ଆଜି ତୃତୀୟ ଟ୍ବେଣ୍ଟି-୨୦: ଶୃଙ୍ଖଳା ବିଜୟ ଉପରେ ନଜର

ହାମିଲଟନ୍: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ‌ଟ୍ବେଣ୍ଟି-୨୦ ଶୃଙ୍ଖଳାର ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ୍ ବୁଧବାର ହାମିଲଟନରେ ଖେଳାଯିବ। ପ୍ରଥମ ଦୁଇ ମ୍ୟାଚ୍ ଜିତି ୨-୦ରେ ଆଗୁଆ ଥିବା ଭାରତ ଏହି ମ୍ୟାଚ୍ ଜିତିଲେ ନ୍ୟୁଜିଲାଣ୍ଡରେ ପ୍ରତୀକ୍ଷିତ ଶୃଙ୍ଖଳା ବିଜୟର ସ୍ବାଦ ଚାଖିବ। ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଶୃଙ୍ଖଳାକୁ ଜିତି ନ୍ୟୁଜିଲାଣ୍ଡ ଗସ୍ତ କରିଥିବା କୋହଲି ବାହିନୀ ଲଗାତାର ପାଞ୍ଚଟି ଅନ୍ତର୍ଜାତୀୟ ମ୍ୟାଚ୍ ଜିତି ସାରିଛି। ଆସନ୍ତାକାଲି ବିଜୟୀ ହେଲେ କ୍ରମାଗତ ଅଧଡଜନେ ମ୍ୟାଚ୍ ଜିତିବାର ଗୌରବ ଅର୍ଜନ କରିବ। ଅନ୍ୟପକ୍ଷରେ ଅକ୍‌ଲାଣ୍ଡରେ ଖେଳାଯାଇଥିବା ପ୍ରଥମ ମୁକାବିଲାରେ ଅପେକ୍ଷାକୃତ ଭଲ କ୍ରିକେଟ୍ ଖେଳିଥିବା ନ୍ୟୁଜିଲାଣ୍ଡ ସେଠାରେ ଆୟୋଜିତ ଦ୍ବିତୀୟ ମୁକାବିଲାରେ ସଂପୂର୍ଣ୍ଣ ଆତ୍ମସମର୍ପଣ କରିଥିଲା। ତୃତୀୟ ଟ୍ବେଣ୍ଟି-୨୦ର ସ୍ଥାନ ବଦଳି ଥିବାରୁ (ଅକଲାଣ୍ଡରୁ ହାମିଲଟନ୍) ଏଠାରେ ପ୍ରଥମ ବିଜୟ ସହ ଶୃଙ୍ଖଳାକୁ ଜୀବନ୍ତ ରଖିବାକୁ ନ୍ୟୁଜିଲାଣ୍ଡ ସକ୍ଷମ ହେବ ବୋଲି ପ୍ରଶଂସକ ଆଶା ରଖିଛନ୍ତି। ତେବେ ଏଥିଲାଗି ଯୁବ ତାରକା କଲିନ୍ ଡି’ ଗ୍ରାଣ୍ଢୋମେଙ୍କ ସହ ନ୍ୟୁଜିଲାଣ୍ଡର ପୂରା ଶୀର୍ଷକ୍ରମକୁ ଭଲ ଖେଳିବାକୁ ହେବ। ଗ୍ରାଣ୍ଢୋମେ ପ୍ରଥମ ଦୁଇ ମୁକାବିଲାରେ (୦, ୩) ମାତ୍ର ୩ ରନ୍ କରିଛନ୍ତି। ତୃତୀୟ ମୁକାବିଲାରେ ସେ ନିଜ ବ୍ୟକ୍ତିଗତ ପ୍ରଦର୍ଶନରେ ଉନ୍ନତି ଆଣିବା ଲକ୍ଷ୍ୟରେ ରହିବେ। ସେହିଭଳି ଭାରତୀୟ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା ମଧ୍ୟ ଆଖିଦୃଶିଆ ପାଳି ଖେଳିନାହାନ୍ତି। ବୁଧବାର ସେ ପ୍ରଶଂସକଙ୍କ ଆଶା ପୂରଣ କରିବାକୁ ପଡ଼ିଆକୁ ଓହ୍ଲାଇବେ।

