଡ କୋଷ୍ଟରେ ବୁଧବାରଠାରୁ ୨୧ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ ହେବ। ଏପ୍ରିଲ୍‌ ୪ରୁ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ମୋଟ ୧୯ ଖେଳର ୨୭୫ ଇଭେଣ୍ଟ୍‌ ଅନୁଷ୍ଠିତ ହେବ। ଅଲିମ୍ପିକ୍‌ ପରେ ଏହି ପ୍ରତିଯୋଗିତାକୁ ଦ୍ୱିତୀୟ ଶ୍ରେଷ୍ଠ ବିବିଧ କ୍ରୀଡ଼ା ପ୍ରତିଯୋଗିତା ଭାବେ ଗଣାଯାଇଥାଏ। ବ୍ରିଟିଶ ଶାସନାଧୀନ ରାଷ୍ଟ୍ରଗୁଡ଼ିକର ଖେଳାଳିମାନେ ଏଥିରେ ଭାଗ ନେଇ ନିଜ ନିଜ ଉତ୍କର୍ଷତା ପ୍ରତିପାଦନ କରିବାର ସୁଯୋଗ ପାଇଥାନ୍ତି। ଭାରତ ଏହି ପ୍ରତିଯୋଗିତାକୁ ୨୦୧୦ ମସିହାରେ ଆୟୋଜନ କରିଥିଲା।
ଗୋଲ୍‌ଡ କୋଷ୍ଟ୍‍ରେ ବୁଧବାର ଭାରତୀୟ ସମୟ ଅପରାହ୍‌ଣ ୨.୩୦ରେ ଏହି ପ୍ରତିଯୋଗିତା ଉଦ୍‌ଘାଟିତ ହେବ। ଅଢ଼େଇ ଘଣ୍ଟା ଧରି ଉଦ୍‌ଘାଟନୀ ଉତ୍ସବ ଅନୁଷ୍ଠିତ ହେବ। ଏଥି ପାଇଁ ପ୍ରକଳ୍ପ ଓ କଳା ନିର୍ଦେଶକ ଡେଭିଡ୍‌ ଜୋଲ୍‌କ୍ୱେର୍‌ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ବିଶ୍ୱବାସୀଙ୍କୁ ଏକ ଅନନ୍ୟ ଉଦଘାଟନୀ ଓ ଉଦ୍‌ଯାପନୀ ଉତ୍ସବ ଦେଖାଇବା ଲାଗି ସେ ସଙ୍କଳ୍ପବଦ୍ଧ। ତାଙ୍କ ନିକଟରେ ଦୁଇ ଦଶନ୍ଧିର ଅଭିଜ୍ଞତା ମଧ୍ୟ ରହିଛି। ୨୦୦୪ ଏଥେନ୍‌ସ ଅଲିମ୍ପିକ୍ସ ଏବଂ ୨୦୦୮ ବେଜିଂ ଅଲିମ୍ପିକ୍ସରେ ମଧ୍ୟ ସେ କାର୍ଯ୍ୟ କରିଥିଲେ। ୨୦୧୪ ଗ୍ଲାସ୍‌ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସହିତ ବ୍ରିଟିସ୍‌ ଯୁବରାଜ ଓ୍ଵିଲିୟମ୍‌ ଓ କେଟ୍‌ ମିଡଲଟନ୍‌ଙ୍କ ରାଜକୀୟ ବିବାହର କାର୍ଯ୍ୟକ୍ରମ ମଧ୍ୟ ସେ ତୁଲାଇଥିଲେ। ଏବେ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଉଦ୍‌ଘାଟନୀ ଉତ୍ସବ ଲାଗି କାରାରା ଷ୍ଟାଡିୟମ୍‌ରେ ୪,୦୦୦ ସ୍ୱେଚ୍ଛାସେବୀଙ୍କୁ ନେଇ ପ୍ରସ୍ତୁତିରେ ଅଛନ୍ତି ଜୋଲକ୍ୱେର। ‘ବିଶ୍ୱବାସୀଙ୍କୁ ଗୋଲ୍‌କୋଷ୍ଟକୁ ନିମନ୍ତ୍ରଣ କରିବା ତୁଳନାରେ ଆମେ ସେମାନଙ୍କୁ ଆମ ମହାନତା ସମ୍ପର୍କରେ ଅବଗତ କରାଇବାକୁ ଚାହୁଁଛୁ। ବିଶ୍ୱ ସହିତ ଗୋଲ୍‌ଡକୋଷ୍ଟକୁ ଯୋଡ଼ିବା ଏବଂ ଭାଗୀଦାର କରିବାର ଉଦ୍ଦେଶ୍ୟ ରଖିଛୁ ବୋଲି ସେ କହିଛନ୍ତି।

