ବିଶ୍ବକପ୍‌ରୁ ବଞ୍ଚିତ ଶ୍ରେଷ୍ଠ ଦିନିକିଆ ବ୍ୟାଟ୍ସମ୍ୟାନ୍‌

ନୂଆଦିଲ୍ଲୀ: ବିଶ୍ବକପ୍‌ ଜିତିବା ସହଜ ନୁହେଁ। ଏକଥା ଆପଣ ସଚିନ ତେନ୍ଦୁଲକରଙ୍କୁ ପଚାରି ପାରନ୍ତି। ଯିଏକି ନିଜ ଷଷ୍ଠ ତଥା ଶେଷ ବିଶ୍ବକପ୍‌ରେ ଏହି ବିରଳ ଟ୍ରଫିକୁ ଛୁଇଁବାର ସୌଭାଗ୍ୟ ପାଇଥିଲେ। ବିଶ୍ବର ଏମିତି ଶ୍ରେଷ୍ଠ ୧୦ ଦିନିକିଆ ବ୍ୟଟ୍ସମ୍ୟାନ୍‌ ରହିଛନ୍ତି ଯେଉଁମାନେ ବିଶ୍ବ ବିଜୟୀ ହେବାର ସୌଭାଗ୍ୟ ପାଇନାହାନ୍ତି। ବିଶ୍ବକପ୍‌ ବିହୀନ ଶ୍ରେଷ୍ଠ ୧୦ ଦିନିକିଆ ବ୍ୟାଟ୍ସମ୍ୟାନ୍‌ଙ୍କୁ ନେଇ ଆମର ଉପସ୍ଥାପନା।

-ଗ୍ରାହାମ ଗୁଚ୍‌: ଇଂଲଣ୍ଡର ଏହି ବ୍ୟାଟ୍ସମ୍ୟାନ୍‌ଙ୍କ ଭାଗ୍ୟରେ ଜୁଟିନି ବିଶ୍ବକପ୍‌। ୧୯୯୨ ସଂସ୍କରଣରେ ଅଧିନାୟକ ଭାବେ ଖେଳିଥିବା ଗୁଚ୍‌ ୩ ଥର ବିଶ୍ବକପ୍‌ର ଫାଇନାଲ୍‌ ଖେଳିଥିଲେ। ହେଲେ ସବୁଥର ପରାଜୟ ଦଳ ପଟେ ରହିଥିଲେ। ମୁମ୍ବାଇରେ ଖେଳାଯାଇଥିବା ୧୯୮୭ ସେମିଫାଇନାଲ୍‌ରେ ତାଙ୍କର ଶତକୀୟ ପାଳି ଯୋଗୁଁ ଭାରତକୁ ହରାଇ ଇଂଲଣ୍ଡ ଫାଇନାଲ୍‌ରେ ପ୍ରବେଶ କରିଥିଲା। ୧୯୭୬ରେ ଦିନିକିଆ ପଦାର୍ପଣ କରିଥିବା ଗୁଚ୍‌ ୧୯୯୫ରେ ଅବସର ନେଇଥିଲା ବେଳେ ସେ ଲିଷ୍ଟ୍‌-ଏ କ୍ରିକେଟ୍‌ରେ ୨୨,୨୧୧ ରନ୍‌ କରିଥିଲେ।