ଉଭୟ ଦଳରେ ବଡ଼ ପରିବର୍ତନ ଆଶା କମ୍
ନ୍ୟୁଜିଲାଣ୍ଡ ପାଇଁ ବିକଳ୍ପର ଅଭାବ ରହିଛି। ‌ଘରୋଇ ଦଳ କେବଳ ଯୁବ ବୋଲର ସ୍କଟ୍ କୁଗେଲିନଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରିପାରେ। ଡାରିଲ ମିଚେଲ ମଧ୍ୟ କଲିନ୍ ଡି’ ଗ୍ରାଣ୍ଢୋମେଙ୍କ ସ୍ଥାନ ନେଇ ପାରନ୍ତି। ସେପଟେ ଭାରତ ଅପରିବର୍ତିତ ଦଳ ନେଇ ଖେଳିପାରେ।

ସମ୍ଭାବ୍ୟ ଭାରତ: ରୋହିତ ଶର୍ମା, ଲୋକେଶ ରାହୁଲ (ୱିକେଟ୍ ରକ୍ଷକ), ବିରାଟ ‌କୋହଲି (ଅଧିନାୟକ), ଶ୍ରେୟସ୍ ଆୟର, ମନୀଷ ପ‌ାଣ୍ଡେ, ଶିଭମ ଦୁବେ, ରବୀନ୍ଦ୍ର ଜାଦେଜା, ଶାର୍ଦୁଲ ଠାକୁର/ନଭଦୀପ ସୈନି, ୟୁଜବେନ୍ଦ୍ର ଚହଲ, ମହମ୍ମଦ ସାମି, ଯଶପ୍ରୀତ ବୁମରା।

ସମ୍ଭାବ୍ୟ ନ୍ୟୁଜିଲାଣ୍ଡ: ମାର୍ଟିନ ଗପ୍ଟିଲ, କଲିନ୍ ମୁନ୍ରୋ, କେନ୍ ୱିଲିୟମସନ୍ (ଅଧିନାୟକ), କଲିନ୍ ଡି’ ଗ୍ରାଣ୍ଢୋମେ, ରସ୍ ଟେଲର, ଟିମ୍ ସିଫର୍ଟ (ୱିକେଟ୍ ରକ୍ଷକ), ମିଚେଲ ସାଣ୍ଟନର/ଡାରିଲ ମିଚେଲ, ଈଶ୍ ସୋଢି, ଟିମ୍ ସାଉଦି, ବ୍ଲେୟାର ଟିକନର/ସ୍କଟ କୁଗେଲିନ, ହାମିସ ବେନେଟ।

ବ୍ୟାଟିଂ ପିଚ୍
ହାମିଲଟନର ସେଡନ୍‌ ପାର୍କରେ ପାରମ୍ପରିକ ଭାବେ ବଡ଼ ସ୍କୋର ଦେଖିବାକୁ ମିଳିଥାଏ। ଏଠାରେ ଖେଳା ଯାଇଥିବା ଗତ ୫ ଟ୍ବେଣ୍ଟି-୨୦ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିଥିବା ଦଳ ୧୯୦ରୁ ଅଧିକ ରନ୍ କରିଛି। ହେଲେ ଗତ ଟ୍ବେଣ୍ଟି-୨୦ରେ ଏଠାରେ ନ୍ୟୁଜିଲାଣ୍ଡ ୨୧୨ ରନ୍ କରିଥିଲା। ଏହାର ଜବାବରେ ଭାରତ ୨୦୮ ରନ୍‌ରେ ଅଟକି ଯାଇଥିଲା। ଏହି ପଡ଼ିଆରେ ପ୍ରଥମ ବ୍ୟାଟିଂ କରିଥିବା ଦଳ ଗତ ଚାରିଟି ମ୍ୟାଚ୍‌ରେ ବିଜୟୀ ହୋଇଛନ୍ତି। ଭାରତ ବୁଧବାର ବିଜୟୀ ହେଲେ ନ୍ୟୁଜିଲାଣ୍ଡରେ ନିଜ ତୃତୀୟ ପ୍ରୟାସରେ ପ୍ରଥମ ଟ୍ବେଣ୍ଟି-୨୦ ଶୃଙ୍ଖଳା ଜିତିବ।