ଗୋଲ୍‌ଡକୋଷ୍ଟ: ଭାରତୀୟ ମହିଳା ମୁଷ୍ଟିଯୋଦ୍ଧା ଏମ୍‌ସି ମେରିକମ୍‌ ଅଷ୍ଟ୍ରେଲିଆର ଗୋଲ୍‌କୋଷ୍ଟରେ ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପଦକ ଜିତିବାଠୁ ଗୋଟିଏ ବିଜୟ ଦୂରରେ ରହିଛନ୍ତି। ଆଉ ମାତ୍ର ଗୋଟିଏ ବାଉଟ୍‌ ଜିତିଗଲେ ମେରି କମ୍‌ ଭାତର ପାଇଁ ରାଜ୍ୟଗୋଷ୍ଠୀ ପଦକ ନିଶ୍ଚିତ କରିବେ। ମଙ୍ଗଳବାର ଏଠାରେ ମୁଷ୍ଟିଯୁଦ୍ଧ ଡ୍ର’ ଉଠାଣ ହୋଇଥିଲା ବେଳେ ମହିଳା ମୁଷ୍ଟିଯୁଦ୍ଧ ବର୍ଗରେ ମାତ୍ର ୮ ପ୍ରତିଯୋଗୀ ରହିଛନ୍ତି। ଫଳରେ ମେରି କମ୍‌ ସିଧାସଳଖ କ୍ୱାର୍ଟର ଫାଇନାଲ୍‌ରୁ ହିଁ ଅଭିଯାନ ଆରମ୍ଭ କରିବେ। ଆଉ କ୍ୱାର୍ଟର ଫାଇନାଲ୍‌ରେ ୩୫ ବର୍ଷ ବୟସ୍କା ମେରି କମ୍‌ଙ୍କ ପ୍ରତିଦ୍ୱନ୍ଦ୍ୱୀ ରହିଛନ୍ତି ସ୍କଟ୍‌ଲାଣ୍ଡ୍‌ର ମେଗାନ୍‌ ଗର୍ଡନ୍‌। ମେରି କମ୍‌ ଓ ଗର୍ଡନ୍‌ଙ୍କ ମଧ୍ୟରେ ଲଢ଼େଇ ୮ ତାରିଖରେ ହେବ। ଏଠାରେ ସ୍ୱର୍ଣ୍ଣ ପଦକ ଜିତିବାର ପ୍ରମୁଖ ଦାବିଦାର ଥିବା ମେରି କମ୍‌ କ୍ୱାର୍ଟର ଫାଇନାଲ୍‌ ଜିତିନେଲେ ଅତି କମ୍‌ରେ କାଂସ୍ୟ ଜିତିବା ନିଶ୍ଚିତ ହୋଇଯିବ। ତେବେ ନିଜର ପ୍ରଥମ ଓ ଶେଷ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୪୮ କେଜି ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ମେରି କମ୍‌ ଏହି ସୁଯୋଗ ହାତଛଡ଼ା କରିବାକୁ ଚାହିଁବେନି ବୋଲି କହିଛନ୍ତି। ସେହିପରି ଗ୍ଲାସ୍‌ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ା କାଂସ୍ୟ ବିଜୟିନୀ ପିଙ୍କି ଜାଙ୍ଗ୍ରା (୫୧ କେଜି) ମଧ୍ୟ କ୍ୱାର୍ଟର ଫାଇନାଲ୍‌ରୁ ଲଢ଼େଇ ଆରମ୍ଭ କରିବେ। ସେ ଏହି ପର୍ଯ୍ୟାୟରେ ଇଂଲଣ୍ଡର ଲିସା ହ୍ଵାଇଟ୍‌ସାଇଡ୍‌ଙ୍କୁ ପରାସ୍ତ କରିଦେଲେ ଭାରତ ପାଇଁ ପଦକ ନିଶ୍ଚିତ କରିବେ। ପିଙ୍କି ଓ ଲିସାଙ୍କ ଲଢ଼େଇ ୧୧ ତାରିଖରେ ହେବ। ତେବେ ଏକମାତ୍ର ଭାରତୀୟ ମହିଳା ଭାବେ ଇଣ୍ଡିଆ ଓପନ୍‌ ସ୍ୱର୍ଣ୍ଣ ବିଜୟିନୀ ଲଭ୍‌ଲିନା ବୋର୍ଗୋହେଁ (୬୯ କେଜି) ପ୍ରଥମ ରାଉଣ୍ଡ୍‌ ବାଇ ପାଇ କ୍ୱାର୍ଟରରେ ପହଞ୍ଚିଛନ୍ତି। କ୍ୱାର୍ଟରରେ ତାଙ୍କର ମୁକାବିଲା ଇଂଲଣ୍ଡର ସାଣ୍ଡି ର‍୍ୟାନ୍‌ଙ୍କ ସହ ହେବ। ପୂର୍ବତନ ବିଶ୍ୱ ଓ ଏସୀୟ ବିଜୟିନୀ ଏଲ୍‌ ସରିତା ଦେବୀ (୬୦ କେଜି) କିମ୍ବର୍ଲି ଗିଟେନ୍‌ସଙ୍କ ସହ ଲଢ଼ି ଅଭିଯାନ ଆରମ୍ଭ କରିବେ।