-ଇଆନ୍‌ ବୋଥାମ: ଇଂଲଣ୍ଡ ପକ୍ଷରୁ ବିଶ୍ବକପ୍‌ର ଦୁଇଟି ଫାଇନାଲ୍‌ ଖେଳିବାର ସୁଯୋଗ ପାଇଥିଲେ ଇଆନ୍‌ ବୋଥାମ। ହେଲେ ଏହି ଟ୍ରଫି ଛୁଇଁବାର ସୌଭାଗ୍ୟ ପାଇନାହାନ୍ତି। ଦୁଇଥର ଯାକ ଉପବିଜେତାରେ ସନ୍ତୁଷ୍ଟ ରହିଥିଲେ। ୧୯୯୨ରେ ‌ସେ ତାଙ୍କ ବୋଲିଂର ଚମକ ଦେଖାଇଥିଲେ। ସେହି ବର୍ଷ ସେ ୧୦ ମ୍ୟାଚ୍‌ରୁ ୧୬ ୱିକେଟ୍‌ ଅକ୍ତିଆର କରିଥିଲେ। ଏଥିସହ ପ୍ରାରମ୍ଭରୁ ପିଞ୍ଚ୍‌ ହିଟର ଭାବେ ଆସି ଇଂଲଣ୍ଡର ସ୍କୋର୍‌କୁ ବଢ଼ାଇବାରେ ସହଯୋଗ କରିଥିଲେ।

-ୱାକର ୟୁନିସ: ସବୁଠୁ ହତଭାଗ୍ୟ ଥି‌ଲେ ୯୦ ଦଶକରେ ଶ୍ରେଷ୍ଠ ଦ୍ରୁତ ବୋଲର ଗଣା ଯାଉଥିବା ପାକିସ୍ତାନର ୱାକର ୟୁନିସ। ୧୯୯୨‌ ସଂସ୍କରଣରେ ପାକିସ୍ତାନ ବିଶ୍ବକପ୍‌ ଜିତିଥିଲା। ହେଲେ ଆହତ ଯୋଗୁଁ ସେ ଏହି ବିଶ୍ବକପ୍‌ରେ ଖେଳିବାରୁ ବଞ୍ଚିତ ହୋଇଥିଲେ। ୱାସିମ ଆକ୍ରମ ନୂଆ ବଲ୍‌ରେ ଭଲ କରୁଥିଲା ବେଳେ ତାଙ୍କ ସାଥୀ ‌ୱାକର ୟୁନିସ ପୁରୁଣା ବଲ୍‌ରେ ରିଭର୍ସ ସୁଇଙ୍ଗ୍‌ କରାଇ ବ୍ୟାଟ୍ସମ୍ୟାନ୍‌ଙ୍କୁ ବାନ୍ଧି ରଖିବାକୁ ସକ୍ଷମ ହେଉଥିଲେ। ଯାହାପାଇଁ ତାଙ୍କ ନାଁ ‘ବୁରେବାଲା ଏକ୍ସପ୍ରେସ୍‌’ ରହିଥିଲା। ସେ ସବୁଠାରୁ ଅଧିକ ଥର ୫ ୱିକେଟ୍‌ ସଫଳତା ପାଇଥିଲେ। ସେ କେବଳ ୧୯୯୯ ବିଶ୍ବକପ୍‌ ଫାଇନାଲ୍‌ ଖେଳିବାର ସୌଭାଗ୍ୟ ପାଇଥିଲେ। ଏଥିରେ ଅଷ୍ଟ୍ରେଲିଆଠୁ ହାରି ପାକିସ୍ତାନ ଉପବିଜେତା ହୋଇଥିଲା।