ଆଉ ୨୫ ରନ୍‌ କଲେ ଧୋନିଙ୍କୁ ଟପିବେ କୋହଲି
ହାମିଲଟନ୍‌: କ୍ରିକେଟ୍‌ର ସବୁ ଫର୍ମାଟ୍‌ରେ ପୁରୁଣା କୀର୍ତ୍ତିମାନ ଭାଙ୍ଗିବା ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ପାଇଁ କିଛି ବି ଅସମ୍ଭବ ହେଉନାହିଁ। ତେବେ ଆସନ୍ତାକାଲି (ବୁଧବାର) ନ୍ୟୁଜିଲାଣ୍ଡ୍‌ ବିପକ୍ଷ ତୃତୀୟ ଟ୍ବେଣ୍ଟି-୨୦ ମ୍ୟାଚ୍‌ କୋହଲିଙ୍କ ପାଇଁ ଏହି ଛୋଟିଆ ଫର୍ମାଟ୍‌ରେ ଆଉ ଏକ କୀର୍ତ୍ତିମାନ ସୁଯୋଗ ରଖିଛି। ଏଠାରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ ଆଉ ୨୫ ରନ୍‌ କରିପାରିଲେ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକରେ ଜଣେ ଅଧିନାୟକ ଭାବେ ସର୍ବାଧିକ ସ୍କୋରର୍‌ ହେବାରେ ମହେନ୍ଦ୍ର ସିଂହ ଧୋନିଙ୍କୁ ଟପିଯିବେ। ଟ୍ବେଣ୍ଟି-୨୦ ଆନ୍ତର୍ଜାତିକରେ ଅଧିନାୟକ ଭାବେ ଦକ୍ଷିଣ ଆଫ୍ରିକାର ଫାଫ୍ ଡୁ ପ୍ଲେସିସ୍‌ (୧୨୭୩), ନ୍ୟୁଜିଲାଣ୍ଡ୍‌ର କେନ୍‌ ୱିଲିୟମସନ୍‌ (୧୧୪୮) ଓ ପୂର୍ବତନ ଭାରତୀୟ ଅଧିନାୟକ ଏମ୍‌ଏସ୍‌ ଧୋନି (୧୧୧୨)ଙ୍କ ପଛକୁ ଚତୁର୍ଥ ସ୍ଥାନରେ ରହିଛନ୍ତି କୋହଲି। ସେହିପରି ଯଦି ଆସନ୍ତାକାଲିର ମ୍ୟାଚ୍‌ରେ କୋହଲି ଅର୍ଧଶତକ ହାସଲ କରନ୍ତି, ତେବେ ଅଧିନାୟକ ଭାବେ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକରେ ସର୍ବାଧିକ ୫୦+ ସ୍କୋର୍‌ କରିବାର କୀର୍ତ୍ତିମାନ ରଚିବେ। କୋହଲି ଏବେ ଉଭୟ ଡୁପ୍ଲେସିସ୍‌ ଓ ୱିଲିୟମ୍‌ସନ୍‌ (୮ ଥର ୫୦+ ସ୍କୋର୍‌)ଙ୍କ ସହିତ ମିଳିତ ଭାବେ ରହିଛନ୍ତି। ପୁଣି ଟ୍ବେଣ୍ଟି-୨୦ ଆନ୍ତର୍ଜାତିକରେ ୫୦ ଛକା ମାରିବାରେ କୋହଲି ମଧ୍ୟ ଦ୍ବିତୀୟ ଅଧିନାୟକ ହେବାର ସୁଯୋଗ ରହିଛି। କେବଳ ଇଂଲଣ୍ଡର ଇୱିନ୍‌ ମୋର୍ଗାନ୍‌ ହିଁ ଏଭଳି ସଫଳତାର ଅଧିକାରୀ ରହିଛନ୍ତି। ଆଉ ୭ ଛକା ମାରିପାରିଲେ କୋହଲି ମୋର୍ଗାନ୍‌ଙ୍କ କ୍ଲବ୍‌ରେ ସାମିଲ ହୋଇଯିବେ।

ସମ୍ବନ୍ଧିତ ଖବର