ଆଜି ସ୍ପେନ୍‌-ରୁଷିଆ କ୍ରୋଏସିଆ-ଡେନ୍‌ମାର୍କ

ଲୁଝନିକି/ନିଝନି: ଚଳିତ ଫିଫା ବିଶ୍ୱକପ୍‌ର ନକ୍‌ ଆଉଟ୍‌ ପର୍ଯ୍ୟାୟର ଦ୍ୱିତୀୟ ଦିବସରେ ରବିବାର ଖେଳାଯିବ ଦୁଇଟି ପ୍ରି-କ୍ୱାର୍ଟର ଫାଇନାଲ୍‌ ମ୍ୟାଚ୍‌। ସଂଧ୍ୟା ୭.୩୦ରେ ୨୦୧୦ ବିଜେତା ସ୍ପେନ୍‌ ଭେଟିବ ଆୟୋଜକ ରୁଷିଆକୁ ଏବଂ ରାତି ୧୧.୩୦ ମିନିଟ୍‌ରେ ଭିଡ଼ାଭିଡି ହେବେ ଦୁଇ ଅଣବିଜେତା କ୍ରୋଏସିଆ ଓ ଡେନ୍‌ମାର୍କ। ପ୍ରଥମ ମ୍ୟାଚ୍‌ରେ ଅଭିଜ୍ଞତା ସାଙ୍ଗକୁ ଶକ୍ତି ଓ ସାମର୍ଥ୍ୟ ଦୃଷ୍ଟିରୁ ସ୍ପେନ୍‌ ପଲା ଭାରି ରହିଥିଲେ ମଧ୍ୟ ଘରୋଇ ପରିବେଶରେ ଭଲ ଖେଳୁଥିବା ରୁଷିଆ କିଛି କରିସ୍ମା ଦେଖାଇବ ବୋଲି ଆଶା ବାନ୍ଧିଛି। ଗୋଟିଏ ପରିସଂଖ୍ୟାନ ସ୍ପେନ୍‌ ସପକ୍ଷରେ ରହିଛି ଯାହାକି ଏହାର ପ୍ରଶଂସକଙ୍କୁ ଉତ୍ସାହିତ ରଖିଛି। ୧୯୬୨ ମସିହା ପରଠାରୁ ଦେଖାଯାଇଛି ୩ ଥର ଗୋଟିଏ ସଂସ୍କରଣ ବ୍ୟବଧାନରେ ଏକ ଦେଶ ପୁଣି ବିଜେତା ହୋଇଛି। ବ୍ରାଜିଲ୍‌ (୧୯୬୨ ଓ ୧୯୭୦), ଆର୍ଜେଣ୍ଟିନା (୧୯୭୮ ଓ ୧୯୮୬) ଏବଂ ବ୍ରାଜିଲ୍‌ (୧୯୯୪ ଓ ୨୦୦୨)। ସେହିଧାରା ଯଦି ଆଗକୁ ଯାଏ ୨୦୧୦ ବିଜେତା ସ୍ପେନ୍‌ ପୁଣି ଚମକିବ। ଅନ୍ୟପକ୍ଷରେ ଘରୋଇ ପରିବେଶରେ ଭଲ କରିବାର ଧାରା ମଧ୍ୟ ବହୁ ପୁରୁଣା। ଯାହା ଆୟୋଜକ ରୁଷିଆକୁ ଆଶାବାଦୀ ରଖିଛି। ୧୯୮୬ ମସିହାରେ ମେକ୍ସିକୋ ସଂସ୍କରଣଠାରୁ ପ୍ରି-କ୍ୱାର୍ଟର ଫାଇନାଲ୍‌ ପ୍ରଚଳିତ ହେବା ପରଠାରୁ ଆୟୋଜକ ଦେଶ ଭଲ କରି ଆସୁଛନ୍ତି। ସେବେଠାରୁ ଆୟୋଜକ ଦେଶ ୬ ମ୍ୟାଚ୍‌ରେ ସମ୍ପୃକ୍ତି ରହି ବିଜୟୀ ହୋଇଛନ୍ତି। ମାତ୍ର ଦୁଇ ଥର ଘରୋଇ ଦଳକୁ ନିରାଶ ହେବାକୁ ପଡ଼ିଛି। ୧୯୯୪ରେ ବିଜେତା ବ୍ରାଜିଲଠାରୁ ଆମେରିକା ଏବଂ ୨୦୦୨ରେ ତୁର୍କୀଠାରୁ ଜାପାନ ହାରିଥିଲା।

୨୦୧୦ ମସିିହା ପରେ ସ୍ପେନ୍‌ ପ୍ରଥମ ନକ୍‌ ଆଉଟ୍‌ ମ୍ୟାଚ୍‌ ଖେଳିବ ରବିବାର। ଲୁଝିନିକିରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ ରୁଷିଆ ପାଇଁ ୧୧,୭୦୪ ଦିନ ପରେ ଏକ ବିଶ୍ୱକପ୍‌ ନକ୍‌ ଆଉଟ୍‌ ମ୍ୟାଚ୍‌ ରୂପରେ ଆସିଛି। ଶେଷ ଥର ପାଇଁ ରୁଷିଆ ୧୯୮୬ ଜୁନ୍‌ ୧୫ରେ ବେଲିଜିୟମ୍‌କୁ ଅତିରିକ୍ତ ସମୟରେ ୪-୩ରେ ହରାଇଥିଲା। ସ୍ପେନ୍‌ ଏହାର ଗୋଲି ଡେଭିଡ୍‌ ଡଇ ଜିଆଙ୍କ ସହିତ ଗେରାର୍ଡ ପିକ୍ୟୁ, ସର୍ଜିଓ ରାମୋସ, ଆନ୍ଦ୍ରେସ ଇନିସ୍ତା, ଡିଏଗୋ କୋଷ୍ଟାଙ୍କ ଉପରେ ନିର୍ଭର କରିବ। ରୁୁୁଷିଆର ଡେନିସ୍‌ ଚେରିସେଭ୍‌ ଏବଂ ଗୋଲରକ୍ଷକ ଅଧିନାୟକ ଆଇଗର୍‌ ଆକିନଫିଭ୍‌ଙ୍କ ଉପରେ ଭରସା ରଖିବ।