-ସୌରଭ ଗାଙ୍ଗୁଲି: ଭାରତର ବାମହାତୀ ବ୍ୟାଟ୍ସମ୍ୟାନ୍‌ ତଥା ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ୧୯୯୯ରୁ ୨୦୦୭ ପର୍ଯ୍ୟନ୍ତ ୩ ବିଶ୍ବକପ୍‌ ଖେଳିଥିଲେ। ୨୦୦୩ରେ ତାଙ୍କ ନେତୃତ୍ବରେ ଭାରତ ବିଶ୍ବକପ୍‌ ଖେଳିଥିଲା। ଏହି ସଂସ୍କରଣରେ ସେ ବ୍ୟକ୍ତିଗତ ଭାବେ ବହୁତ ଭଲ କରିଥିଲେ। ଏକା ୩ ଶତକ ହାସଲ କରିଥିଲେ। ତାଙ୍କ ‌ଅଧିନାୟକ ସମୟରେ ଭାରତ ବିଶ୍ବରେ ପ୍ରଭାବ ବିସ୍ତାର କରିଥିଲା। କିନ୍ତୁ ଯୁବ ଖେଳାଳିଙ୍କୁ ସୁଯୋଗ ଦେବାକୁ ଯାଇ ୨୦୧୧ରେ ତାଙ୍କୁ ବିଶ୍ବକପ୍‌ ଦଳରୁ ବାଦ୍‌ ଦିଆଯାଇଥିଲା। ସେହିବର୍ଷ ଦ୍ବିତୀୟ ଥର ଲାଗି ଭାରତକୁ ବିଶ୍ବକପ୍‌ ଆସିଥିଲା। ଏହି ବେଙ୍ଗଲ ଟାଇଗର ବିଶ୍ବକପ୍‌ରେ ୨୨ ମ୍ୟାଚ୍‌ରୁ ୫୫.୮୮ ହାରରେ ୧୦୦୬ ରନ୍‌ ସଂଗ୍ରହ କରିଥିଲେ।

-ବ୍ରାଏନ୍‌ ଲାରା: ଟେଷ୍ଟ୍‌ କ୍ରିକେଟ୍‌ର ବାଦ୍‌ସାହା ଭାବେ ପରିଚିତ ୱେଷ୍ଟ୍‌ଇଣ୍ଡିଜ୍‌ର ବ୍ରାଏନ୍‌ ଲାରା ଦିନିକିଆ କ୍ରିକେଟ୍‌ରେ ମଧ୍ୟ ୧୦,୦୦୦ ରନ୍‌ କରିପାରିଥିଲେ। ୨୯୯ ଦିନିକିଆ ଖେଳିଥିବା ପୋର୍ଟ ଅଫ୍‌ ସ୍ପେନ୍‌ର ଏହି ରାଜା ୩ ଥର ୧୫୦ରୁ ଊର୍ଧ୍ବ ରନ୍‌ କରିଥିଲେ। ୧୯୯୨-୨୦୦୭ ପର୍ଯ୍ୟନ୍ତ‌ ସେ ବିଶ୍ବକପ୍‌ ଖେଳିଥିଲେ ମଧ୍ୟ ନିଜ ଦେଶକୁ ଟ୍ରଫି ଜିତାଇ ପାରିନଥିଲେ।

-ଲାନ୍ସ କ୍ଲୁଜନର୍‌: ଜୁଲୁ ନାମରେ ପରିଚିତ ଦକ୍ଷିଣ ଆଫ୍ରିକା ଅଲ୍‌ରାଉଣ୍ଡର ଲାନ୍ସ କ୍ଲୁଜନରଙ୍କ ନିକଟରେ ଅଜସ୍ର ପ୍ରତିଭା ରହିଥିଲା। ସେ ଜଣେ ଶ୍ରେଷ୍ଠ ନାଲି ବଲ୍‌‌ ଖେଳାଳି। ୧୯୯୯ ବିଶ୍ବକପ୍‌‌ରେ ତାଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ପାଇଁ ସେ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ସେହିବର୍ଷ ସେମିଫାଇନାଲ୍‌ରେ ତାଙ୍କ ଦଳ ହାରି ଫାଇନାଲ୍‌ ପୂର୍ବରୁ ବିଦାୟ ନେଇଥିଲା। ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ଓ ଚାଲାଖ ବୋଲର ‌୨୦୦୦ରେ ୱିଜ୍‌ଡନ୍‌ କ୍ରିକେଟ୍‌ ଅଫ୍‌ ଦ ଇୟର ଏବଂ ମୂଲ୍ୟବାନ ଖେଳାଳି ପୁରସ୍କାର କରାୟତ କରିଥିଲେ। ଦକ୍ଷିଣ ଆଫ୍ରିକାର ସର୍ବକାଳୀନ ଅଲ୍‌ରାଉଣ୍ଡର ଭାବେ ଗଣା ଯାଉଥିବା କ୍ଲୁଜନର ମଧ୍ୟ ବିଶ୍ବକପ୍‌ ମୁକୁଟ ବିହୀନ ରହିଥିଲେ।

