ଟ୍ରଫି ଟକ୍କର ଆଜି

କଲମ୍ବୋ: ଲଗାତାର ତିନିଟି ବିଜୟରେ ଉତ୍ସାହିତ ଭାରତ ଏବଂ ଆକ୍ରମଣାତ୍ମକ ମୁଦ୍ରାରେ ଥବା ବାଂଲାଦେଶ ମଧ୍ୟରେ ନିଦାହାସ ଟ୍ରଫିର ଫାଇନାଲ୍‌ ମୁକାବିଲା ରବିବାର ଖେଳାଯିବ। ବାଂଲଦେଶ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷରେ ଧମାକାଦାର ବିଜୟ ହାସଲ କରିବା ପରେ ଆସନ୍ତାକାଲିର ଫାଇନାଲ୍‌ ବେଶ୍‌ ରୋମାଞ୍ଚଭରା ଏବଂ ଉତ୍କଣ୍ଠାପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି। ଯୁବ ଖେଳାଳିଙ୍କୁ ନେଇ ଶ୍ରୀଲଙ୍କା ଯାଇଥିବା ଭାରତ ପ୍ରଥମ ମ୍ୟାଚ୍‌ରେ ହାରିବା ପରେ ହ୍ୟାଟ୍ରିକ୍‌ ବିଜୟ ସହ ଫାଇନାଲ୍‌ ଯାଇଛି। ଅନ୍ୟ ପକ୍ଷରେ ବାଂଲାଦେଶ ଆୟୋଜକ ଶ୍ରୀଲଙ୍କା ବିପକ୍ଷରେ ଦୁଇଟି ନାଟକୀୟ ବିଜୟ ହାସଲ କରି ଫାଇନାଲ୍‌ ଟିକେଟ ହାସଲ କରି ନେଇଛି। କାଗଜ କଲମରେ କିନ୍ତୁ ବାଂଲାଦେଶଠାରୁ ଭାରତ ବେଶ୍‌ ଶକ୍ତିଶାଳୀ ମନେ ହୁଏ। ଅଧିନାୟକ ରୋହିତ ଶର୍ମା ଲୟକୁ ଫେରିବା ପରେ ଭାରତର ଶକ୍ତି ମଧ୍ୟ ତୁଳନାତ୍ମକ ଭାବେ ବଢ଼ିଛି। ସୁରେଶ ରାଇନା, ଶିଖର ଧାଓ୍ଵନ ଓ ମନୀଷ ପାଣ୍ଡେ ମଧ୍ୟ ବଡ଼ ପାଳି ଖେଳିବାକୁ ପୂରା ସକ୍ଷମ। ଭାରତର ଓ୍ଵିକେଟ୍‌ ରକ୍ଷକ ବ୍ୟାଟ୍ସମ୍ୟାନ୍‌ ଦୀନେଶ କାର୍ତିକ ଏବଂ ବାଂଲାଦେଶର ଓ୍ଵିକେଟ୍‌ ରକ୍ଷକ ମୁସଫିକର ରହିମ ମଧ୍ୟ ରବିବାର ମ୍ୟାଚ୍‌ରେ ମହତ୍ୱପୂର୍ଣ୍ଣ ଭୂମିକା ତୁଲାଇବେ। ଦ୍ରୁତ ବୋଲିଂରେ ଜୟଦେବ ଉନାଦକଟ ଓ ସାର୍ଦୁଲ ଠାକୁର ଭାରତର ପ୍ରମୁଖ ଅସ୍ତ୍ର ହେବେ। ମହମ୍ମଦ ସିରାଜ ଟିକିଏ ମହଙ୍ଗା ସାବ୍ୟସ୍ତ ହେଉଥିଲେ ମଧ୍ୟ ସେ ଦ୍ରୁତଗତିରେ ଅନ୍ତର୍ଜାତୀୟ ଟେ୍ଵଣ୍ଟି-୨୦ରେ କେମିତି ବୋଲିଂ କରିବାକୁ ହୁଏ ତାହା ଶିଖୁଛନ୍ତି। ସ୍ପିନର ୟୁଜବେନ୍ଦ୍ର ଚହଲ ଓ ଓ୍ଵାସିଂଟନ ସୁନ୍ଦର ବି ବାଂଲାଦେକୁ ଘାଇଲା କରିବାକୁ ପୂରା ସକ୍ଷମ। ସେପଟେ ବାଂଲାଦେଶ ତା’ର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ତମିମ ଇକବାଲ, ଲିଟନ ଦାସ, ମହମ୍ମଦୁଲ୍ଲା, ସୌମ୍ୟ ସରକାର ଓ ମୁସଫିକରଙ୍କ ଉପରେ ଅଧିକ ନିର୍ଭରଶୀଳ ରହିବ।

