ଟୋରେସ, ଇନିସ୍ତା କ୍ଲବ୍‌ ଛାଡ଼ିଲେ 

ବାର୍ସିଲୋନା: ସ୍ପେନ୍‌ ଫୁଟ୍‌ବଲ୍‌ ତାରକା ଆନ୍ଦ୍ରେସ୍‌ ଇନିସ୍ତା ରବିବାର ବାର୍ସିଲୋନା କ୍ଲବ୍‌ରୁ ଅବସର ନେଇଛନ୍ତି। ଲା-ଲିଗା ବିଜେତା ବାର୍ସିଲୋନା ରବିବାର ରିଅଲ୍‌ ସୋସିଏଦାଦ୍‌ର ଘରୋଇ ପଡ଼ିଆରେ ୧-୦ ଗୋଲ୍‌ ଜିିତି ଏହି ପୁରୁଣା ତାରକାଙ୍କୁ ବିଦାୟ ସମ୍ବର୍ଧନା ଦେଇଥିଲା। ବାର୍ସିଲୋନା ପକ୍ଷରୁ ନୌ କାମ୍ପ୍‌ ପଡ଼ିଆରେ ଶେଷ ମ୍ୟାଚ୍‌ ଖେଳୁଥିବା ଇନିସ୍ତା ୮୨ତମ ମିନିଟ୍‌ରେ ପଡ଼ିଆକୁ ଓହ୍ଲାଇ ନିଜର ପ୍ରଶଂସକ ସାଙ୍ଗକୁ ସାଥୀ ଖେଳାଳି, ରିଅଲ୍‌ ସୋସିଏଦାଦ୍‌ର ଖେଳାଳି ଏବଂ ରେଫରିଙ୍କଠୁ ବିଦାୟୀ ଶୁଭେଚ୍ଛା ଗ୍ରହଣ କରିଥିଲେ। ସେ ମଧ୍ୟଭାଗ ଖେଳାଳି ଭାବେ ୧୬ ବର୍ଷ ଧରି ସେବା କରିବା ସହ ୯ ଲିଗା ମୁକୁଟ, ୪ ଚାମ୍ପିଅନ୍ସ ଲିଗ୍‌ ଏବଂ ୬ ଘରୋଇ କପ୍‌ ବିଜେତା ଦଳର ସଦସ୍ୟ ରହିବାର ସୌଭାଗ୍ୟ ପାଇଥିଲେ। ଅନ୍ୟତମ ସ୍ପେନୀୟ ଖେଳାଳି ଫର୍ନାଣ୍ଡୋ ଟୋରେସ୍‌ ମଧ୍ୟ ରବିବାର ଆଟଲେଟିକ୍‌ ମାଦ୍ରିଦ ସହ ସଂପର୍କ ତୁଟାଇଛନ୍ତି। ଏହି ଦଳ ପକ୍ଷରୁ ଟୋରେସ୍‌ ୪୦୪ ମ୍ୟାଚ୍‌ ଖେଳିଥିଲେ। ଏହି ଲମ୍ବା ସମୟ ମଧ୍ୟରେ ସେ ଆଟଲେଟିକୋ ତରଫରୁ ୧୨୯ ଗୋଲ୍‌ କରିଥିଲେ। ଉଭୟ ଇନିସ୍ତା ଏବଂ ଟୋରେସ୍‌ କ୍ଲବ୍‌ ବଦଳାଇବା କଥା ଘୋଷଣା କଲା ବେଳେ ବେଶ୍‌ ଭାବବିହ୍ଵଳ ହୋଇ ଯାଇଥିଲେ।

ସମ୍ବନ୍ଧିତ ଖବର