-ଜ୍ୟାକ୍ସ କାଲିସ: ଲାନ୍ସ କ୍ଲୁଜନରଙ୍କ ପରେ ଦକ୍ଷିଣ ଆଫ୍ରିକାର ଦ୍ବିତୀୟ ଶ୍ରେଷ୍ଠ ଅଲ୍‌ରାଉଣ୍ଡର ହେଉଛନ୍ତି ଜ୍ୟାକ୍ସ କାଲିସ। ଉଭୟ ଟେଷ୍ଟ୍‌ ଓ ଦିନିକିଆରେ କିଛି ମ୍ୟାଚ୍‌‌କୁ ଛାଡ଼ିଦେଲେ ପ୍ରାୟ ଅନେକ ମ୍ୟାଚ୍‌ରେ ତାଙ୍କ କରିସ୍ମା ଦେଖିବାକୁ ମିଳିଥାଏ। ସେ ଦିନିକିଆରେ ୨୭୩ ୱିକେଟ୍‌ ଏବଂ ୧୭ ଶତକ ଓ ୮୬ ଅର୍ଧଶତକ ସହ ୧୧୦୦୦ରୁ ଅଧିକ ରନ୍‌ କରିଛନ୍ତି। ତାଙ୍କ ପରେ ଶ୍ରୀଲଙ୍କାର ସନଥ ଜୟସୁରିୟା ଦ୍ବିତୀୟ ଅଲ୍‌ରାଉଣ୍ଡର ଭାବେ ୨୫୦ ୱିକେଟ୍‌ ଏବଂ ୧୦୦୦୦ରୁ ଅଧିକ ରନ୍‌ କରିବାର ଗୌରବ ପାଇଛନ୍ତି।

-କୁମାର ସାଙ୍ଗାକାରା: ଶ୍ରୀଲଙ୍କାର ବାମହାତୀ ବ୍ୟାଟ୍ସମ୍ୟାନ୍‌ କୁମାର ସାଙ୍ଗାକାରା ୨୦୧୫ ବିଶ୍ବକପ୍‌ରେ ନିଜର ଚମକ ଦେଖାଇଥିଲେ। ସେ ଏହି ସଂସ୍କରଣରେ ୪ ଶତକ ହାସଲ କରି ନିଜ ଦଳକୁ ଫାଇନାଲ୍‌ରେ ପହଞ୍ଚାଇଥିଲେ। ୱିକେଟ୍‌ ପଛରେ ମଧ୍ୟ ସେ ଚମତ୍କାର ପ୍ରଦର୍ଶନ ଦେଇଥିଲେ। ‌ସେ ଯେତେବେଳେ ଅବସର ‌ନେଲେ ସେତେବେଳେ ଦିନିକିଆରେ ସର୍ବାଧିକ ରନ୍‌ ସଂଗ୍ରହକାରୀ ତାଲିକାରେ କେବଳ ସଚିନ ତେନ୍ଦୁଲକର ତାଙ୍କ ଆଗରେ ରହିଥିଲେ। ଶ୍ରୀଲଙ୍କା ବିଶ୍ବକପ୍‌ ବିଜେତା ହେଲା ବେଳେ ସେ ଯୁବକ ଥିଲେ। ହେଲେ ୨୦୦୭ ଓ ୨୦୧୧ରେ ଶ୍ରୀଲଙ୍କା ଫାଇନାଲ୍‌ରେ ପହଞ୍ଚିଥିଲେ ମଧ୍ୟ ତାଙ୍କ ଭାଗ୍ୟରେ ବିଶ୍ବକପ୍‌ ଜିତିବାର ସୌଭାଗ୍ୟ ଆସିନଥିଲା।