ଭାରତକୁ କେବେ ବି ହରାଇନି ବାଂଲାଦେଶ

ଟେ୍ଵଣ୍ଟି-୨୦ରେ ଭାରତକୁ ବାଂଲାଦେଶ କେବେବି ପରାସ୍ତ କରି ନାହିଁ। ଏଣୁ ରବିବାର ରାତିରେ ବାଂଲାଦେଶ ପାଖରେ ଭାରତ ବିପକ୍ଷରେ ବିଜୟ ଖାତା ଖୋଲିବା ସହ ନିଦାହାସ ଟ୍ରଫି ଜିତିବାର ସୁଯୋଗ ରହିବ। ସେପଟେ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କୁ ମଧ୍ୟ ଏକ ନୂଆ କୀର୍ତ୍ତିମାନ କରିବାର ସୁଯୋଗ ମିଳିବ। ଏହି ମ୍ୟାଚ୍‌ରେ ଆଉ ୨୭ ରନ୍‌ କରିପାରିଲେ ରୋହିତ ଟେ୍ଵଣ୍ଟି-୨୦ର ସର୍ବାଧିକ ରନ୍‌ ସଂଗ୍ରହକାରୀ ତାଲିକାର ପଞ୍ଚମ ସ୍ଥାନକୁ ଉନ୍ନିତ ହେବେ। ଭାରତ ଓ ବାଂଲାଦେଶ ପୂର୍ବରୁ ପରସ୍ପର ବିପକ୍ଷରେ ୭ ଟେ୍ଵଣ୍ଟି-୨୦ ଖେଳିଛନ୍ତି। ସାତଟି ଯାକ ଥର ଭାରତ ବିଜୟୀ ହୋଇଛି। ସେହିଭଳି ପ୍ରେମଦାସା ଷ୍ଟାଡିୟମରେ ଖେଳିଥିବା ୧୧ ଟେ୍ଵଣ୍ଟି-୨୦ ମଧ୍ୟରୁ ଭାରତ ୯ଥର ବିଜୟୀ ହୋଇଛି।

ସମ୍ଭାବ୍ୟ ଭାରତ: ରୋହିତ ଶର୍ମା, ଶିଖର ଧାଓ୍ଵନ, ସୁରେଶ ରାଇନା, ଦୀନେଶ କାର୍ତିକ, ମନୀଷ ପାଣ୍ଡେ, ଜୟଦେବ ଉନାଦକଟ, ୟୁଜବେନ୍ଦ୍ର ଚହଲ, ସାର୍ଦୁଲ ଠାକୁର, ଓ୍ଵାସିଂଟନ ସୁନ୍ଦର, ଲୋକେଶ ରାହୁଲ, ମହମ୍ମଦ ସିରାଜ।

ସମ୍ଭାବ୍ୟ ବାଂଲାଦେଶ: ସକିବ-ଅଲ୍‌-ହାସନ, ମୁସଫିକର ରହିମ, ତମିମ ଇକବାଲ, ମହମ୍ମଦୁଲ୍ଲା, ରୁବେଲ୍‌ ହୁସେନ, ସୌମ୍ୟ ସରକାର, ଲିଟନ ଦାସ, ମୁସ୍ତାଫିଜୁର ରେହମାନ, ଇମ୍ରୁଲ କେୟସ୍‌, ତସ୍କିନ ଅହମ୍ମଦ, ଅବୁ ଜୟେଦ, ସବିର ରେହମାନ।

ସମ୍ବନ୍ଧିତ ଖବର