ଅନ୍ୟପକ୍ଷରେ ପୁରୁଷ ବର୍ଗରେ ବିକାଶ କୃଷ୍ଣନ୍‌, ସତୀଶ କୁମାର ଏବଂ ମନୀଷ କୌଶିକ୍‌ ମଧ୍ୟ ବାଇ ପାଇ କ୍ୱାର୍ଟର ଫାଇନାଲ୍‌କୁ ଉନ୍ନୀତ ହୋଇଛନ୍ତି। ଏମାନଙ୍କ ବ୍ୟତୀତ ଯୁବ ଭାରତୀୟ ନମନ ତନ୍‌ଓ୍ଵାର (୧୯ ବର୍ଷ) ୯୧ କେଜି ବର୍ଗରେ ୬ ତାରିଖ ଦିନ ପ୍ରଥମ ରାଉଣ୍ଡ୍‌ ଲଢ଼େଇରେ ଅବତୀର୍ଣ୍ଣ ହେବେ। ସେ ତାଞ୍ଜାନିଆର ହରୁନା ମାଣ୍ଡୋଙ୍କ ସହ ଲଢ଼ି ରାଜ୍ୟଗୋଷ୍ଠୀ କ୍ରୀଡ଼ା ଅଭିଯାନ ଆରମ୍ଭ କରିବେ। ତାଙ୍କ ପୂର୍ବରୁ ୫ ତାରିଖରେ ୨୦୧୦ ନୂଆଦିଲ୍ଲୀ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ୱର୍ଣ୍ଣ ବିଜେତା ମନୋଜ କୁମାର (୬୯ କେଜି) ଭାରତ ପାଇଁ ଅଭିଯାନ ଆରମ୍ଭ କରିବେ। ସେ ପ୍ରଥମ ରାଉଣ୍ଡ୍‌ରେ ନାଇଜେରିଆର ଓସିତା ଉମେଶଙ୍କ ସହ ଲଢ଼ିବେ। ୭ ତାରିଖରେ ମହମ୍ମଦ ହୁସାମୁଦ୍ଦିନ୍‌ (୫୬ କେଜି) ବନତୁସ୍‌ର ବୋଏ ଓ୍ଵାରାଓ୍ଵାରାଙ୍କ ସହ ଏବଂ ୯ ତାରିଖରେ ଗୌରବ ସୋଲାଙ୍କି ଘାନାର ଅନଙ୍ଗ ଅମ୍ପିଆସ୍‌ଙ୍କ ସହ ଲଢ଼ିବେ। ସେହିପରି ଇଣ୍ଡିଆ ଓପନ୍‌ ସ୍ୱର୍ଣ୍ଣ ବିଜେତା ଅମିତ ପଙ୍ଗଲ୍‌ (୪୯ କେଜି) ଘାନାର ଟେଟେ ସୁଲେମାନୁଙ୍କ ସହ ଲଢ଼ି ଅଭିଯାନ ଆରମ୍ଭ କରିବେ।

ରାଜ୍ୟଗୋଷ୍ଠୀ କ୍ରୀଡ଼ାର ମାସ୍କଟ୍‌ ନାଁ ‘ବୋରୋବି’। ବୋରୋବି ହେଉଛି ଅଷ୍ଟ୍ରେଲିଆରେ ବସବାସ କରୁଥବା ଭାଲୁ ପ୍ରଜାତିର କୋଆଲା। କିନ୍ତୁ ବୋରୋବି ହେଉଛି ପ୍ରଥମ ନୀଳ କୋଆଲା। ଏହି ପ୍ରଜାତିର ହୋଇଥିଲେ ମଧ୍ୟ ବୋରୋବିର ରଙ୍ଗ ଏବଂ ଗଠନରେ ବହୁ ସାମଞ୍ଜସ୍ୟ ରହିଥିଲା। ବୋରୋବି କୁଇନସଲାଣ୍ଡ୍‌ର ଜାତୀୟ ପଶୁ। ପ୍ରଥମ ସର୍ଫିଂ କରୁଥିବା କୋଆଲା ଦୁଃସାହାସୀ ଓ ମଜାଳିଆ ପ୍ରକୃତିର। ମାସ୍କଟ୍‌ରେ କୁଇନ୍‌ସଲାଣ୍ଡ ଏବଂ ଅଷ୍ଟ୍ରେଲିଆ ସଂସ୍କୃତିର ପ୍ରତିଫଳନ ମଧ୍ୟ ରହିଛି।

ସମ୍ବନ୍ଧିତ ଖବର