କାର୍ତ୍ତିକ ସାଜିଲେ ସଙ୍କଟମୋଚନ, ରୋମାଞ୍ଚକ ମ୍ୟାଚ୍‌ରେ ଭାରତ ଜିତିଲା ‘ନିଦାହାସ ଟ୍ରଫି’

ବାଂଲାଦେଶ ୪ ଓ୍ଵକେଟ୍‌ରେ ପରାସ୍ତ

କଲମ୍ବୋ: ରୋହିତ ଶର୍ମା(୫୬) ଓ ଦିନେଶ କାର୍ତ୍ତିକ(୨୯)ଙ୍କ ବିସ୍ଫୋରକ ବ୍ୟାଟିଂ ଓ ଯୁଜବେନ୍ଦ୍ର ଚହଲ(୩ଓ୍ଵିକେଟ୍‌)ଙ୍କ ଚମତ୍କାର ବୋଲିଂ ବଳରେ ଭାରତ ୪ ଓ୍ଵିକେଟ୍‌ରେ ବାଂଲାଦେଶକୁ ପରାସ୍ତ କରିଛି। ଶେଷ ଓଭରରେ ୧୨ ରନ୍‌ ଆବଶ୍ୟକ ଥିବା ବେଳେ କାର୍ତ୍ତିକ ସଙ୍କଟମୋଚନ ସାଜି ଭାରତ ପାଇଁ ବିଜୟ ଆଣିଦେଇଛନ୍ତି। ସେ ୮ଟି ବଲ ଖେଳି ୨ଟି ଚୌକା ଓ ୩ଟି ଛକା ମାରିଛନ୍ତି। କାର୍ତ୍ତିକ ଶେଷ ବଲରେ ଛକା ମାରି ଭାରତକୁ ବିଜୟ ମୁକୁଟ ପିନ୍ଧାଇଛନ୍ତି। ଶ୍ରୀଲଙ୍କାର କଲମ୍ବୋସ୍ଥିତ ଆର୍‌ ପ୍ରେମଦାସା ଷ୍ଟାଡିୟମ୍‌ରେ ରୋମାଞ୍ଚକ ମ୍ୟାଚ୍‌ରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ଵିକେଟ୍‌ ହରାଇ ୧୬୮ ରନ୍‌ ସଂଗ୍ରହ କରିଛି।

ଆରମ୍ଭରୁ ଭାରତୀୟ ଓପନର ଶିଖର ଧାଓ୍ଵନ(୧୦) ଓ ରୋହିତ ଶର୍ମା ଭଲ ପ୍ରଦର୍ଶନ କରିଥିଲେ। ଭାରତ ୩୨ ରନ୍‌ରେ ଶିଖର ଧାଓ୍ଵନଙ୍କ ହରାଇ ଥିଲା। ବାଂଲାଦେଶର ୨ୟ ଶିକାର ହୋଇଥିଲେ ସୁରେଶ ରାଇନା(୦)। ରୁବେଲ ହାସନଙ୍କ ବଲ ସବୀର ରହମାନ୍‌ଙ୍କୁ କ୍ୟାଚ୍‌ ଦେଇ ସେ ପାଭଲିଅନ ଫେରିଥିଲେ। ୮୩ ରନ୍‌ରେ ଭାରତ ୩ୟ ଓ୍ଵିକେଟ୍‌ରେ ଲୋକେଶ ରାହୁଲ(୨୪) ଆଉଟ୍‌ ହୋଇଥିବା ବେଳେ ୯୮ ରନ୍‌ରେ ଅଧିନାୟକ ରୋହିତ ଶର୍ମା ୪ର୍ଥ ଓ୍ଵିକେଟରେ ଜାମୁଲ ଇସ୍‌ଲାମ୍‌ଙ୍କ ବଲ ମହମ୍ମଦୁଲ୍ଲାଙ୍କୁ କ୍ୟାଚ୍‌ ଦେଇଥିଲେ। ୧୮ ଓଭରରେ ୧୩୩ ରନ୍‌ ସଂଗ୍ରହ କରି ଭାରତ ୫ଟି ଓ୍ଵିକେଟ ହରାଇ ସାରିଥିଲା।

ପୂର୍ବରୁ ତ୍ରିରାଷ୍ଟ୍ରୀୟ ‘ନିଦାହାସ ଟ୍ରଫି’ର ଫାଇନାଲ ମ୍ୟାଚ୍‌ରେ ବାଲାଂଦେଶ ୧୬୬ ରନ୍‌ ସଂଗ୍ରହ କରିବା ପରେ ଭାରତକୁ ଟ୍ରଫି ବିଜୟ ପାଇଁ ୧୬୭ ରନ୍‌ ଟାର୍ଗେଟ ମିଳିଥିଲା। ଭାରତ ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ ବାଂଲାଦେଶ ବ୍ୟାଟିଂ କରିଥିଲା। ଆରମ୍ଭରୁ ଭଲ ବ୍ୟାଟିଂ କରିଥିବା ଦଳ ୩୩ ରନ୍‌ ବେଳକୁ ୪.୬ ଓଭରରେ ୩ଟି ମୂଲ୍ୟବାନ୍‌ ଓ୍ଵିକେଟ୍‌ ହରାଇ ସାରିଥିଲା।

