ଆଜିର ଅର୍ଜୁନ: ମସ୍କୋରେ ବାସିବ ମେସି ମହକ

ଆଧୁନିକ ଫୁଟ୍‌ବଲ୍‌ର ମହାନତମ ତାରକାଙ୍କ କଥା ଚିନ୍ତା କଲେ ଆର୍ଜେଣ୍ଟିନାର ଅଗ୍ରଭାଗ ଖେଳାଳି ଲିଓନେଲ ମେସିଙ୍କ ନାଁ ସର୍ବାଗ୍ରେ ରହିବ। ମସ୍କୋର ବିଶ୍ୱକପରେ ମଧ୍ୟ ସେ ଅନ୍ୟତମ ଆକର୍ଷଣ ହେବେ। ଶରୀରରେ ହର୍ମୋନର ଅଭାବ ପାଇଁ ତାଙ୍କ ଉଚ୍ଚତା ବଢ଼ୁ ନଥିଲା। ହେଲେ ଫୁଟ୍‌ବଲ୍‌ ଦୁନିଆରେ ଲିଓନେଲ୍‌ ମେସିଙ୍କ ମହକ ଖୁବକମ୍‌ ଦିନରେ ବ୍ୟାପ୍ତ ହୋଇ ଯାଇଥିଲା। ତଥାପି ପୁଅର ଅଳ୍ପ ଉଚ୍ଚତାକୁ ନେଇ ଚିନ୍ତାରେ ପଡ଼ିଥିବା ପିତା ଜର୍ଜ ତାଙ୍କୁ ଆର୍ଜେଣ୍ଟିନାରୁ ସ୍ପେନ୍‌ ନେଇ ଯାଇଥିଲେ। ସେଠାକାର ଏକ କ୍ଲବ୍‌ ତାଙ୍କ ଚିକିତ୍ସା ଖର୍ଚ ବହନ କରିବାର ପ୍ରତିଶ୍ରୁତି ଦେବା ପରେ ମାତ୍ର ୧୩ ବର୍ଷ ବୟସରେ ମେସି ଏକ ଅପରିଚିତ ଦେଶରେ ନିଜ ପେସାଦାର ଫୁଟବଲ୍‌ ଜୀବନ ଆରମ୍ଭ କରିଥିଲେ। ଏହା ପରେ କିନ୍ତୁ ସେ ଆଉ ପଛକୁ ଫେରି ନଥିଲେ। ଉଚ୍ଚତା କମ୍‌ ହୋଇଥିଲେ ମଧ୍ୟ ନିଜ ବିଚକ୍ଷଣ ଫୁଟ୍‌ବଲ୍‌ କଳା କୌଶଳ ପାଇଁ ବହୁ ଦକ୍ଷ ଏବଂ ବଡ଼ ଖେଳାଳି ତାଙ୍କୁ ପାରୁ ନଥିଲେ। ସାରା ବିଶ୍ୱ ଯେମିତି ତାଙ୍କ ପ୍ରେମରେ ପଡ଼ି ଯାଇଥିଲା।

ଆଧୁନିକ ଫୁଟ୍‌ବଲର ମହାନତମ ତାରକା ଲିଓନେଲ ଆନ୍ଦ୍ରେସ୍‌ ମେସିଙ୍କ ନାଁରେ ରହିଛି ଅନେକ କୀର୍ତ୍ତିମାନ। ତାଙ୍କୁ ସାଂପ୍ରତିକ ସମୟର ମାରାଡୋନା ଓ ପେଲେର ଆଖ୍ୟା ମଧ୍ୟ ମିଳେ। ୧୯୮୭ ମସିହା ଜୁନ୍‌ ୨୪ ତାରିଖରେ ଆର୍ଜେଣ୍ଟିନାର ରୋଜାରିଓରେ ଜନ୍ମ ଗ୍ରହଣ କରିଥିବା ମେସି ଅଗ୍ରଭାଗରେ ଖେଳନ୍ତି। ସ୍ପେନର ପ୍ରସିଦ୍ଧ ବାର୍ସିଲୋନା କ୍ଲବ୍‌ ଏବଂ ଆର୍ଜେଣ୍ଟିନା ଜାତୀୟ ଦଳରୁ ଖେଳୁଥିବା ମେସିଙ୍କୁ ଅନେକ ସମୟରେ ବିଶ୍ୱର ଶ୍ରେଷ୍ଠ ଓ ଫୁଟ୍‌ବଲ ଜଗତର ସର୍ବକାଳୀନ ଶ୍ରେଷ୍ଠ ଖେଳାଳିର ମାନ୍ୟତା ମିଳେ। ସେ ପାଞ୍ଚଥର ସମ୍ମାନଜନକ ବାଲନ ଡି’ଓର ପୁରସ୍କାର ଜିତିଛନ୍ତି। ମେସି ପାଞ୍ଚ ଥର ୟୁରୋପୀୟ ସ୍ୱର୍ଣ୍ଣ ଜୋତା ଜିତିଛନ୍ତି ।

୯ ଲା’ ଲିଗା ଟ୍ରଫି ସହ ସେ ମୋଟ ୩୨ ଟ୍ରଫି ଜିତିଛନ୍ତି। ଲା ଲିଗାରେ ସର୍ବାଧିକ ଗୋଲ୍‌ (୩୮୩), ଲା ଲିଗାର ଗୋଟିଏ ଋତୁରେ ସର୍ବାଧିକ ଗୋଲ୍‌ (୫୦), ବରିଷ୍ଠ ସ୍ତରୀୟ ଫୁଟ୍‌ବଲରେ ସେ ୬୦୦ ଗୋଲ୍‌ କରିଛନ୍ତି। ମେସି ୨୦୦୬, ୨୦୧୦ ଓ ୨୦୧୪ ତିନିଟି ବିଶ୍ୱକପ୍‌ ଖେଳିଛନ୍ତି। ୧୪ ମ୍ୟାଚ୍‌ ଖେଳି ୫ ଗୋଲ୍‌ କରିଛନ୍ତି। ତେବେ ଦୁଃଖର କଥା ସେ ଆର୍ଜେଣ୍ଟିନାକୁ ଥରେ ହେଲେ ବି ବିଶ୍ୱକପ୍‌ ଜିତାଇ ପାରି ନାହାନ୍ତି। ଚଳିତ ବର୍ଷର ମସ୍କୋ ବିଶ୍ୱକପ୍‌ ସମ୍ଭବତଃ ତାଙ୍କ ପାଇଁ ଏହି କୀତ୍ତିମାନ କରିବାର ଶେଷ ସୁଯୋଗ। ଏଥରର ବିଶ୍ୱକପ୍‌ରେ ପର୍ତୁଗାଲର ମହାନ ତାରକା କ୍ରିଷ୍ଟିଆନୋ ରୋନାଲଡୋଙ୍କ ସହ ମେସି ମୁଖ୍ୟ ଆକର୍ଷଣ ହେବେ।

ସମ୍ବନ୍ଧିତ ଖବର