ପାଣିରେ ପଡ଼ିଲା ଧାଓ୍ଵନ୍‌ଙ୍କ ବିସ୍ଫୋରକ ବ୍ୟାଟିଂ, ୫ ଓ୍ଵିକେଟ୍‌ରେ ଶ୍ରୀଲଙ୍କା ବିଜୟୀ

ତ୍ରିରାଷ୍ଟ୍ରୀୟ ଟି-୨୦ ଶୃଙ୍ଖଳା: ଭାରତ-ଶ୍ରୀଲଙ୍କା ପ୍ରଥମ ମ୍ୟାଚ୍‌

କଲମ୍ବୋ: ତ୍ରିରାଷ୍ଟ୍ରୀୟ ଶୃଙ୍ଖଳା ‘ନିଦହାସ ଟ୍ରଫି’(ଭାରତ, ଶ୍ରୀଲଙ୍କା ଓ ବାଂଲାଦେଶ)ର ଉଦ୍‌ଘାଟନୀ ମ୍ୟାଚ୍‌ରେ ଶ୍ରୀଲଙ୍କାର ୫ ଓ୍ଵିକେଟ୍‌ରେ ବିଜୟ ହୋଇଛି। ୧୭୫ ରନ୍‌ ବିଜୟ ଲକ୍ଷ୍ୟ ନେଇ ୨ୟ ଇନିଂସରେ ଶ୍ରୀଲଙ୍କା ୧୮.୩ ଓଭରରେ ୫ ଓ୍ଵିକେଟ ହରାଇ ୧୭୫ ରନ୍‌ ସଂଗ୍ରହ କରିଛି। ପ୍ରଥମ ଟି-୨୦ ମ୍ୟାଚ୍‌ରେ ଶ୍ରୀଲଙ୍କାର କଲମ୍ବୋସ୍ଥିତ ଆର ପ୍ରେମଦାସା ଷ୍ଟାଡିୟମରେ ଶ୍ରୀଲଙ୍କା ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ ଭାରତ ବ୍ୟାଟିଂ କରିଥିଲା।

ଶ୍ରୀଲଙ୍କା ୧୨ ରନ୍‌ରେ ପ୍ରଥମ ଓ୍ଵିକେଟରେ କୁଶାଲ ମେଣ୍ଡିସ(୧୧), ୭୦ ରନ୍‌ରେ ଦାନୁଷ୍କା ଗୁଣତିଲକା(୧୯), ୯୮ ରନ୍‌ରେ ଦିନେଶ ଚଣ୍ଡିମଲ(୧୪), ୧୨୭ ରନ୍‌ରେ କୁଶାଲ ପେରାରା(୬୬) ଆଉଟ୍‌ ହୋଇଥିଲେ। ଭାରତର ୫ମ ଶିକାର ହୋଇଥିଲେ ଉପୁଲ ଥରଙ୍ଗା(୧୭)। ଭାରତର ଓ୍ଵାସିଙ୍ଗଟନ୍‌ ସୁନ୍ଦର ଓ ଯୁଜବେନ୍ଦ୍ର ଚହଲ ୨ଟି ଲେଖାଏଁ ଓ୍ଵିକେଟ ନେଇଥିବା ବେଳେ ଜୟଦେବ ଉନାଦ୍‌କଟ ଗୋଟିଏ ଓ୍ଵିକେଟ୍‌ ନେଇଥିଲେ।

ପୂର୍ବରୁ ପ୍ରଥମ ଇନିଂସରେ ଶିଖର ଧାଓ୍ଵନ(୯୦ ରନ୍‌, ୬ଟି ଚୌକା ଓ ୬ଟି ଛକା)ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ ୫ଓ୍ଵିକେଟ ହରାଇ ୧୭୪ ରନ୍‌ ସଂଗ୍ରହ କରିଥିଲା। ଫଳରେ ଶ୍ରୀଙ୍କାକୁ ୧୭୫ ରନ୍‌ ବିଜୟ ଲକ୍ଷ୍ୟ ମିଳିଥିଲା। ଇନିଂସର ଶେଷ ବଲରେ ଋଷଭ ପନ୍ଥ(୨୩) ଆଉଟ ହୋଇଥିବା ବେଳେ ଦିନେଶ କାର୍ତ୍ତିକ(୧୩) ଅପରାଜିତ ପାଭଲିଅନ ଫେରିଥିଲେ।

ଭାରତ ୧ରନ୍‌ରେ ଅଧିନାୟକ ରୋହିତ ଶର୍ମାଙ୍କୁ ହରାଇଥିଲା। ରୋହିତ ୪ଟି ବଲ ଖେଳି କୌଣସି ରନ୍‌ ସଂଗ୍ରହ ନ କରି ଚମିରାଙ୍କ ବଲ ମେଣ୍ଡିସଙ୍କୁ କ୍ୟାଚ ଦେଇ ପାଭଲିଅନ ଫେରି ଆସିଥିଲେ। ସେହିଭଳି ଶ୍ରୀଲଙ୍କାର ୨ୟ ଶିକାର ହୋଇଥିଲେ ସୁରେଶ ରାଇନା(୧)। ନୁଆନ ପ୍ରଦୀପଙ୍କ ଦ୍ୱାରା ବୋଲିଂରେ ରାଇନା ଆଉଟ ହୋଇଥିଲେ। ସେତେବେଳକୁ ୧.୬ ଓଭରରେ ଭାରତର ସ୍କୋର ୯ ରନ୍‌ ଥିଲା। ୩ୟ ଓ୍ଵିକେଟରେ ମନୀଷ ପାଣ୍ଡେ(୩୭) ଓ ଶିଖର ଧାଓ୍ଵନ ୯୫ ରନ୍‌ ଯୋଡ଼ିଥିଲେ। ମନୀଷ ୩୫ଟି ବଲ ଖେଳି ଜେ ମେଣ୍ଡିସଙ୍କ ବଲ ଖେଳି ଗୁଣତିଲକାଙ୍କୁ କ୍ୟାଚ୍‌ ଦେଇଥିଲେ। ଭାରତ ୪ର୍ଥ ଓ୍ଵିକେଟରେ ଧାଓ୍ଵନଙ୍କୁ ହରାଇଥିଲା। ଗୁଣତିଲକାଙ୍କ ବଲ ତିରସା ପେରାରାଙ୍କୁ କ୍ୟାଚ୍‌ ଦେଇ ପାଭଲିଅନ ଫେରିଥିଲେ ଧାଓ୍ଵନ।

ସମ୍ବନ୍ଧିତ ଖବର