ନିଝନି ଷ୍ଟାଡିୟମ୍‌ରେ ଖେଳାଯିବାକୁ ଥିବା ଚତୁର୍ଥ ପ୍ରି-କ୍ୱାର୍ଟର ଫାଇନାଲରେ କ୍ରୋଏସିଆ ଏବଂ ଡେନମାର୍କ ମ୍ୟାଚ୍‌ ମଧ୍ୟ ଅନ୍ୟତମ ଆକର୍ଷଣ ହେବ। ପ୍ରି-କ୍ୱାର୍ଟରରେ ଯେଉଁ ୩ଟି ୟୁରୋପୀୟ ପ୍ରତିଦ୍ୱନ୍ଦ୍ୱୀ ମୁକାବିଲା ଦେଖିବାକୁ ମିଳିବ ସେ ମଧ୍ୟରୁ ଏହା ଅନ୍ୟତମ। ପୂର୍ବରୁ ଏହି ଦୁଇ ଦେଶ ଖେଳିଥିବା ୫ ମୁକାବିଲାରେ ୨ ଲେଖାଏଁ ଜିତିଥିବା ବେଳେ ଗୋଟିଏ ଅମୀମାଂସିତ ରହିଛି। କ୍ରୋଏସିଆ ଗ୍ରୁପ୍‌ ପର୍ଯ୍ୟାୟରେ ଆର୍ଜେଣ୍ଟିନାକୁ ୩-୦ରେ ହରାଇବା ସହିତ ଅପରାଜିତ ରହିଥିଲା। ସେହି ପଡ଼ିଆରେ ଖେଳିବ ଡେନ୍‌ମାର୍କ ସହିତ। ଲୁକା ମୋଡ୍ରିକଙ୍କ ଦଳ ଭାବେ ପରିଚିତ କ୍ରୋଏସିଆ ଏବେ ୧୯୯୮ ମସିହା ଫ୍ରାନ୍‌ସରେ ଦେଶକୁ ମିଳିଥିବା ଶ୍ରେଷ୍ଠ ପ୍ରଦର୍ଶନ (କାଂସ୍ୟ)କୁ ପଛରେ ପକାଇବା ଲକ୍ଷ୍ୟରେ ଥିବାରୁ ଆଗକୁ ବଢ଼ିବା ନେଇ ଆଶାବାଦୀ। ଅନ୍ୟପକ୍ଷରେ ବିଶ୍ୱକପ୍‌ରେ ସର୍ବାଧିକ କ୍ୱାର୍ଟର ଫାଇନାଲ୍‌ ଉଠିପାରିଥିବା ଡେନ୍‌ମାର୍କ ପ୍ରଥମେ ସେହି ପର୍ଯ୍ୟାୟରେ ପାଦ ଥାପି ଆଗକୁ ଚିନ୍ତା କରିବ ବୋଲି ଭାବିଛି। କିନ୍ତୁ ପ୍ରିକ୍ୱାର୍ଟର ଆସିଥିବା ଦଳ ମଧ୍ୟରେ ସବୁଠୁ କମ୍‌ ଗୋଲ୍‌ ଦେଇଛି ଡେନ୍‌ମାର୍କ। ମାତ୍ର ୨ ଗୋଲ୍‌ ଦେଇ ପି୍ରକ୍ୱାର୍ଟର୍‌ ପହଞ୍ଚିଛି ଡେନ୍‌ମାର୍କ। କ୍ରୋଏସିଆ ପାଇଁ ମିଲନ୍‌ ବଦେଲଜି, ଲୁକା ମୋଡ୍ରିକ, ଇଭାନ୍‌ ପେରିସିକ୍‌, ମାରିଓ ମଣ୍ଡଜୁକିକ୍‌ ଏବଂ ଡେନମାର୍କ ପାଇଁ ୟୁସୁଫ୍‌ ୟୁରାରି ପଲ୍‌ସେନ୍‌, ନିକୋଲାଇ ଜର୍ଜେନସନ୍‌, କାସ୍‌ପର ଶ୍ଚମେଇଚେଲ୍‌, କ୍ରିଷ୍ଟିଆନାଏରିକ୍‌ସନ୍‌ ପ୍ରମୁଖ ନିର୍ଣ୍ଣାୟକ ଖେଳାଳି ହେବେ। ପୂର୍ବରୁ ଥରେ ମାତ୍ର ଡେନ୍‌ମାର୍କକୁ ଭେଟିଛି କ୍ରୋଏସିଆ। ୧୯୯୬ର ୟୁରୋ ପ୍ରତିଯୋଗିତାରେ ହୋଇଥିବା ଏହି ମୁକାବିଲାରେ ଡାଭୋର୍‌ ସୁକେର୍‌ଙ୍କ ୨ ଓ ଭୋନିମିର୍‌ ବୋବାନ୍‌ଙ୍କ ଗୋଲ୍‌ ବଳରେ କ୍ରୋଏସିଆ ୩-୦ରେ ବିଜୟୀ ହୋଇଥିଲା।

ସମ୍ବନ୍ଧିତ ଖବର