ଭାରତୀୟ ଯୁବ ବୋଲର ଯୁଜବେନ୍ଦ୍ର ଚହଲ ୪ ଓଭର ବୋଲିଂ କରି ୧୮ ରନ୍‌ ଦେଇଥିଲେ। ସେ ଚମତ୍କାର ବୋଲିଂ କରି ବାଂଲାଦେଶର ୩ଜଣ ବିସ୍ଫୋରକ ବ୍ୟାଟ୍ସମ୍ୟାନଙ୍କୁ ବିଫଳ କରି ସେ ନୂଆ ଅନୁଭୂତି ସାଉଁଟି ଥିଲେ।

୫ମ ଓ୍ଵିକେଟ୍‌ରେ ମହମ୍ମଦୁଲ୍ଲା(୨୧) ଓ ସବୀର ରହମାନ ୩୬ ରନ୍‌ ଯୋଡ଼ିଥିଲେ। ମାତ୍ର ଏକ ସର୍ଟ ରନ୍‌ ନେବାକୁ ଯାଇ ମହମ୍ମଦୁଲ୍ଲା ଟିମ୍‌ ଇଣ୍ଡିଆର ଓ୍ଵିକେଟ୍‌କିପର ଦିନେଶ କାର୍ତ୍ତିକ ଓ ବିଜୟ ଶଙ୍କରଙ୍କ ଦ୍ୱାରା ରନ୍‌ ଆଉଟ ହୋଇଥିଲେ। ବାଂଲାଦେଶ ୧୦୪ ରନ୍‌ରେ ୫ମ ଓ୍ଵିକେଟ୍‌ ହରାଇଥିଲା। ୧୩୩ ରନ୍‌ରେ ସାକିବୁଲ ହାସନ(୭) ଅଧିନାୟକ ରୋହିତ ଶର୍ମା ଓ ବିଜୟ ଶଙ୍କରଙ୍କ ଦ୍ୱାରା ରନ୍‌ ଆଉଟ ହୋଇଥିଲେ। ବାଂଲାଦେଶର ସର୍ବୋଚ୍ଚ ରନ୍‌ ସଂଗ୍ରହକାରୀ ସବୀର ରହମାନ(୭୭) ଜାଭେଦ୍‌ ଉନାଦକଟ୍‌ଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ। ଉନାଦ୍‌କଟଙ୍କ ୨ୟ ଶିକାର ହୋଇଥିଲେ ରୁବେଲ ହୁସେନ(୦)। ରୁବେଲ ମଧ୍ୟ ବୋଲ୍ଡ ହୋଇ ପାଭଲିଅନ ଫେରିଥିଲେ।

ମାତ୍ର ୨୭ ରନ୍‌ରେ ବାଂଲାଦେଶ ଓପନ୍‌ର ଯୋଡ଼ିଙ୍କୁ ହରାଇଥିଲା। ଲିଟନ୍‌ ଦାସ(୧୧) ଭାରତର ଓ୍ଵାସିଙ୍ଗଟନ୍‌ ସୁନ୍ଦରଙ୍କ ବଲ ସୁରେଶ ରାଇନାଙ୍କୁ କ୍ୟାଚ ହୋଇଥିବା ବେଳେ ତମିମ ଇକ୍‌ବାଲ୍‌ ୧୫ ରନ୍‌ରେ ଆଉଟ୍‌ ହୋଇଥିଲେ। ଯୁବ ବୋଲର ଯୁଜବେନ୍ଦ୍ର ଚହଲଙ୍କ ବଲ ଖେଳି ଶାର୍ଦ୍ଦୁଲ ଠାକୁରଙ୍କୁ କ୍ୟାଚ୍‌ ଦେଇଥିଲେ ଇକ୍‌ବାଲ୍‌। ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ସୌମ୍ୟ ସରକାର ମାତ୍ର ଗୋଟିଏ ରନ୍‌ ଯୋଡ଼ି ଯୁଜବେନ୍ଦ୍ର ଚହଲଙ୍କ ବଲ ଶିଖର ଧାଓ୍ଵନଙ୍କୁ କ୍ୟାଚ୍‌ ଦେଇଥିଲେ। ଯୁଜବେନ୍ଦ୍ର ଚହଲଙ୍କ ୩ୟ ତଥା ଭାରତର ୪ର୍ଥ ଶିକାର ହୋଇଥିଲେ ଅନ୍ୟତମ ବିସ୍ଫୋରକ ବ୍ୟାଟ୍ସମ୍ୟାନ ମୁସଫିକ୍ୟୁର ରହମାନ(୯)। ଶ୍ରୀଲଙ୍କାର ୬୮ ରନ୍‌ରେ ରହମାନ ଆଉଟ୍‌ ହୋଇଥିଲେ। ସେ ଯୁଜବେନ୍ଦ୍ର ଚହଲଙ୍କ ବଲ ବିଜୟ ଶଙ୍କରଙ୍କୁ କ୍ୟାଚ୍‌ ଦେଇଥିଲେ।

ସମ୍ବନ୍ଧିତ ଖବର