ମହାନଦୀ କପ୍‌ ସେମିଫାଇନାଲ୍‌ ଆଜିଠୁ

କଟକ: ୟୁନିଅନ୍‌ ସ୍ପୋର୍ଟିଂ କ୍ଲବ୍‌ ଆନୁକୂଲ୍ୟରେ ବୋସ୍‌ ବୈଷୟିକ ବିଦ୍ୟାଳୟ ପଡ଼ିଆରେ ଚାଲିଥିବା ଦ୍ୱିତୀୟ ମହାନଦୀ କପ୍‌ କ୍ରିକେଟ୍‌ ପ୍ରତିଯୋଗିତାର ସେମିଫାଇନାଲ୍‌ ପର୍ଯ୍ୟାୟ ଗୁରୁବାରଠୁ ଆରମ୍ଭ ହେବ। ଆଜାଦ୍‌ ହିନ୍ଦ୍‌ ଓ ସୋଲାର ମଧ୍ୟରେ ପ୍ରଥମ ସେମିଫାଇନାଲ୍‌ ଖେଳାଯିବ। ସେହିପରି ଶୁକ୍ରବାର ଦ୍ୱିତୀୟ ସେମି ଫାଇନାଲ୍‌ ସହିଦ ସ୍ପୋର୍ଟିଂ ଓ ଜୁଭେନାଇଲ୍‌ କ୍ଲବ୍‌ ମଧ୍ୟରେ ଖେଳାଯିବ। ବୁଧବାର ଲିଗ୍‌ ପର୍ଯ୍ୟାୟର ଅନ୍ତିମ ମ୍ୟାଚ୍‌ରେ ଆଜାଦ୍‌ ହିନ୍ଦ୍‌ ୩ ଓ୍ଵିକେଟ୍‌ରେ ପରାମାଉଣ୍ଟ କ୍ଲକ୍‌କୁ ପରାସ୍ତ କରି ସେମିଫାଇନାଲ୍‌ରେ ପ୍ରବେଶ କରିଥିଲା। ଏହି ମ୍ୟାଚରେ ପାରାମାଉଣ୍ଟ ୧୯.୧ ଓଭରରେ ସମସ୍ତ ଓ୍ଵିକେଟ ହରାଇ ୧୧୪ ରନ୍‌ କରିଥିଲା। ରିଷିକେଶ ଦାସ ୨୯ ଓ ଅଭୟ ମହାପାତ୍ର ୨୨ ରନ୍‌ କରିଥିଲେ। ଆଜାଦ ହିନ୍ଦ୍‌ର ଲୋକାରଂଜନ ରାଉତରାୟ ୪, ସତ୍ୟ ନାରାୟଣ ସେନାପତି ଓ ଜଗନ୍ନାଥ ଗୋତା ୨ଟି ଲେଖାଏଁ ଓ୍ଵିକେଟ୍‌ ଅକ୍ତିଆର କରିଥିଲେ। ଜବାବରେ ଆଜାଦ ହିନ୍ଦ୍‌ ୧୪ ଓଭରରେ ୭ ଓ୍ଵିକେଟ୍‌ ବିନିମୟରେ ଲକ୍ଷ୍ୟ ହାସଲ କରିପାରିଥିଲା। ଶୁଭ୍ରାଂଶୁ ସାମଲ ୪୦ ଓ ଲୋକାରଂଜନ ୧୭ ରନ୍‌ କରିଥିଲେ। ବିପକ୍ଷ ଦଳର ଅମିତାଭ ନାୟକ ଓ କାର୍ତ୍ତିକ ବିଶ୍ୱାଳ ୨ ଲେଖାଏଁ ଓ୍ଵିକେଟ ପାଇଥିଲେ। ଅଲ୍‌ରାଉଣ୍ଡ ପ୍ରଦର୍ଶନ ପାଇଁ ଲୋକାରଂଜନଙ୍କୁ ଶ୍ରେଷ୍ଠ ଖେଳାଳି ଭାବେ ଓଡ଼ିଶା କନିଷ୍ଠ ଦଳର ଓ୍ଵିକେଟ୍‌ ରକ୍ଷକ ଭେଙ୍କଟେଶ ଭାଣ୍ଡେ ପୁରସ୍କାର ପ୍ରଦାନ କରିଥିଲେ। ବୁଧବାର ମ୍ୟାଚକୁ ଭେଙ୍କଟେଶ ଭାଣ୍ଡେ ଓ ଶେଖର ମାଝୀ ପରିଚାଳନା କରିଥିଲେ। ମଙ୍ଗଳବାର ଅନୁଷ୍ଠିତ ଚତୁର୍ଥ କ୍ୱାର୍ଟର ଫାଇନାଲ୍‌ରେ ଜୁଭେନାଇଲ୍‌ ୧୪ ରନ୍‌ରେ ରାଇଜିଂ ଷ୍ଟୁଡେଣ୍ଟ କ୍ଲବ୍‌କୁ ହରାଇ ସେମି ଫାଇନାଲ୍‌ରେ ପ୍ରବେଶ କରିଥିଲା। ଜୁଭେନାଇଲ୍‌ ନିର୍ଧାରିତ ଓଭରରେ ୭ ଓ୍ଵିକେଟ ବିନିମୟରେ ୧୪୩ ରନ୍‌ କରିଥିଲାବେଳେ ରାଇଜିଂ ୧୨୯ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ମ୍ୟାଚରେ ୭୯ ରନ୍‌ ଓ ୨ ଓ୍ଵିକେଟ ଅକ୍ତିଆର କରିଥିବା ରାମଚନ୍ଦ୍ର ବେହେରାଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ରୂପେ ପୁରସ୍କାର ଦିଆଯାଇଥିଲା।

ସମ୍ବନ୍ଧିତ ଖବର