ଭାରତର ଉସେନ ବୋଲ୍ଟଙ୍କ ପାଖକୁ ଟ୍ରେନ ଟିକଟ ପଠାଇଲେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ !

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିବା ପରେ କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରାଳୟର ନଜରକୁ ଆସିଛନ୍ତି କର୍ଣ୍ଣାଟକର ଶ୍ରମିକ ଶ୍ରୀନିବାସ ଗୌଡ଼ | କ୍ରୀଡା ମନ୍ତ୍ରାଳୟ ପକ୍ଷରୁ ତାଙ୍କ ପାଖକୁ ଟ୍ରେନ ଟିକଟ ପଠାଯାଇଥିବାବେଳେ ସୋମବାର ସୁଦ୍ଧା ସାଇ(ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆ)ର କୋଚଙ୍କ ପାଖରେ ଉପସ୍ଥିତ ହେବାକୁ କୁହାଯାଇଛି |

କର୍ଣ୍ଣାଟକର ଉପକୂଳ ଜିଲ୍ଲାରେ ଅନୁଷ୍ଠିତ ହେଉଥିବା ପାରମ୍ପରିକ ମଇଁଷି ଦୌଡ଼ ଅବସରରେ ଶ୍ରୀନିବାସ ହଳେ ମଇଁଷି ସହିତ ସେ ୧୪୨.୫୦ ମିଟରକୁ ୧୩.୬୨ ସେକେଣ୍ଡ୍‌ରେ ଦୌଡ଼ିଥିଲେ। ଯାହାକି ସାଧାରଣ ହିସାବ ଅନୁସାରେ ୧୦୦ ମିଟରକୁ ୯.୫୫‌ ସେକେଣ୍ଡ୍‌ ହେଉଛି। ଅର୍ଥାତ୍‌ ବିଶ୍ବ କୀର୍ତ୍ତିମାନଧାରି ଧାବକ ଜାମାଇକା ତାରକା ଉସେନ୍ ବୋଲଟଙ୍କଠାରୁ ବି ଶ୍ରୀନିବାସ ଅଧିକ ବେଗରେ ଦୌଡ଼ିଥିଲେ ।

ବୋଲଟଙ୍କ ନାମରେ ୧୦୦ ମିଟର୍‌ ଦୌଡ଼ର ବିଶ୍ବ କୀର୍ତ୍ତିମାନ (୯.୫୮ ସେକେଣ୍ଡ୍‌) ରହିଛି | ବୋଲଟଙ୍କ କୀର୍ତ୍ତିମାନକୁ ସେ ୦.୦୩ ସେକେଣ୍ଡ୍‌ରେ ପଛରେ ପକାଇଥିଲେ | ସୋସିଆଲ ମିଡିଆରେ ଏହି ତଥ୍ୟ ଭାଇରାଲ ହେବା ପରେ ଏହାକୁ ନେଇ ଟ୍ୱିଟରରେ ମହିନ୍ଦ୍ରା ଗ୍ରୁପର ଅଧ୍ୟକ୍ଷଙ୍କ ସମେତ କିଛି ବ୍ୟକ୍ତି କ୍ରୀଡା ମନ୍ତ୍ରୀ କିରଣ ରିଜିଜୁଙ୍କୁ ଟ୍ୱିଟ କରିଥିଲେ |


ଏହା ପରେ କିରଣ ଟ୍ୱିଟ କରି ଲେଖିଛନ୍ତି ଯେ ଶ୍ରୀନିବାସ ସାଇର ପ୍ରମୁଖ କୋଚଙ୍କ ସାମ୍ନାରେ ଟ୍ରାୟଲ ଦେବେ | ଏଥିପାଇଁ ତାଙ୍କୁ ଟ୍ରେନ ଟିକଟ ପଠାଯାଇଛି | ସୋମବାର ସୁଦ୍ଧା ସେ ଆସି ସାଇ ସେଣ୍ଟରରେ ଆସି ପହଞ୍ଚିଯିବେ ବୋଲି ଲେଖିଛନ୍ତି | ଦେଶର କୌଣସି ବି ପ୍ରତିଭା ଅବହେଳିତ ହେବେ ନାହିଁ ବୋଲି କିରଣ କହିଛନ୍ତି |


ସୂଚନାଯୋଗ୍ୟ କର୍ଣ୍ଣାଟକର ଉଡୁପି ଅଞ୍ଚଳରେ ଏହା କାମ୍ବାଲା ଜକି ପ୍ରତିଯୋଗିତା ନାମରେ ବେଶ୍‌ ଲୋକପ୍ରିୟ। ବହୁ ଯୁବକ ଏହି ପ୍ରତିଯୋଗିତାରେ ନିଜ ନିଜର ତାଲିମପ୍ରାପ୍ତ ମଇଁଶୀ ସହିତ ଦୌଡ଼ିଥାନ୍ତି। ମାଙ୍ଗାଲୋରର କାଦୁଆ ଚାଷଜମିରେ ଏହି ପାରମ୍ପରିକ ଦୌଡ଼ ପ୍ରତିଯୋଗିତା ‌ପ୍ରତିବର୍ଷ ଅନୁଷ୍ଠିତ ହୋଇଥାଏ ।

ସମ୍ବନ୍ଧିତ ଖବର