-ଏବି ଡି’ଭିଲିୟର୍ସ: ସବୁଦିଗକୁ ବଲ୍‌ ମାରିବାର ଦକ୍ଷତା ରଖିଥିବା ଏହି ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍‌ ୧୦୦ ଷ୍ଟ୍ରା‌ଇକ୍‌ ରେଟ୍‌ ସହ ୫୩.୫୦ ହାରରେ ରନ୍‌ ସଂଗ୍ରହ କରି ନିଜକୁ ପ୍ରମାଣିତ କରିଛନ୍ତି। ୱେଷ୍ଟ୍‌ଇଣ୍ଡିଜ୍‌ ବିପକ୍ଷରେ ୩୧ ବଲ୍‌ରେ ଶତକ ହସଲ କରି ଦ୍ରୁତତମ ଶତକ ହାସଲକାରୀ କୀର୍ତିମାନ କରିଛନ୍ତି। ତାଙ୍କର ବ୍ୟାଟିଂରେ ଏଭଳି ଚମକ ରହିଥାଏ ଯାହାକି କିଛି ସେକେଣ୍ଡ ମଧ୍ୟ ସବୁକିଛି ଓଲଟପାଲଟ କରି ଦେଇଥାନ୍ତି। ‌କ୍ରିକେଟ୍‌ ବାଦ୍‌ ସେ ଟେନିସ୍‌, ହକି ଏବଂ ଗଲ୍ଫରେ ରଖିଥିବା ପାରିଦର୍ଶିତା ହିଁ ତାଙ୍କୁ ପଡ଼ିଆ‌ରେ ଏଭଳି ଶକ୍ତି ଯୋଗାଇଥାଏ। ସବୁସତ୍ବେ ଡି’ଭିଲିୟର୍ସ ବିଶ୍ବକପ୍‌ ବିହୀନ ରହିଛନ୍ତି।

-ସାହିଦ ଆଫ୍ରିଦି: ବୁମ୍‌ବୁମ୍‌ ଭାବେ ପରିଚିତ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ସାହିଦ ଆଫ୍ରିଦି ମଧ୍ୟଭାଗରେ ବଡ଼ ସଟ୍‌ ଖେଳିବାରେ ଧୁରନ୍ଧର। ସେ ୩୭ ବଲ୍‌ରେ ଶତକ ହାସଲ କରିବାର କୀର୍ତିମାନ ରଖିଥିବା ଆଫ୍ରିଦି ରିଷ୍ଟ୍‌ ସ୍ପିନ୍‌ ଯାଦୁରେ ବ୍ୟାଟ୍ସମ୍ୟାନ୍‌ଙ୍କୁ ପରାସ୍ତ କରି ଦେଇଥାନ୍ତି। ବେଳେବେଳେ ବୋଲିଂର ସୁଯୋଗ ପାଉଥିବା ଏହି ପାକିସ୍ତାନ ଅଲ୍‌ରାଉଣ୍ଡର ସର୍ବାଧିକ ୱିକେଟ୍‌ ସଂଗ୍ରହ ତାଲିକାରେ ପଞ୍ଚମ ସ୍ଥାନରେ ରହିଛନ୍ତି। ଅଧିନାୟକତ୍ବ ସାଙ୍ଗକୁ ଅଲ୍‌ରାଉଣ୍ଡ ପ୍ରଦର୍ଶନ ହିଁ ନୂତନ ଯୁଗର ଶ୍ରେଷ୍ଠ କରିଛି। ହେଲେ ଆଫ୍ରିଦିଙ୍କ ଜୀବନରେ ବିଶ୍ବକପ୍‌ ଜିତିବାର ଟିକା ଲାଗିନାହିଁ।

ସମ୍ବନ୍ଧିତ ଖବର