ଟୋକିଓ ଅଲିମ୍ପିକ୍‌ସ ପ୍ରସ୍ତୁତିରେ ଭାରତ କୌଣସି ସୁଯୋଗ ଛାଡ଼ୁନି: ରାଠୋର୍‌

ନୂଆଦିଲ୍ଲୀ: ଜଣେ ପୂବର୍ତନ ବିଜେତା ବଂଧୁକଚାଳକ ଏବଂ ଅଲିମ୍ପିକ୍ସ ପଦକଧାରୀ ଭାବେ କ୍ରୀଡ଼ାମନ୍ତ୍ରୀ ରାଜ୍ୟବର୍ଧନ ସିଂହ ରାଠୋର୍‌ଙ୍କୁ ଭଲ ଭାବେ ଜଣା ଖେଳାଳିଙ୍କ ଅଲିମ୍ପିକ୍ସ ସ୍ୱପ୍ନ ଲାଗି କ’ଣ କ’ଣ ଆବଶ୍ୟକ। ୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇଁ ଭାରତୀୟ ଦଳର ପ୍ରସ୍ତୁତି ଠିକଣା ପଥରେ ରହିଛି ବୋଲି ଦୃଢ଼ୋକ୍ତି ପ୍ରକାଶ କରି ରାଠୋର୍‌ କହିଛନ୍ତି, ସରକାର କୌଣସି ପ୍ରକାର ସମାଲୋଚନାର ବାଟ ରଖୁନାହାନ୍ତି। ଟାର୍ଗେଟ୍‌ ଅଲିମ୍ପିକ୍ସ ପୋଡିୟମ୍‌ ଯୋଜନା (ଟପ୍‌ସ) ବାଦ୍‌ ମଧ୍ୟ ଖେଳାଳିମାନଙ୍କୁ ପ୍ରସ୍ତୁତି ଲାଗି ଶ୍ରେଷ୍ଠ ସମ୍ଭାବ୍ୟ ସହଯୋଗ କରିବାକୁ ସରକାର ସଙ୍କଳ୍ପବଦ୍ଧ ବୋଲି କ୍ରୀଡ଼ାମନ୍ତ୍ରୀ ପ୍ରକାଶ କରିଛନ୍ତି। ଟୋକିଓ ଅଲିମ୍ପିକ୍‌ ମାତ୍ର ଦେଢ଼ ବର୍ଷ ଥିବାରୁ ଖେଳାଳିଙ୍କ ତାଲିମ ଏବଂ ଆଘାତପ୍ରାପ୍ତଙ୍କ ପୁନଃଥାଇଥାନ୍‌ ଲାଗି ବ୍ୟବସ୍ଥା ଉପରେ ଏକାଗ୍ର ରହିଛୁ। ୨୦୧୪ ମସିହାରେ ଟପ୍‌ସ ଜରିଆରେ ଏଲିଟ୍‌ କ୍ରୀଡ଼ାବିତ୍‌ଙ୍କୁ ଚିହ୍ନଟ କରାଯାଇଥିଲା ଏବଂ ସେମାନଙ୍କୁ ବିଶ୍ୱଶ୍ରେଣୀୟ ସୁବିଧା ଓ ତାଲିମ ପ୍ରଦାନ କରାଯାଉଛି। ଚୟନଠାରୁ ଆରମ୍ଭ କରି ଖର୍ଚ ପର୍ଯ୍ୟନ୍ତ ସବୁକିଛି ଟପ୍‌ସ ଅଧୀନରେ ପରିଚାଳିତ ହେଉଛି ବୋଲି କହିଥିଲେ ୨୦୦୪ ଏଥେନ୍‌ସ ଅଲିମ୍ପିକ୍ସରେ ଡବଲ୍‌ ଟ୍ରାପ୍‌ ରୌପ୍ୟ ପଦକ ଜିତିଥିବା ରାଠୋର୍‌। ଟପ୍‌ସ ଯୋଜନାରେ ସମ୍ପୃକ୍ତ ନିର୍ଦେଶକ, ସିଇଓ, କ୍ରୀଡ଼ାବିତ୍‌ ପ୍ରବଂଧକ, ଗବେଷକ ଆଦି ଖେଳାଳିଙ୍କ ସଂସ୍ପର୍ଶରେ ରହିଛନ୍ତି। ପ୍ରତିଦ୍ୱନ୍ଦ୍ୱୀ କ୍ରୀଡ଼ାବିତ୍‌ଙ୍କ ସମ୍ପର୍କରେ ମଧ୍ୟ ତଥ୍ୟ ରଖାଯାଉଛି। ଯୁବ ବିଜେତାମାନଙ୍କୁ ମଧ୍ୟ ଉତ୍ସାହିତ କରାଯାଉଛି। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ପାରମ୍ପରିକ କ୍ରୀଡ଼ା ଶକ୍ତିର ଦେଶ କାନାଡ଼ା, ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକାକୁ ପଛରେ ପକାଇ ତୃତୀୟ ସ୍ଥାନରେ ରହିବା ଉତ୍ସାହଜନକ। ଏହା ଆମକୁ ଆତ୍ମବିଶ୍ୱାସ ଦେଇଛି। ମୋଟ ୨୦୦ ଏଲିଟ୍‌ କ୍ରୀଡ଼ାବିତ୍‌ଙ୍କୁ ପ୍ରୋତ୍ସାହିତ କରାଯାଉଛି। ଏହା ମଧ୍ୟରୁ ବଂଧୁକଚାଳନାକୁ ସର୍ବାଧିକ ୨୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି ବୋଲି କହିଥିଲେ ରାଠୋର୍‌। ଆମେ କେଉଁ ଇଭେଣ୍ଟ୍‌ର ଭଲ କରୁଛୁ ଏବଂ କରିପାରିବୁ ତାହାକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ଚଳାଇଛୁ। ଟପ୍‌ସରେ ଯେଭଳି ସବୁଠୁ ଶ୍ରେଷ୍ଠ ପେସାଦାର ବ୍ୟକ୍ତିଙ୍କ ସମ୍ପୃକ୍ତି ରହିବ ତାହା ଦେଖିବା ମୋ କାମ। ଟୋକିଓ ଅଲିମ୍ପିକ୍ସ ପାଖେଇ ଆସିଲେ କେଉଁ ଖେଳାଳି ପଦକ ସମ୍ଭାବନା ରଖିବେ ସେମାନଙ୍କୁ ନଜରରେ ରଖାଯାଇଛି। କିନ୍ତୁ ଭାରତର ଏହି ଟପ୍‌ସ ଯୋଜନାର ଅସଲ ପରୀକ୍ଷା ୨୦୨୦ ଅଗଷ୍ଟ ମାସରେ ହେବ। ୨୦୧୦ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ୩୮ ସ୍ୱର୍ଣ୍ଣ ପଦକ ଜିତିଥିଲେ ମଧ୍ୟ ୨୦୧୨ ଲଣ୍ଡନ ଅଲିମ୍ପିକ୍ସରୁ ବିନା ସ୍ୱର୍ଣ୍ଣ ପଦକରେ ଫେରିଥିଲା।

ସମ୍ବନ୍ଧିତ ଖବର