ଆଜିଠୁ ଚତୁର୍ଥ ଟେଷ୍ଟ: ଭାରତ ପାଇଁ ଶୃଙ୍ଖଳା ବରାବର ସୁଯୋଗ

ସାଉଥ୍‌ମ୍ପଟନ୍‌: ଇଂଲଣ୍ଡ ଓ ଭାରତ ମଧ୍ୟରେ ଆସନ୍ତାକାଲିଠାରୁ ଏଠାରେ ଆରମ୍ଭ ହେବ ଚତୁର୍ଥ ଟେଷ୍ଟ। ୫ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାରେ ଘରୋଇ ଇଂଲଣ୍ଡ ପ୍ରଥମ ଦୁଇ ଟେଷ୍ଟ ଜିତି ନେଇଥିଲା ବେଳେ ଭ୍ରମଣକାରୀ ଭାରତ ‘କର ବା ମର’ ତୃତୀୟ ଟେଷ୍ଟ ଜିତିନେଇଥିଲା। ଫଳରେ ୧-୨ରେ ପଛୁଆ ରହିଥିବା ବିରାଟ କୋହଲିଙ୍କ ଦଳ ପାଇଁ ଏବେ ବି ସଂକଟ ଟଳିନାହିଁ। କାରଣ ଚତୁର୍ଥ ଟେଷ୍ଟ ହାରିଗଲେ ଭାରତ ହାତରୁ ଶୃଙ୍ଖଳା ଚାଲିଯିବ। ଅନ୍ୟପକ୍ଷରେ ଏହି ଟେଷ୍ଟ ଜିତି ପଞ୍ଚମ ତଥା ଶେଷ ମ୍ୟାଚ୍‌ ପୂର୍ବରୁ ଶୃଙ୍ଖଳା କବ୍‌ଜା କରିନେବା ଲକ୍ଷ୍ୟରେ ରହିଛି ଇଂଲଣ୍ଡ ଦଳ। ତେଣୁ ତୃତୀୟ ଟେଷ୍ଟ ଭଳି ଏଠାରେ ବି ବିଜୟବାନା ଉଡାଇ ଶୃଙ୍ଖଳା ବରାବର କରିବାର ସୁଯୋଗ ଭାରତ ହାତଛଡ଼ା କରିବାକୁ ଦେବନାହିଁ ବୋଲି ଲକ୍ଷ୍ୟ ରଖିଛି। ଏହି ଟେଷ୍ଟ ଜିତି ଶୃଙ୍ଖଳାକୁ ପଞ୍ଚମ ତଥା ଶେଷ ମ୍ୟାଚ୍‌କୁ ଟାଣିନେବା ପାଇଁ କୋହଲି ବାହିନୀ ମଧ୍ୟ ପୂରା ଦମ୍‌ ଲଗାଇଦେବେ ବୋଲି ଯୋଜନା କରିଛନ୍ତି। ଏଥିପାଇଁ ଭାରତୀୟ ଦଳ ବୁଧବାର ଝାଳନାଳ ହୋଇ ନେଟ୍‌ସରେ ଅଭ୍ୟାସ କରିଛି। ଇଂଲଣ୍ଡ ମାଟିରେ ଭାରତ ଏପର୍ଯ୍ୟନ୍ତ ମାତ୍ର ୩ ଟେଷ୍ଟ ଶୃଙ୍ଖଳା ଜିତିପାରିଛି। ତେବେ ଏଥର ଚତୁର୍ଥ ଟେଷ୍ଟ ଜିତି କୋହଲି ବାହିନୀ ଶ୍ରେଷ୍ଠ ସଫଳତା ପାଇପାରିବେ ବୋଲି ପ୍ରଥମ ଶୃଙ୍ଖଳା ବିଜୟୀ ଦଳର ସଦସ୍ୟ ଥିବା ଓ୍ଵିକେଟ୍‌ରକ୍ଷକ ବ୍ୟାଟ୍‌ସମ୍ୟାନ୍‌ ଫାରୁକ୍‌ ଇଞ୍ଜିନିୟର ବିଶ୍ୱାସ ପ୍ରକଟ କରିଛନ୍ତି। ଆଉ ଯଦି ଚତୁର୍ଥ ଟେଷ୍ଟ ସହିତ ଶେଷ ଟେଷ୍ଟ ବି ଜିତି ଭାରତ ଶୃଙ୍ଖଳା କବ୍‌ଜା କରିନିଏ, ତେବେ ୧୯୩୬ ମସିହାରେ ଅଷ୍ଟ୍ରେଲୀୟ କିମ୍ବଦନ୍ତୀ ଡନ୍‌ ବ୍ରାଡ୍‌ମ୍ୟାନ୍‌ଙ୍କ ସଫଳତାର ସମକକ୍ଷ ହୋଇଯିବ। ୧୯୩୬ ଆସେସ୍‌ରେ ବ୍ରାଡ୍‌ମ୍ୟାନ୍‌ଙ୍କ ଦଳ ୦-୨ ପଛୁଆ ରହିବା ପରେ ଶେଷ ୩ ଟେଷ୍ଟ ଜିତି ଶୃଙ୍ଖଳା କବ୍‌ଜା କରିନେଇଥିଲା। ଯହାକି ଏବେ କୋହଲିଙ୍କ ନିକଟରେ ସମାନ ସୁଯୋଗ ରହିଛି। ହେଲେ ଚତୁର୍ଥ ଟେଷ୍ଟ ଖେଳାଯିବାକୁ ଥିବା ରୋଜ୍‌ବାଉଲ୍‌ ଷ୍ଟାଡିୟମ୍‌ରେ ଘରୋଇ ଦଳର ପଲା ଭାରି ରହିଛି। ଏହି ଷ୍ଟାଡିୟମ୍‌ରେ ମାତ୍ର ୩ ଟେଷ୍ଟ ଖେଳାଯାଇଛି। ସେଥିରୁ ଘରୋଇ ଦଳ ୨୦୧୧ରେ ଶ୍ରୀଲଙ୍କା ଏବଂ ୨୦୧୪ରେ ଭାରତ ସହ ଖେଳିଥିଲା। ଭାରତ ବିପକ୍ଷରେ ଇଂଲଣ୍ଡ ୨୬୬ ରନ୍‌ରେ ବିଜୟୀ ହୋଇଥିଲା। ତେଣୁ ପୂର୍ବର ସେହି ଆତ୍ୱବିଶ୍ୱାସକୁ ପାଥେୟ କରି ଏଥର ମଧ୍ୟ ବିଜୟର ଆଶା ଇଂଲଣ୍ଡ ରଖିଥିଲା ବେଳେ କୋହଲି ବାହିନୀ ଅତୀତର ପୁନରାବୃତ୍ତି ହେବାକୁ ଦେବନାହିଁ ବୋଲି ଯୋଜନା କରିଛି। ଚଳିତ ଶୃଙ୍ଖଳାରେ ଏପର୍ଯ୍ୟନ୍ତ ଦ୍ରୁତ ବୋଲରମାନେ ମୋଟ ୪୬ରୁ ୩୮ ଓ୍ଵିକେଟ୍‌ ଦଖଲ କରିସାରିଥିବାରୁ ଚତୁର୍ଥ ଟେଷ୍ଟରେ ସ୍ପିନରଙ୍କ ପ୍ରଭାବ ଅନୁଭୂତ ହେବନାହିଁ। ତେଣୁ ତୃତୀୟ ଟେଷ୍ଟ ଭଳି ସାଉଥ୍‌ମ୍ପଟନ୍‌ ଟେଷ୍ଟରେ ମଧ୍ୟ ଭାରତ ତା’ର ତିନି ବିଶେଷଜ୍ଞ ଦ୍ରୁତ ବୋଲରଙ୍କ ସହିତ ପେସ୍‌ ଅଲ୍‌ରାଉଣ୍ଡର ହାର୍ଦିକ୍‌ ପାଣ୍ଡ୍ୟାଙ୍କୁ ଖେଳାଇବା ନିଶ୍ଚିତ ହୋଇଛି।

ସମ୍ବନ୍ଧିତ ଖବର